Onion Price: ପିଆଜ ମୂଲ୍ୟ ହ୍ରାସ ପାଇଁ କେନ୍ଦ୍ରସରକାରଙ୍କ ପଦକ୍ଷେପ; ପାଇକାରି ଓ ଖୁଚୁରା ବେପାରୀ ରଖିପାରିବେନି ଅଧିକ ଷ୍ଟକ

Share this:

କେନ୍ଦ୍ରସରକାର ରାଜ୍ୟକୁ ଦେବେ ୨୬ ଟଙ୍କାରେ ପିଆଜ

ନୂଆଦିଲ୍ଲୀ: ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ପିଆଜରୁ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହେବାରୁ ଏହାକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡିଥିଲା। ଏହି ପରିପ୍ରେକ୍ଷୀରେ ସରକାର ଦୈନନ୍ଦିନ ଏକ ଡ୍ୟାସବୋର୍ଡ ମାଧ୍ୟମରେ ପିଆଜର ମୂଲ୍ୟକୁ ତଦାରଖ କରୁଛନ୍ତି। ଏହି ମୂଲ୍ୟବୃଦ୍ଧିକୁ ହ୍ରାସ କରିବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି। ୨୦୨୦ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନରେ ଥିବା ବ୍ୟବସ୍ଥା ଅନୁସାରେ ଏସବୁ ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧି ଘଟିଲେ ଏହାର ମହଜୁଦ ପରିମାଣକୁ ନିୟନ୍ତ୍ରିତ କରିବାର କ୍ଷମତା ସରକାରଙ୍କର ରହିଛି।

ପିଆଜର ସର୍ବଭାରତୀୟ ହାରାହାରି ଖୁଚୁରା ମୂଲ୍ୟ ତାରତମ୍ୟ ଚଳିତ ଅକ୍ଟୋବର ୨୧ ତାରିଖରେ ଗତବର୍ଷ ଏହି ତାରିଖ ତୁଳନାରେ ୨୨.୧୨ ଶତାଂଶ ଅଧିକ ହୋଇଛି। ଅର୍ଥାତ୍‌ କେଜି ପିଛା ପିଆଜର ଦାମ ଗତବର୍ଷ ଏହି ତାରିଖରେ ୪୫.୩୩ ଟଙ୍କା ଥିବାବେଳେ ଚଳିତବର୍ଷ ସେହି ତାରିଖରେ ଏହା ୫୫.୬୦ ଟଙ୍କା ହୋଇଥିଲା। ଏହି ମୂଲ୍ୟକୁ ଯଦି୫ ବର୍ଷର ମୂଲ୍ୟ ସହ ତୁଳନା କରାଯାଏ ତେବେ ଦେଖାଯିବ ଯେ ପିଆଜର ମୂଲ୍ୟ କେଜି ପିଛା ୧୧୪.୯୬ ଶତାଂଶ ବଢିଛି। ପାଞ୍ଚ ବର୍ଷ ତଳେ ଏହି ସମୟରେ ପିଆଜର କେଜି ପିଛା ମୂଲ୍ୟ ୨୫ ଟଙ୍କା ୮୭ ପଇସା ଥିବାବେଳେ ଏବେ ତାହା ୫୫.୬୦ଟଙ୍କା ରହିଛି। ତେଣୁ ଗତ 5 ବର୍ଷର ହାରାହାରି ଦରକୁ ତୁଳନା କଲେ ଦେଖାଯିବ ଯେ ପିଆଜର ମୂଲ୍ୟ କେଜି ପିଛା ୧୦୦ ଶତାଂଶରୁ ଅଧିକ ବଢିଛି। ସେଥିପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅନୁସାରେ ଏହାର ମୂଲ୍ୟ ନିୟନ୍ତ୍ରଣ ଓ ମହଜୁଦର ସୀମା ଧାର୍ଯ୍ୟ କରିବାର ଆବଶ୍ୟକତା ଉପୁଜଛି । ଅତଏବ ପିଆଜର ମହଜୁଦ ପରିମାଣ ଆଜିଠାରୁ ଧାର୍ଯ୍ୟହୋଇ ତତ୍କାଳ ଲାଗୁ ହୋଇଛି। ତଦନୁସାରେ ପାଇକାରୀ ବେପାରି ସର୍ବାଧିକ ୨୫ ମେଟ୍ରିକ ଟନ ଓ ଖୁଚୁରା ବିକ୍ରେତା ସର୍ବାଧିକ ୨ ମେଟ୍ରିକ ଟନ ପିଆଜ ଚଳିତବର୍ଷ ଡିସେମ୍ବର ୩୧  ତାରିଖ ପର୍ଯ୍ୟନ୍ତ ରଖିପାରିବେ। ଯେଉଁମାନେ ଏହି ଆଇନ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ମୂଲ୍ୟବୃଦ୍ଧିକୁ କମାଇବା ପାଇଁ ସରକାର କେତେକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି। ଗତ ସେପ୍ଟେମ୍ବର ୧୪ ତାରିଖରେ ପିଆଜ ରପ୍ତାନୀକୁ ନିଷିଦ୍ଧ କରାଯାଇଥିଲା। ଘରୋଇ ଖାଉଟିଙ୍କୁ ଡଚିତ ମୂଲ୍ୟରେ ପିଆଜ ଯୋଗାଇ ଦେବାକୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଖରିଫ ପିଆଜ ବଜାରରେ ପହଞ୍ଚିବା ଯାଏଁ ଏହି ନିଷେଧାଦେଶ ଲାଗୁ କରାଯାଇଛି। ଏହି ପଦକ୍ଷେପ ଫଳରେ ପିଆଜର ଖୁଚୁରା ମୂଲ୍ୟ କିଞ୍ଚିତ ନିୟନ୍ତ୍ରଣରେ ରହିଛି। ନିକଟ ଅତୀତରେ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶରେ ପ୍ରବଳ ଅଦିନିଆ ବୃଷ୍ଟିପାତ ଫଳରେ ଖରିଫ ପିଆଜ ଫସଲ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷତି ଏବେ ଉଦ୍‌ବେଗର କାରଣ ପାଲଟିଛି।

ପାଣିପାଗର ପ୍ରତିକୂଳ ସ୍ଥିତିଯୋଗୁଁ ପିଆଜ ଫସଲ ବିଶେଷ କ୍ଷତିଗ୍ରସ୍ତ ହୋଇଥିବାରୁ ବଜାରରେ ଏହାର ମୂଲ୍ୟ ଅଧିକ ବଢିଛି। ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାର ବଫର ଷ୍ଟକରୁ ପିଆଜ ବଜାରକୁ ଛାଡିବା କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ଚଳିତବର୍ଷ ରବି ଋତୁରେ ଉତ୍ପାଦିତ ପିଆଜ ମଧ୍ୟରୁ ୧ ଲକ୍ଷ ମେଟ୍ରିକ ଟନ ପିଆଜ ସରକାର ସଂଗ୍ରହ କରି ବଫର ଷ୍ଟକରେ ରଖିଥିଲେ। ଏହି ମହଜୁଦ ପରିମାଣ ଗତବର୍ଷ ତୁଳନାରେ ଦୁଇଗୁଣ ଥିଲା। ବଫର ଷ୍ଟକରୁ ପିଆଜ ବଜାରକୁ ଛାଡିବା କାମ ବେଶ୍‌ ତତ୍ପରତାର ସହ ଚଳିତବର୍ଷ ସେପ୍ଟେମ୍ବର ଦ୍ୱିତୀୟାର୍ଦ୍ଧରୁ ଆରମ୍ଭ ହୋଇଛି। ଏହିସବୁ ପିଆଜ ଦେଶର ପ୍ରମୁଖ ମଣ୍ଡି ତଥା ଖୁଚୁରା ଯୋଗାଣକାରୀ ସଂସ୍ଥା ସଫଲ, କେନ୍ଦ୍ରୀୟ ଭଣ୍ଡାର, ଏନ୍‌ସିସିଏଫ୍‌, ତନ୍ନହୋଡା ଓ ଟାନଫେ୍‌ଡ୍‌ (ତାମିଲନାଡୁ) ତଥା ନାଫେଡ୍‌ର ବିଭିନ୍ନ ପ୍ରମୁଖ ସହରରେ ଥିବା ବିକ୍ରୟ କେନ୍ଦ୍ରକୁ ଯୋଗାଇ ଦିଆଯାଉଛି। ଏହାଛଡା ବିଭିନ୍ନ ରାଜ୍ୟ ସରକାରଙ୍କ ମାଧ୍ୟମରେ ମଧ୍ୟ କେନ୍ଦ୍ର ସରକାରେ ପିଆଜ ଯୋଗାଣ କାର୍ଯ୍ୟ ଜାରି ରଖିଛନ୍ତି। ଏବେ ଆସାମ ଓ କେରଳ ସରକାରଙ୍କୁ ଖୁଚୁରା ଯୋଗାଣ ବ୍ୟବସ୍ଥା ମାଧ୍ୟମରେ ପିଆଜ ଯୋଗାଇ ଦିଆଯାଉଛି। ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା ଏବଂ ଲାକ୍ଷାଦ୍ୱୀପ ମଧ୍ୟ ନିଜର ଆବଶ୍ୟକତା କେନ୍ଦ୍ର ସରକାରଙ୍କ ପାଖକୁ ପଠାଇବା ପରେ ସେଠାକୁ ଏହାର ପ୍ରେରଣ କର୍ଯ୍ୟ ଆରମ୍ଭ ହୋଇଛି।

ଆହୁରି ମଧ୍ୟ ମୁକ୍ତ ବଜାର ବିକ୍ରି ବ୍ୟବସ୍ଥା ମାଧ୍ୟମରେ ପିଆଜର ବିକ୍ରୟ ଆରମ୍ଭ ହୋଇଛି। ମୂଲ୍ୟ ହ୍ରାସ କରିବା ପାଇଁ ଏହି ବିକ୍ରୟ ପ୍ରକ୍ରିୟାକୁ ଆହୁରି ବ୍ୟାପକ କରାଯାଉଛି ।

ପ୍ରାୟ ୩୭ ଲକ୍ଷ ମେଟ୍ରିକ ଟନର ଖିରିଫ ପିଆଜ ଖୁବ୍‌ଶୀଘ୍ର ମଣ୍ଡିରେ ପହଞ୍ଚିବ ବୋଲି ଆଶ କରାଯାଉଛି। ଏହା ପହଞ୍ଚିଲେ ବଜାରରେ ପିଆଜର ଉପଲବ୍ଧତା ବଢିବ। ବଜାରରେ ପିଆଜ ଯଥେଷ୍ଟ ପରିମାଣରେ ଯେପରି ମିଳେ ସେଥିପାଇଁ ଅତିରିକ୍ତ ବ୍ୟବସ୍ଥା ମଧ୍ୟ କରାଯାଉଛି। ବିଦେଶରୁ ପିଆଜ ଆମଦାନୀ କରିବା ପାଇଁ ମଧ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଚଳିତମାସ ୨୧ ତାରିଖରୁ ସରକାର ପିଆଜ ଆମଦାନୀ ସଂକ୍ରାନ୍ତ କେତେକ କଟକଣାକୁ ଆହୁରି କୋହଳ କରିଛନ୍ତି। ଚଳିତବର୍ଷ ଡିସେମ୍ବର୧୫ ତାରିଖ ପର୍ଯ୍ୟନ୍ତ ପିଆଜ ଆମଦାନୀ ଚାଲୁ ରହିବ। ବିଭିନ୍ନ ଦେଶରେ ଥିବା ଭାରତୀୟ ଉଚ୍ଚାୟୁକ୍ତ ସେଠାକାର ପିଆଜ ବ୍ୟବସାୟୀଙ୍କ ସହ ଇତିମଧ୍ୟରେ ସଂପର୍କ ରକ୍ଷା କରି ଭାରତକୁ ସେସବୁ ପଠାଇବାର ବ୍ୟବସ୍ଥା କରୁଛନ୍ତି।

ଘରୋଇ ବ୍ୟବସାୟୀଙ୍କ ଦ୍ୱାରା ପିଆଜ ଆମଦାନୀ ବ୍ୟବସ୍ଥା କରିବା ସହ ସରକାର ମଧ୍ୟ ଏମ୍‌ଏମ୍‌ଟିସି ଜରିଆରେ ଲାଲ ପିଆଜ ଆମଦାନୀ କରି ବର୍ତ୍ତମାନର ଚାହିଦାକୁ ପୂରଣ କରିବେ। ଆହୁରି ମଧ୍ୟ ପିଆଜର ଦରକୁ ନିୟନ୍ତ୍ରଣରେ ରଖିବା ପାଇଁ ସରକାର କଳାବଜାରୀ ଓ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ବଳରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଯେଉଁମାନେ ପିଆଜ ବେଆଇନଭାବେ ମହଜୁଦ ରଖିବେ ଏବଂ ଏହାର କଳାବଜାରୀ କରିବେ ସେମାନଙ୍କ ବିରୋଧରେ ଆଇନତଃ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Also Read | Onion Price Hike: ରାଜ୍ୟରେ ପିଆଜ ଦର ୯୦ ଟଙ୍କା, ଜିଲ୍ଲାପାଳଙ୍କୁ ଚିଠି

Share this:

One thought on “Onion Price: ପିଆଜ ମୂଲ୍ୟ ହ୍ରାସ ପାଇଁ କେନ୍ଦ୍ରସରକାରଙ୍କ ପଦକ୍ଷେପ; ପାଇକାରି ଓ ଖୁଚୁରା ବେପାରୀ ରଖିପାରିବେନି ଅଧିକ ଷ୍ଟକ

Leave a Reply

Your email address will not be published. Required fields are marked *