Puri: ନାଗାର୍ଜୁନ ବେଶ ଆଲୋଚନା ପାଇଁ ଖୁବ୍‍ ଶୀଘ୍ର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ,ଶ୍ରୀମନ୍ଦିର ତିନି ଦ୍ଵାର ହେବ ରୂପା ଛାଉଣି

Share this:

ପୁରୀ: ଶ୍ରୀକ୍ଷେତ୍ର ପୁରୀ (Puri) ରେ ଶ୍ରୀଜିଉଙ୍କ ନାଗାର୍ଜୁନ ବେଶ ସମ୍ପର୍କରେ ଆଲୋଚନା ପାଇଁ ଖୁବ୍‍ ଶୀଘ୍ର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ। କରୋନା ମହାମାରୀ (corona Virus) ଯୋଗୁଁ ନାଗାର୍ଜୁନ ବେଶ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ କି ନାହିଁ, ସେ ସମ୍ପର୍କରେ ପରିଚାଳନା କମିଟି ନିଷ୍ପତ୍ତି ଗ୍ରହଣ କରିବ।

ଆବଶ୍ୟକସ୍ଥଳେ ରାଜ୍ୟ ସରକାରଙ୍କ ମତାମତ ଲୋଡ଼ାଯିବ। ତେବେ ନଭେମ୍ବର ୨୭ ତାରିଖରେ ଦାରୁବ୍ରହ୍ମଙ୍କୁ ନାଗାର୍ଜୁନ ବେଶ କରାଯିବାକୁ ନିଶ୍ଚିତ ହୋଇଛି। ଏଥିପାଇଁ ଦଶହରାଠାରୁ ବେଶ ସାମଗ୍ରୀ ପ୍ରସ୍ତୁତ କରାଯିବ ବୋଲି ସୂଚନା ମିଳିଛି। ପ୍ରାୟ ୨୬ ବର୍ଷ ପରେ ଚଳିତ ବର୍ଷ ଶ୍ରୀଜିଉଙ୍କ ଆକର୍ଷଣୀୟ ନାଗାର୍ଜନ ବେଶ ହେଉଥିବାରୁ ତାହାକୁ ଦର୍ଶନପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। କରୋନା ସଂକ୍ରମଣ ପରିପେକ୍ଷୀରେ ଏନେଇ ରାଜ୍ୟ ସରକାର କିମ୍ବା ମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇ ନାହିଁ। ଏ ସମ୍ପର୍କରେ ଆଲୋଚନା ପାଇଁ ଖୁବ୍‍ ଶୀଘ୍ର ଛତିଶା ନିଯୋଗ ଏବଂ ନୀତି ସବ୍‍କମିଟି ବୈଠକ ଡକାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସକ ଜିତେନ୍ଦ୍ର କୁମାରସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସେହିପରି ଶ୍ରୀମନ୍ଦିର ଭିତରେ ଥିବା ଜୟବିଜୟ ଦ୍ୱାର, କଳାହାଟ ଦ୍ୱାର ଓ ବେହେରଣ ଦ୍ୱାରକୁ ରୂପାଛାଉଣୀ କରାଯିବା ଲାଗି ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମାପଚୁପ ଆରମ୍ଭ ହୋଇଛି। ଶ୍ରୀମନ୍ଦିର ପ୍ରଶାସନର ନିର୍ବାହୀ ଯନ୍ତ୍ରୀ ଆଶୀଷ କୁମାର ସୁବୁଦ୍ଧିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୪ ଜଣିଆ ଟିମ୍‍ ଶ୍ରୀମନ୍ଦିରକୁ ଯାଇ ଏହିସବୁ ଦ୍ୱାରର ସ୍ଥିତି ଅନୁଧ୍ୟାନ କରିବା ସହିତ ରୂପା ଛାଉଣୀ କରାଗଲେ କେତେ ପରିମାଣର ରୂପା ଆବଶ୍ୟକ ପଡିବ, ସେନେଇ ଯାଞ୍ଚ କରୁଛନ୍ତି।

ଏହିସବୁ ଦ୍ୱାର ଗୁଡିକ ଦୁର୍ବଳ ହୋଇପଡିଥିବାରୁ ଏହାକୁ ମଜବୁତ କରାଯିବା ସହିତ ଅଧିକ ଆକର୍ଷଣୀୟ କରାଯିବା ଲାଗି ଦ୍ୱାର ଗୁଡିକୁ ରୂପା  ଛାଉଣୀ କରାଯିବାକୁ ପୂର୍ବରୁ ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ମାପଚୁପ ଶେଷ ହେବା ପରେ ଦରକାର ପଡୁଥିବା ରୂପା ଦାନସୂତ୍ରରେ ନା ଶ୍ରୀମନ୍ଦିରର ନିଜସ୍ୱ ଗଚ୍ଛିତ ରୂପାରୁ ଖର୍ଚ୍ଚ କରାଯିବ ତାହା ପରିଚାଳନା କମିଟିରେ ସ୍ଥିର କରାଯିବ ବୋଲି ସୂଚନା ମିଳିଛି।

Also Read:

ପ୍ରଥମେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଦାବି ପ୍ରଭୁ ଶ୍ରୀରାମ ନେପାଳ ର ଏବେ ଶ୍ରୀଲଙ୍କା କହୁଛି ରାବଣ…

Share this: