Breaking Newsଜାତୀୟ

କରୋନା ବିପତ୍ତି ଅପସରିଯାଇନି, ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ : ପ୍ରଧାନମନ୍ତ୍ରୀ

Share this:

ନୂଆଦିଲ୍ଲୀ : ଆଜି ରେଡ଼ିଓ ଅଭିଭାଷଣ ‘ମନ୍ କି ବାତ୍’ ୨.୦ ଚତୁର୍ଦ୍ଦଶ ଅଧ୍ୟାୟ ରେ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କାରଗିଲ ବିଜୟ ଦିବସରେ ବୀର ଯବାନଙ୍କ ସାହସ ଓ ବଳିଦାନକୁ ସ୍ମରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଲେ  ଆଜି ଜୁଲାଇ ୨୬ ତାରିଖ ଆଉ ଆଜି ଗୋଟିଏ ବିଶେଷ ଦିନ। ଆଜି “କାରଗିଲ ବିଜୟ ଦିବସ” । ଥିକ ୨୧ ବର୍ଷ ପୂର୍ବେ ଆଜିର ଦିନରେ ହିଁ କାରଗିଲ ଯୁଦ୍ଧରେ ଆମର ସେନାବାହିନୀ ଭାରତର ବିଜୟ ପତାକା ଉଡାଇଥିଲା। କାରଗିଲ ଯୁଦ୍ଧ ଯେଉଁ ପରିସ୍ଥିତିରେ ହେଲା, ତାହା ଭାରତ କେବେହେଲେ ଭୁଲିପାରିବନି। ପାକିସ୍ତାନ ବଡ଼ ବଡ଼ ସ୍ୱପ୍ନ ଦେଖି ଭାରତର ଭୂମି ଅକ୍ତିଆର କରିବା ଏବଂ ନିଜ ଦେଶ ଭିତରେ ଚାଲିଥିବା କଳହ ଦିଗରୁ ଧ୍ୟାନ ଭଙ୍ଗ କରିବା ପାଇଁ ଏଭଳି ଦୁଃସାହସ କରିଥିଲା। ଭାରତ ସେତେବେଳେ ପାକିସ୍ତାନ ସହ ସମ୍ପର୍କ ଉନ୍ନତ କରିବାକୁ ପ୍ରଚେଷ୍ଟାରତ ଥିଲା। ଦୁଷ୍ଟର ସ୍ୱଭାବ ହେଲା ବିନା କାରଣରେ ଅନ୍ୟ ସହ ଶତ୍ରୁତା କରିବା। ଏଭଳି ପ୍ରକୃତିର ଲୋକ ତାଙ୍କର ହିତସାଧନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ଅନିଷ୍ଟ କରିବା ପାଇଁ ଚିନ୍ତା କରନ୍ତି। ତେଣୁ ଭାରତର ମିତ୍ରତା ପ୍ରସ୍ତାବ ପ୍ରତ୍ୟୁତରରେ ପାକିସ୍ତାନ ଦ୍ୱାରା ପିଠିରେ ଛୁରୀ ମାରିବାର ପ୍ରଚେଷ୍ଟା ହୋଇଥିଲା କିନ୍ତୁ ତା’ପରେ ଭାରତର ବୀର ସେନାବାହିନୀ ଯେଉଁ ପରାକ୍ରମ ଦେଖାଇଲେ, ଭାରତ ନିଜର ଯେଉଁ ଶକ୍ତି ପ୍ରଦର୍ଶନ କଲା, ତାହା ସାରା ବିଶ୍ୱ ଦେଖିଲା।

ପ୍ରଧାନମନ୍ତ୍ରୀ ମୋଦୀ ପୁଣି କହିଲେ ଯେ,ମୋର ପ୍ରିୟ ଦେଶବାସୀଗଣ, ଗତ କିଛିମାସ ଧରି ସାରା ଦେଶ ଏକ ହୋଇ ଯେଉଁଭଳି କରୋନା ସହ ସଂଗ୍ରାମ କରିଛି ତାହା ଅନେକ ଆଶଙ୍କାକୁ ଭୁଲ ପ୍ରମାଣିତ କରିଛି। ଆଜି ଆମ ଦେଶରେ ସୁସ୍ଥତା ହାର ଅନ୍ୟ ଦେଶମାନଙ୍କ ତୁଳନାରେ ଭଲ ରହିଛି। ତା’ସଙ୍ଗେ ସଙ୍ଗେ ଆମ ଦେଶରେ କରୋନା ମୃତ୍ୟୁହାର ମଧ୍ୟ ବିଶ୍ୱର ଅଧିକାଂଶ ଦେଶଠାରୁ ଯଥେଷ୍ଟ କମ୍ ରହିଛି। ଜଣେ ବ୍ୟକ୍ତିକୁ ହରାଇବା ନିଶ୍ଚିତ ଭାବେ ଦୁଃଖଦାୟକ, ହେଲେ, ଭାରତ ଏହାର ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନରକ୍ଷା କରିବାରେ ସଫଳ ମଧ୍ୟ ହୋଇଛି। କିନ୍ତୁ ବନ୍ଧୁଗଣ, କରୋନା ବିପତ୍ତି ଅପସରିଯାଇନି। ଅନେକ ଜାଗାରେ ଏହା ଦ୍ରୁତଗତିରେ ମାଡ଼ିଚାଲିଛି। ଆମକୁ ବହୁ ସତର୍କ ରହିବାର ଆବଶ୍ୟକତା ରହିଛି।

ଏକଥା ଆମକୁ ମନେରଖିବାକୁ ହେବ ଯେ, କରୋନା ଏବେ ମଧ୍ୟ ସେତିକି ଘାତକ ଯେତିକି ଆରମ୍ଭରେ ଥିଲା। ତେଣୁ ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ମୁହଁରେ ମାସ୍କ ପିନ୍ଧିବା କିମ୍ବା ଗାମୁଛା ବ୍ୟବହାର କରିବା, ଦୁଇଗଜ ଦୂରତା ରକ୍ଷା କରିବା, ବାରମ୍ବାର ହାତ ଧୋଇବା, କେଉଁଠି ବି ଛେପ ନ ପକାଇବା, ସ୍ୱଚ୍ଛତା ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା କରୋନାଠାରୁ ରକ୍ଷା ପାଇବା ପାଇଁ ଏସବୁ ହିଁ ଆମର ଅସ୍ତ୍ର। ବେଳେବେଳେ ମାସ୍କ ଆମକୁ ଅଡୁଆ ଲାଗେ। ମୁହଁରୁ ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ। କଥାବାର୍ତ୍ତା କରିବା ସମୟରେ ଯେତେବେଳେ କି ମାସ୍କ ପିନ୍ଧିବା ନିହାତି ଆବଶ୍ୟକ, ସେତେବେଳେ ଆମେ ମାସ୍କ କାଢ଼ିଦେଇଥାଉ। ଏଭଳି ସମୟରେ ମୋର ଆପଣମାନଙ୍କୁ ଅନୁରୋଧ – ଯେତେବେଳେ ମାସ୍କକୁ ନେଇ ଆପଣ ଅସୁବିଧା ଅନୁଭବ କରନ୍ତି, ମାସ୍କ କାଢ଼ିଦେବାକୁ ଇଚ୍ଛାହୁଏ, ସେତେବେଳେ ମୁହୂର୍ତ୍ତକ ପାଇଁ ସେହି ଡାକ୍ତରମାନଙ୍କ କଥା ମନେ ପକାନ୍ତୁ, ସେହି ନର୍ସମାନଙ୍କ କଥା ମନେପକାନ୍ତୁ, ଆମର ସେହି କରୋନା ଯୋଦ୍ଧାମାନଙ୍କ କଥା ମନେପକାନ୍ତୁ। ଆପଣମାନେ ଲକ୍ଷ୍ୟ କରିବେ ଯେ, ସେମାନେ ଘଣ୍ଟା ଘଣ୍ଟା ଧରି ମାସ୍କ ପିନ୍ଧି ଅନବରତ ଭାବେ ଆମମାନଙ୍କ ଜୀବନ ରକ୍ଷା କରିବାରେ ଲାଗିରହୁଛନ୍ତି । ଆଠ-ଦଶ ଘଣ୍ଟା ଧରି ମାସ୍କ ପିନ୍ଧିରଖୁଛନ୍ତି। ସେମାନଙ୍କୁ କ’ଣ ଅସୁବିଧା ହେଉନଥିବ? ତାଙ୍କ କଥା ଟିକିଏ ମନେ ପକାଇଦେଲେ ଆପଣ ମଧ୍ୟ ଅନୁଭବ କରିବେ ଯେ, ଜଣେ ନାଗରିକ ହିସାବରେ ଆମେ ନିଜେ କିମ୍ବା ଅନ୍ୟମାନେ ଏଥିରେ ଟିକିଏ ହେଲେ ଢିଲା ଦେବା ଉଚିତ ନୁହେଁ।

ଏକପକ୍ଷରେ ଆମକୁ ସମ୍ପୂର୍ଣ୍ଣ ସଚେତନତା ଏବଂ ସାବଧାନତା ସହ କରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରଖିବାକୁ ଅଛି। ଅପରପକ୍ଷରେ କଠିନ ପରିଶ୍ରମ ଦ୍ୱାରା ବ୍ୟବସାୟ, ଚାକିରି, ଅଧ୍ୟୟନ, ଯାହାକି ଆମର କର୍ତ୍ତବ୍ୟ ତାହାକୁ ଗତିଶୀଳ କରିବାକୁ ହେବ। ତାହାକୁ ଉନ୍ନତିର ନୂତନ ଶିଖରକୁ ନେଇଯିବାକୁ ହେବ। ବନ୍ଧୁଗଣ, କରୋନା କାଳରେ ତ ଆମର ଗ୍ରାମାଂଚଳ ସମଗ୍ର ଦେଶକୁ ଗୋଟିଏ ନୂତନ ଦିଗ ପ୍ରଦର୍ଶିତ କରିଛି। ଗାଁରୁ ସ୍ଥାନୀୟ ନାଗରିକମାନଙ୍କର, ଗ୍ରାମପଞ୍ଚାୟତ ମାନଙ୍କର ଭଲକାମ ସବୁ ଅନବରତ ଭାବେ ସାମ୍ନାକୁ ଆସୁଛି। 

ଏଥର ୧୫ଅଗଷ୍ଟ ମଧ୍ୟ ଭିନ୍ନ ପରିସ୍ଥିତିରେ ହେବ  କରୋନା ମହାମାରୀର ଏହି ବିପର୍ଯ୍ୟୟ ସମୟ ଭିତରେ ହେବ।ମୋର, ନିଜ ଯୁବବନ୍ଧୁମାନଙ୍କୁ, ସମସ୍ତ ଦେଶବାସୀଙ୍କୁ ଅନୁରୋଧ ଯେ ଆମେ ସ୍ୱାଧୀନତା ଦିବସରେ ମହାମାରୀରୁ ମୁକ୍ତି ପାଇଁ ସଂକଳ୍ପ ନେବା, ଆତ୍ମନିର୍ଭର ଭାରତର ସଂକଳ୍ପ ନେବା, କିଛି ନୂଆ ଶିଖିବା ଓ ଶିଖାଇବାର ସଂକଳ୍ପ ନେବା, ନିଜ କର୍ତ୍ତବ୍ୟ ପାଳନ କରିବାର ସଂକଳ୍ପ ନେବା।

Share this: