Jharsuguda Road Accident: ଝାରସୁଗୁଡା ବସ-ଟ୍ରକ ଧକ୍କାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି
ଝାରସୁଗୁଡ଼ା: Jharsuguda Road Accident ଝାରସୁଗୁଡା ଦେଇ ଯାଇଥିବା ବିଜୁ ଏକ୍ସପ୍ରେସ୍ (Biju Express) ୱେରେ ଗତକାଲି ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୭କୁ ବୃଦ୍ଧିପାଇଛି। ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ୧୪ଜଣ ଗୁରୁତର ଆହତଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ ଗତକାଲି ସଂଧ୍ୟା ୭ଟା ସମୟରେ ଥେଲକୁଲେଇସ୍ଥିତ ଜେଏସ୍ଡବ୍ଲ୍ୟ ଭୂଷଣ ପ୍ଲାଣ୍ଟର (JSW-Bhushan Plant) ୬୦ରୁ ଊର୍ଦ୍ଧ୍ୱ କର୍ମଚାରୀଙ୍କୁ ନେଇ ଆସୁଥିବା ବସ୍କୁ ସର୍ବାହଲ ପାୱାର ହାଉସ୍ ଛକ ନିକଟରେ ଏକ କୋଇଲା ବୋଝେଇ ହାଇୱା ଟ୍ରକର ଧକ୍କା ଦେଇଥିଲା। ଝାରସୁଗୁଡା ପଟୁ ସମ୍ବଲପୁରକୁ ଯାଉଥିବା ଏହି ଟ୍ରଲରଟି ରାସ୍ତା ଉପରେ ଗୋରଙ୍କୁ ଧକ୍କା ଦେବା ପରେ ଡିଭାଇଡର ଭାଙ୍ଗି ରାସ୍ତାର ଅପରପାଶ୍ୱର୍ରେ ଏହି ବସ୍ଟିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଥିଲା। ପରେ ଡାକ୍ତରଖାନାରେ ଆଉ ୪ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।
ଆହତ କେତେଜଣଙ୍କୁ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଆଉ କେତେଜଣଙ୍କୁ ଝାରସୁଗୁଡ଼ାର ଘରୋଇ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଛି। ସେମାନଙ୍କ ମଧ୍ୟରୁ ୧୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁସାରେ ମୃତ କର୍ମଚାରୀମାନେ ହେଲେ ରାଜେନ୍ଦ୍ର ତିୱାରୀ, ସେର୍ ବାହାଦୁର, ପ୍ରୀତିପାଲ ସିଂହ, ପଙ୍କଜ ଝା, ଧନ କୁମାର ରାୟ, ରାଜେଶ ସିଂହ, ସୁରଥ ଠାକୁର। କର୍ମଚାରୀଙ୍କ ମୃତଦେହକୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ରଖାଯାଇଛି।
ଜିଲାପାଳ ସରୋଜ କୁମାର ସାମଲ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତ କର୍ମଚାରୀଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିବା ସହିତ ଉତ୍ତମ ଚିକିତ୍ସା ପାଇଁ ଡାକ୍ତରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ଯେଉଁ କର୍ମଚାରୀମାନେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଛନ୍ତି ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ଏଦିଗରେ କମ୍ପାନୀ ସହିତ ଆଲୋଚନା କରାଯିବ ବୋଲି ଜିଲାପାଳ ଶ୍ରୀ ସାମଲ ସୂଚନା ଦେଇଛନ୍ତି। ଝାରସୁଗୁଡା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି କମ୍ପାନୀର ବସ୍ ଏବଂ କୋଇଲା ବୋଝେଇ ହାଇୱା ଟ୍ରକକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
[amazon_auto_links id=”9939″]