Corona:ଗାଁରେ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ, ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା

Share this:

ଭୂବନେଶ୍ଵର: ଗତକାଲି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) କୋଭିଡ଼୍-୧୯ (Covid -19) ମୁକାବିଲା ପାଇଁ ଅଭିଯାନ ଆରମ୍ଭ କରିଛନ୍ତି। ଆସନ୍ତା ୨୪ ତାରିଖରୁ ୩ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନ୍‌ଏମ୍ ମାନେ ଘରକୁ ଘର ବୁଲି କୋଭିଡ୍ ଲକ୍ଷଣ ଓ ଜଟିଳ ରୋଗ ସଂପର୍କରେ ସର୍ଭେ କରିବେ। ସେଥିପାଇଁ ସେମାନଙ୍କୁ ମାସିକ ୧ହଜାର ଟଙ୍କା ଲେଖାଏଁ ୩ମାସ ପାଇଁ ପ୍ରୋତ୍ସାହନ ରାଶି ଦିଆଯିବ। ରାଜ୍ୟରେ ଗାଁ କଲ୍ୟାଣ ସମିତିକୁ କୋଭିଡ୍ ନିୟନ୍ତ୍ରଣ ପାଇଁ ୧୦ ହଜାର ଟଙ୍କା ଦିଆଯିବ। ସେହିପରି ଗୃହ ସଙ୍ଗରୋଧ ତଦାରଖ ଦାୟିତ୍ଵରେ ଥିବା ଆଶା କର୍ମୀଙ୍କୁ ସାଇକେଲ୍, ଚପଲ, ଛତା, ଟର୍ଚ୍ଚ ଏବଂ କପ୍ ବୋର୍ଡ ଆଦି ପାଇଁ ଏକକାଳୀନ ସରକାର ୧୦ ହଜାର ଟଙ୍କା ଦେବେ।      

ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ପୁଣି ଥରେ ଜିଲ୍ଲାପାଳ କ୍ଷମତା ଫେରାଇ ଦେଇଛନ୍ତି। ବର୍ତ୍ତମାନ ଲକ୍‌ଡାଉନ କାର୍ଯ୍ୟକାରୀ କରିବା ଏବଂ ଗାଁର ଆବଶ୍ୟକତାକୁ ଦେଖି ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଖୋଲିବା ବିଷୟ ନେଇ ସରପଞ୍ଚମାନେ ନିଷ୍ପତି କରିପାରିବେ। ଗତବର୍ଷ ତୁଳନାରେ ଏ ବର୍ଷ ଅନ୍ୟ ରାଜ୍ୟକୁ ଫେରୁଥିବା ଲୋକଙ୍କ ସଂଖ୍ୟା କମ୍‌ ଥିଲେ ମଧ୍ୟ ସରକାର ଜୋନାଲ ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର ଆରମ୍ଭ କରିସାରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକମାନେ ଯେପରି ଶୀଘ୍ର ଟିକା ପାଇପାରିବେ, ସେଥିପାଇଁ ସରକାର ବିଶ୍ଵ ବଜାରରୁ ଟିକା କିଣିବା ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇଛି। ଦେଶର ଅନ୍ୟ ଭାଗର ଘଟଣା ଉପରେ ଓଡ଼ିଶା ତୀକ୍ଷଣ ନଜର ରଖିଛି ଓ ଅଭିଜ୍ଞତା ଭିତ୍ତିରେ ଆଗୁଆ ପଦକ୍ଷେପ ନେଉଛି। ଆଇସିୟୁ ଓ ଏଚ୍‌ଡିୟୁ ଶଯ୍ୟାରେ ବୃଦ୍ଧି କରାଯାଇଛି। ପ୍ରତି ଜିଲ୍ଲାରେ ଅକ୍‌ସିଜେନ ସଂଯୁକ୍ତ ଶଯ୍ୟା ଉପରେ ସରକାର ଗୁରୁତ୍ଵ ଦେଉଛନ୍ତି। ତ୍ରୁଟିଶୂନ୍ୟ ଅକ୍‌ସିଜେନ ଯୋଗାଣ ପାଇଁ ଅଧିକ ଅକ୍‌ସିଜେନ ସିଲିଣ୍ଡର, ରିଫିଲିଂ ଓ ପରିବହନ କାର୍ଯ୍ୟ ତଦାରଖ କରାଯାଉଛି। ମୁଖ୍ୟ ଡାକ୍ତରଖାନା ଗୁଡିକରେ ଅକ୍‌ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା ସହ ଅକ୍‌ସିଜେନ ସିଲିଣ୍ଡର ମଧ୍ୟ ଆମଦାନି କରାଯାଉଛି। ଜରୁରୀ ଔଷଧ ଓ  ଅକ୍ସିଜେନ ଯୋଗାଣରେ ଯେପରି ଅସୁବିଧା ନ ହୁଏ, ସେଥିପ୍ରତି ସରକାର ଦୃଷ୍ଟି ରଖିଛନ୍ତି।

କୋଭିଡରେ ଅନେକ ପରିବାରର ଆତ୍ମୀୟସ୍ଵଜନଙ୍କ ଅସମୟରେ ବିୟୋଗ ଘଟିଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଥିଲେ। ସେମାନଙ୍କ ପରିବାରର ଏହି ଦୁଃଖ ସମୟରେ ସରକାର ସେମାନଙ୍କ ସହିତ ରହିଛନ୍ତି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ କୋଭିଡ ମୃତକଙ୍କ ପରିବାରର ବିଧବା ଓ ବାପା ମା’ ଙ୍କୁ ହରାଇ ଥିବା ପିଲାମାନଙ୍କୁ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଏହି ପିଲାମାନଙ୍କ ପାଇଁ ସରକାର ମାଗଣା ଶିକ୍ଷା ବ୍ୟବସ୍ଥା କରିବେ।

ଲୋକଙ୍କୁ ସତର୍କ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦ୍ଵିତୀୟ ଲହରର ପ୍ରଭାବ ହ୍ରାସ କରିବା ପାଇଁ ଆମେ ଲକ୍‌ଡାଉନ କରିଛୁ। କିନ୍ତୁ କେବଳ ଲକ୍‌ଡାଉନ ଏହାର ସମାଧାନ ନୁହେଁ। କାରଣ ଏହାଦ୍ଵାରା ଅନେକ ଲୋକଙ୍କ ଜୀବିକା ଗଭୀର ଭାବରେ ପ୍ରଭାବିତ ହେଉଛି। ତେଣୁ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତା ରକ୍ଷା କରିବା, ଅନାବଶ୍ୟକ ଭାବରେ ବାହାରେ ନ ବୁଲିବା ଏବଂ ଗହଳିକୁ ନ ଯିବା ନିୟମକୁ କଡାକଡି ଭାବରେ ପାଳନ କରାଯିବା ଉଚିତ୍। ଏହି ସଚେତନତାର ବାର୍ତ୍ତା ଲୋକଙ୍କୁ ପାଖରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ବିଧାୟକମାନଙ୍କୁ ପରାମର୍ଶ ଦେବା ସହିତ କୋଭିଡ ପରିଚାଳନା କାର୍ଯ୍ୟ ବିଶେଷତଃ, ମିସନ ଶକ୍ତି ଗ୍ରୃପ ଠାରୁ କିଣି ଗରିବ ଲୋକଙ୍କୁ ମାସ୍କ ବାଣ୍ଟିବା ପାଇଁ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି କହିଥିଲେ।

  • ଲକ୍‌ଡାଉନ୍, ଟିଏମ୍‌ସି ନିଷ୍ପତ୍ତି ନେଇପାରିବେ ସରପଞ୍ଚ
  • ୨୪ରୁ ଘରକୁ ଘର ବୁଲି ସର୍ଭେ କରିବେ ଆଶା କର୍ମୀ, ମିଳିବ ମାସକୁ ହଜାରେ ଟଙ୍କା
  • କୋଭିଡ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମରେ ସାମିଲ ହେବ ଗାଁ କଲ୍ୟାଣ ସମିତି, ୧୦ ହଜାର ଟଙ୍କା ଦିଆଯିବ
  • ଗୃହ ସଙ୍ଗରୋଧ ତଦାରଖ ଦାୟିତ୍ଵରେ ଥିବା ଆଶା କର୍ମୀ ଏକକାଳୀନ ପାଇବେ ୧୦ ହଜାର ଟଙ୍କା
  • ବିଧବା ଓ ବାପା ମାଆଙ୍କୁ ହରାଇଥିବା ପିଲାଙ୍କୁ ମଧୁବାବୁ ଯୋଜନାରେ ସାମିଲ କରାଯିବ, ପିଲାଙ୍କୁ ମାଗଣା ଶିକ୍ଷା

Also Read | 2-deoxy-D-Glucose: ଲଞ୍ଚ ହେଲା କରୋନା ମହୌଷଧି

Share this: