ଚଳିତ ସେପ୍ଟେମ୍ବରରେ ତୃତୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଛି
ଚଳିତ ସେପ୍ଟେମ୍ବରରେ ସମଗ୍ର ଦେଶରେ ତୃତୀୟ ପୋଷଣ ମାସ ପାଳିତ ହେଉଛି। ପ୍ରତିବର୍ଷ ପୋଷଣ ଅଭିଯାନ (Poshan Abhiyaan) ପ୍ରଧାନମନ୍ତ୍ରୀଙ୍କ ସାମଗ୍ରିକ ପୁଷ୍ଟିସାଧନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳିତ ହୋଇଥାଏ। ଏହା ୨୦୧୮ ରେ ଆରମ୍ଭ ହୋଇଥିଲା। ପୋଷଣ ଅଭିଯାନର ନୋଡାଲ ମନ୍ତ୍ରଣାଳୟଭାବେ କେନ୍ଦ୍ର ମହିଳା ଓ ଶିଶୁବିକାଶ ମନ୍ତ୍ରଣାଳୟ କାର୍ଯ୍ୟ କରୁଛ। ଏଥିରେ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ଅନ୍ୟାନ୍ୟ ସଂପୃକ୍ତ ପକ୍ଷଙ୍କୁ ଅଂଶୀଦାରଭାବେ ଗ୍ରହଣ କରାଯାଇ ଜାତୀୟ, ପ୍ରାଦେଶିକ, ଜିଲା ଏବଂ ସମାଜର ତଳସ୍ତରରେ ପୋଷଣ ମାସ ପାଳିତ ହେଉଛି। ପୋଷଣ ମାସ ପାଳନର ଲକ୍ଷ୍ୟ ହେଲା ପୁଷ୍ଟିସାଧନ କାର୍ଯ୍ୟକ୍ରମରେ ଜନଭାଗିଦାରୀ ସୃଷ୍ଟି କରି ଏହାକୁ ଏକ ଗଣଆନ୍ଦୋଳନର ରୂପ ଦେବା ଏବଂ ଛୋଟ ଛୋଟ ପିଲା ଓ ମହିଳାମାନଙ୍କୁ କୁପୋଷଣରୁ ରକ୍ଷା କରିବା ସହ ସେମାନଙ୍କୁ ସୁସ୍ଥସବଳଭାବେ ଗଢି ତୋଳିବା।
ଆମ ଜୀବନରେ ପୁଷ୍ଟିସାଧନର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିକଟରେ ତାଙ୍କର ଲୋକପ୍ରିୟ କାର୍ଯ୍ୟକ୍ରମ ମନ୍ କୀ ବାତ୍ରେ ଅଗଷ୍ଟ ୩୦ତାରିଖରେ କହିଥିଲେ। ପୁଷ୍ଟିସାଧନ ଦ୍ୱାରା ପିଲା ଏବଂ ଛାତ୍ରଛାତ୍ରୀମାନେ କିପରି ସେମାନଙ୍କର ଦକ୍ଷତାର ସର୍ବାଧିକ ଉପଯୋଗ କରିପାରିବେ ସେ ବିଷୟରେ ସେ ଉଲ୍ଲେଖ କରିଥିଲେ। ଏହାଛଡା ବିଗତ ଦିନରେ ଗ୍ରାମାଞ୍ଚଳରେ ପୋଷଣ ମାସ ଓ ପୋଷଣ ଅଭିଯାନ ପାଳନ ଦ୍ୱାରା ଲୋକେ କିପରି ଅଧିକରୁ ଅଧିକ ସଚେତନ ହେଉଛନ୍ତି ଏବଂ ଏଥିରେ ଅଂଶଗ୍ରହଣ କରୁଛନ୍ତି ସେ ସଂପର୍କରେ ସେ ଉଲ୍ଲେଖ କରିଥିଲେ।
ଏହାଛଡା ପିଲାଙ୍କୁ ମା’ କ୍ଷୀର ଖୁଆଇବା, ଜୀବନର ପ୍ରଥମ ହଜାରେ ଦିନ ମଧ୍ୟରେ ପୁଷ୍ଟିକର ଖାଦ୍ୟ ଯୋଗାଣ ଏବଂ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ରକ୍ତହୀନତା ସମସ୍ୟା ଦୂର କରିବା ପାଇଁ ଏହି ପୋଷଣ ମାସରେ ଉଦ୍ୟମ ଚାଲିଛି।
ଏହି କାର୍ଯ୍ୟକ୍ରମରେ ସବୁ ସଂପୃକ୍ତ ମନ୍ତ୍ରଣାଳୟ ମଧ୍ୟ ସାମିଲ ହୋଇ ପୋଷଣ ମାସକୁ ସଫଳ କରିବା ପାଇଁ ଉଦ୍ୟମ କରୁଛନ୍ତି। ନିଜସ୍ୱ ମନ୍ତ୍ରଣାଳୟ ଓ ବିଭାଗ ଦ୍ୱାରା ପୁଷ୍ଟିସାଧନ କାର୍ଯ୍ୟକ୍ରମମାନ ପ୍ରସ୍ତୁତ କରାଯାଇ ତାହାକୁ କାର୍ଯ୍ୟକାରୀ କରାଯାଉଛି। ସ୍କୁଲ ଶିକ୍ଷା ବିଭାଗ ଏବଂ ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରି ଏହି ମାସରେ ସ୍କୁଲ ପିଲାଙ୍କ ମଧ୍ୟରେ ପୁଷ୍ଟିସାଧନ ସଂକ୍ରାନ୍ତ ଇ-କୁଇଜ(e-Quiz)ଏବଂ ମେମେ ମେକିଂ ପ୍ରତିଯୋଗିତା ଆଦି ଆୟୋଜିତ କରିବାକୁ ସବୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଥିଲେ।
ଏବେ ସମଗ୍ର ଦେଶରେ କରୋନ ମହାମାରୀ ସଂକ୍ରମଣ ଚାଲିଥିବାରୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପୋଷଣ ମାସ ପାଳନ ପାଇଁ ସବୁ ସଂପୃକ୍ତ ପକ୍ଷଙ୍କୁ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ ପ୍ରୋତ୍ସାହିତ କରୁଛି । ସୋସିଆଲ ମିଡିଆ, ଅନ୍ଲାଇନ କାର୍ଯ୍ୟକ୍ରମ, ପଡକ୍ୟାଷ୍ଟ ଏବଂ ଇ-ସମ୍ବାଦ ଆଦି ଜରିଆରେ ଆମ ଜୀବନରେ ପୁଷ୍ଟିସାଧନର ଗୁରୁତ୍ୱ ସଂପର୍କରେ ଲୋକଙ୍କୁ ସୂଚନା ଯୋଗାଇ ଦିଆଯିବ।
Also Read:
ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧୀ ପରିଯୋଜନା ମାଧ୍ୟମରେ ୮ଟି ପ୍ରାକୃତିକ ଶକ୍ତିବର୍ଦ୍ଧକ ଉତ୍ପାଦର ବିକ୍ରି ଶୁଭାରମ୍ଭ
ଓଡ଼ିଶାର ୮୦ ବର୍ଷୀୟ ମହିଳାଙ୍କ ସଫଳ କାହାଣୀ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଗରିବ କଲ୍ୟାଣ ରୋଜଗାର ଅଭିଯାନରେ ସଫଳ