Agra Metro: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଗ୍ରା ମେଟ୍ରୋ ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭ ଉଦ୍‍ଘାଟନ କରିବେ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍‍ରେ ଭିଡ଼ିଓ କନ୍‍ଫରେନ୍ସିଂ (Video Conferencing) ଜରିଆରେ ଆଗ୍ରା ମେଟ୍ରୋ (Agra Metro) ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଶୁଭ ଉଦ୍‍ଘାଟନ କରିବେ।

ଆଗ୍ରା ମେଟ୍ରୋ ପ୍ରକଳ୍ପ ଦୁଇଟି କରିଡର୍‍କୁ ନେଇ ଗଠିତ ହୋଇଥିବାବେଳେ ଏହାର ଦୈର୍ଘ୍ୟ ୨୯ କିଲୋମିଟର ୪୦୦ ମିଟର ରହିଛି। ଏହା ତାଜମହଲ୍‍, ଆଗ୍ରା ଦୁର୍ଗ, ସିକନ୍ଦର ଭଳି ପର୍ଯ୍ୟଟନ ସ୍ଥଳୀ ବ୍ୟତୀତ କେତେକ ରେଳ ଷ୍ଟେସନ୍‍ ଏବଂ ବସ୍‍ଷ୍ଟାଣ୍ଡ୍‍ ସହ ସଂଯୋଗ କରିବ। ଏହି ପ୍ରକଳ୍ପଦ୍ୱାରା ଆଗ୍ରାର ୨୬ ଲକ୍ଷ ଲୋକ ଉପକୃତ ହେବା ସହ ପ୍ରତ୍ୟେକ ବର୍ଷ ଆଗ୍ରା ପରିଦର୍ଶନରେ ଆସୁଥିବା ୬୦ ଲକ୍ଷରୁ ଊର୍ଦ୍ଧ୍ୱ ପର୍ଯ୍ୟଟକଙ୍କୁ ବିଭିନ୍ନ ସୁବିଧା ଯୋଗାଇ ଦେବ।

ଆଗ୍ରା ସହରକୁ ଗମନାଗମନ ବ୍ୟବସ୍ଥା କ୍ଷେତ୍ରରେ ଏହା ଆଧୁନିକ ବ୍ୟବସ୍ଥା ଭାବେ ବିବେଚିତ ହେବ। ଏହି ପ୍ରକଳ୍ପର ନିର୍ମାଣରେ ୮ ହଜାର ୩୭୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବାବେଳେ ଆସନ୍ତା ୫ ବର୍ଷ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଆଗ୍ରା ମେଟ୍ରୋ ପ୍ରକଳ୍ପର ରୂପରେଖ ଅତ୍ୟନ୍ତ ଉନ୍ନତ ଶୈଳୀରେ କରାଯାଇଥିବାରୁ ଏହା ପରିବେଶ ଅନୁକୂଳ, ଆରାମାଦାୟକ ଏବଂ ୫ଟି ମୁଖ୍ୟ ରେଳ ଷ୍ଟେସନ୍‍ ସହ ସଂଯୋଗ ସ୍ଥାପନକରିବ।

ଏହାଛଡ଼ା ବସ୍‍ଷ୍ଟାଣ୍ଡ, କଲେଜ୍‍, ସ୍କୁଲ୍‍, ମାର୍କେଟ୍‍ ପ୍ଲେସ୍‍ ଏବଂ ପର୍ଯ୍ୟଟନ ସ୍ଥଳୀ ସହ ଏହି ପ୍ରକଳ୍ପ ସଂଯୋଗ ହେବ। ଆସନ୍ତାକାଲିର ଉତ୍ସବରେ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍‍ ସିଂହ ପୁରୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି।

Also Read| IRCTC: ଟ୍ରେନ୍ ଟିକେଟ୍ ବୁକିଂ ନୂଆ ନିୟମ; ଟ୍ରେନ୍ ଛାଡିବା ପାଞ୍ଚ ମିନିଟ୍ ପୂର୍ବରୁ ସିଟ୍ ମିଳିବ

Share this: