Talcher Medical College: ତାଳଚେର ମେଡିକାଲ କଲେଜ ହେବ କାର୍ଯ୍ୟକ୍ଷମ, ଉପକୃତ ହେବେ ୭୦ଲକ୍ଷ ଲୋକ

Share this:

ତାଳଚେର (ବ୍ୟୁରୋ): Talcher Medical College Updates ତାଳଚେର ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଅନୁମୋଦନ କରିଛନ୍ତି। ଏହାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାର ବହନ କରିଛନ୍ତି। ମହାନଦୀ କୋଲ୍‌ଫିଲ୍ଡସ ଲିମିଟେଡ(MCL) ଦ୍ୱାରା ଦିଆଯାଇଥିବା ଏହି ପ୍ରସ୍ତାବକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନିକ ଅନୁମୋଦନ କରିଛନ୍ତି। ଏହି ମେଡିକାଲ କଲେଜକୁ ମହାନଦୀ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ନାମରେ ନାମିତ କରାଯାଇଛି।

ମେଡିକାଲ କଲେଜର ଭିତିଭୂମି ଓ ପରିଚାଳନା ଅର୍ଥ ମହାନଦୀ କୋଲଫିଲ୍ଡ ଲିମିଟେଡ୍ (MCL)ବହନ କରିବ। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପରିଚାଳନା ହେବ। ରାଜ୍ୟ ସରକାରଙ୍କ ଦ୍ୱାରା ତାଳଚେର ମେଡିକାଲ୍‍ କଲେଜ୍‍ ପରିଚାଳନା ନିଷ୍ପତ୍ତିକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ସ୍ୱାଗତ କରିଛନ୍ତି। ଓଡ଼ିଶା ସରକାର ଓ ଏମ୍‍ସିଏଲ୍‍ ସମନ୍ୱୟ ରକ୍ଷା କରି ଯଥା ଶୀଘ୍ର ଏହି ମେଡିକାଲ୍‍ କଲେଜ୍‍କୁ କାର୍ଯ୍ୟକ୍ଷମ କରିବେ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍‍ କରି ଆଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ଦେଶର ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ମେଡିକାଲ୍‍ କଲେଜ୍‍ ସ୍ଥାପନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ କଳ୍ପନା ରହିଛି। ଏହି ମେଡିକାଲ୍‍ କଲେଜ୍‍ କାର୍ଯ୍ୟକାରୀ ହେବା ଦ୍ୱାରା ଅନୁଗୁଳ ଜିଲ୍ଲା ସମେତ ଢେଙ୍କାନାଳ, ଦେବଗଡ଼, କେନ୍ଦୁଝର, ସୋନପୁର, ବୌଦ୍ଧ ଓ ନୟାଗଡ଼ ଜିଲ୍ଲାର ପ୍ରାୟ ୭୦ଲକ୍ଷ ଲୋକ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ପାଇବା ସହ ରାଜ୍ୟର ଛାତ୍ରଛାତ୍ରୀମାନେ ମେଡିକାଲ୍‍ ପାଠ୍ୟକ୍ରମ ପଢ଼ିବାର ସୁଯୋଗ ପାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍‍ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ତାଳଚେରଠାରେ ଭାରତ ସରକାରଙ୍କ ଏମ୍‍ସିଏଲ୍‍ ଦ୍ୱାରା ୪୯୨ କୋଟି ଟଙ୍କା ବ୍ୟୟରେ ଏହି ମେଡିକାଲ୍‍ କଲେଜ୍‍ ପ୍ରତିଷ୍ଠା କରାଯାଇଛି। ଏହି ମେଡିକାଲ କଲେଜ ଚଳାଇବା ଏବଂ ଏଷ୍ଟାବ୍ଲିଶମେଣ୍ଟ ଖର୍ଚ୍ଚ ଏମ୍‌ସିଏଲ୍‌ ବହନ କରିବ। ରାଜ୍ୟ ସରକାର ଯୋଗାଇ ଦେଇଥିବା ୨୦ ଏକର ଜମିରେ ଏମ୍‌ସିଏଲ୍‌ ଏହି ମେଡିକାଲ କଲେଜ ନିର୍ମାଣ କରିଛି। ଏହି ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟ୍‌ ରେ ନାମଲେଖା ହେବ। ଏଥିସହିତ ୫୦୦ ଶଯ୍ୟା ଚିକିତ୍ସା ସୁବିଧା ରହିବ। ପ୍ରଥମ ପର୍ଯ୍ୟାୟରେ ଏହି ମେଡିକାଲ କଲେଜ ଓ ହସ୍ପିଟାଲକୁ ସରକାରୀ ଓ ଘରୋଇ ଭାଗୀଦାରି (PPP) ମୋଡରେ ଚଳାଇବାକୁ ଏମ୍‌ସିଏଲ୍‌ ନିଷ୍ପତ୍ତି ନେଇଥିଲା। ତେବେ ପରବର୍ତ୍ତୀ ସମୟରେ ମେଡିକାଲ କଲେଜକୁ ଚଳାଇବା ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।

ସୂଚନାଯୋଗ୍ୟ ହସ୍ପିଟାଲ୍‍କୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରିବା ଲାଗି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ବ୍ୟକ୍ତିଗତ ଭାବେ କେନ୍ଦ୍ର କୋଇଲା ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସହ ମାର୍ଚ୍ଚ ୯ ତାରିଖରେ ତାଙ୍କୁ ପତ୍ର ଲେଖି ଓଡ଼ିଶା ସରକାରଙ୍କୁ କଲେଜ୍‍ର ପରିଚାଳନା ଦାୟିତ୍ୱ ଦେବା ନେଇ ଅବଗତ କରାଇଥିଲେ। ଫଳରେ ମେଡିକାଲ୍‍ କଲେଜ୍‍ର ପରିଚାଳନା ଦାୟିତ୍ୱ ନେବା ପାଇଁ ଏମ୍‍ସିଏଲ୍‍ର ସିଏମ୍‍ଡି ଗତ ଏପ୍ରିଲ୍‍ ୨୧ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ।

Read Also | Corona Cases Odisha: ଆଜି ୧୯ କୋଭିଡ ପଜିଟିଭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *