ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପିଏମ ମତ୍ସ୍ୟ ସମ୍ପଦ ଯୋଜନାର ଶୁଭାରମ୍ଭ;ଇ-ଗୋପାଳ ଆପ୍‌ ଲଞ୍ଚ

Share this:

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଇ-ଗୋପାଳ ଆପ୍ (e-Gopala) ର ଶୁଭାରମ୍ଭହୋଇଛି। ଏହି ଆପ୍‌ଟି ଏକ ପୂର୍ଣ୍ଣାଙ୍ଗ କିସମ ବିକାଶ ବଜାର ଏବଂ ସୂଚନା ପୋର୍ଟାଲ ଯାହାକୁ ଚାଷୀମାନେ ସିଧାସଳଖ ବ୍ୟବହାର କରିପାରିବେ।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା (Pradhan Mantri Matsya Sampada Yojana-PMMSY) ଦେଶର ମତ୍ସ୍ୟ ଉଦ୍ୟୋଗ କ୍ଷେତ୍ରରେ ନିରନ୍ତର ବିକାଶ ସାଧନ ପାଇଁ ଉଦ୍ଦିଷ୍ଟ ଏକ ଧ୍ୱଜାଧାରୀ କେନ୍ଦ୍ରୀୟ କାର୍ଯ୍ୟକ୍ରମ। ଚଳିତ ଆର୍ଥିକ ବର୍ଷରୁ ୨୦୨୪-୨୫ ପାଞ୍ଚ ବର୍ଷ ମଧ୍ୟରେ ଏହି ଉଦ୍ୟୋଗରେ ୨୦,୦୫୦ କୋଟି ଟଙ୍କା ବିନିଯୋଗ କରିବାର ଲକ୍ଷ୍ୟ ଖାଯାଇଛି। ଆତ୍ମନିର୍ଭର ଭାରତ (Atmanirbhar Bharat)ପ୍ୟାକେଜ ମାଧ୍ୟମରେ ଏହି ଅର୍ଥ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ବିନିଯୋଗ ହେବ। ମତ୍ସ୍ୟ ଉଦ୍ୟୋଗ ପାଇଁ ଏହି ବ୍ୟୟ ଅଟକଳ ଏଯାଏଁ ସର୍ବବୃହତ୍‌। ଏଥିମଧ୍ୟରୁ ୧୨,୩୪୦ କୋଟି ଟଙ୍କା ସାମୁଦ୍ରିକ ଓ ଅନ୍ତର୍ଦେଶୀୟ ମତ୍ସ୍ୟଚାଷ ତଥା ସଂପୃକ୍ତ ହିତାଧିକାରୀଙ୍କ ଉନ୍ନତିକଳ୍ପେ ଖର୍ଚ୍ଚ କରାଯିବ। ଅବଶିଷ୍ଟ ୭,୭୧୦ କୋଟି ଟଙ୍କା ମତ୍ସ୍ୟ ଉଦ୍ୟୋଗରେ ଭିତ୍ତିଭୂମି ବିକାଶ ପାଇଁ ବ୍ୟୟ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, “ ପିସି କଲଚର (psiculture) ସହିତ ଜଡ଼ିତ ଲୋକମାନେ ଏହି ଯୋଜନା ଦ୍ୱାରା ମୁଖ୍ୟତଃ ଉପକୃତ ହେବେ। ଏହା ଆମର ଲକ୍ଷ୍ୟ ଯେ ଆଗାମୀ ୩-୪ ବର୍ଷରେ ଆମେ ଆମର ଉତ୍ପାଦନକୁ ଦ୍ୱିଗୁଣିତ କରିବା ଏବଂ ମତ୍ସ୍ୟ କ୍ଷେତ୍ରକୁ ବୃଦ୍ଧି କରିବା। ”

ଏହି ମତ୍ସ୍ୟ ସଂପଦ ଯୋଜନା ମାଧ୍ୟମରେ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ଅତିରିକ୍ତ ୭୦ ଲକ୍ଷ ଟନ ମାଛ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହାଛଡା ଏହି ସମୟ ମଧ୍ୟରେ ଦେଶର ମାଛ ରପ୍ତାନୀଜନିତ ଆୟ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚାଇବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନାରେ ମତ୍ସ୍ୟଜୀବୀ ଏବଂ ମାଛଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ସହ ମାଛ ଅମଳ ପରବର୍ତ୍ତୀ କ୍ଷତିକୁ ୧୦ ଶତାଂଶ ଭିତରେ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ଏବେ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଉତ୍ପାଦିତ ମାଛ ମଧ୍ୟରୁ ୨୦ ରୁ ୨୫ ଶତାଂଶ ପଚିସଢ଼ି ଯାଉଛି। ମତ୍ସ୍ୟ ଉଦ୍ୟୋଗରେ ପୁଞ୍ଜି ନିବେଶ ବଢିଲେ ଏ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ; ଫଳରେ ଲୋକଙ୍କୁ ରୋଜଗାର ମିଳିପାରିବ।

ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଥିବା ପ୍ରମୁଖ ଅଭାବ ଓ ଅସୁବିଧା ଦୂର କରିବା ପାଇଁ ଉଦ୍ଦିଷ୍ଟ। ଉତ୍ପାଦନ ବୃଦ୍ଧି, ଉତ୍ପାଦିତ ସାମଗ୍ରୀର ମାନ, ଟେକ୍ନୋଲଜିର ପ୍ରୟୋଗ, ମାଛଧରା ପରବର୍ତ୍ତୀ ସଂରକ୍ଷଣ ନିମନ୍ତେ ତାହାର ପରିଚାଳନା, ଏହି କ୍ଷେତ୍ରର ଆଧୁନିକୀକରଣ ଏବଂ ଭ୍ୟାଲୁଚେନ ପ୍ରତିଷ୍ଠା ଆଦି ଉପରେ ଏହି ଯୋଜନା ଗୁରୁତ୍ୱ ଦେଉଛି। ଏହି ଯୋଜନାରେ ପ୍ରାଥମିକଭାବେ କ୍ଳଷ୍ଟର ବା ଅଞ୍ଚଳଭିତ୍ତିକ ପଦକ୍ଷେପ ଗ୍ରହଣ କରାଯିବ। ଏଥିରେ ଯୋଗାଯୋଗ ସୁବିଧା ଥିବା ଉପଯୁକ୍ତ ଅଞ୍ଚଳ ବାଛି ସେଠାରେ ମାଛଚାଷ କ୍ଲଷ୍ଟରମାନ ତିଆରି ହେବ। ସିୱିଡ୍‌ ଓ ଅର୍ଣ୍ଣାମେଣ୍ଟାଲ ଫିସ୍‌ (Seaweed and Ornamental Fish) ଚାଷ କରାଯାଇ ସେଥିରେ ଲୋକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯିବ। ଏହିସବୁ ଚାଷ ପାଇଁ ମତ୍ସ୍ୟ ଚାଷୀ ଯେପରି ଉତ୍ତମମାନର ବିହନ, ମାଛଖାଦ୍ୟ, ବିପଣନ ଓ ଅନ୍ୟାନ୍ୟ ସୁବିଧା ପାଆନ୍ତି ତାହା ସୁନିଶ୍ଚିତ ହେବ।

ବର୍ତ୍ତମାନ ସୁଦ୍ଧା ପ୍ରଧାନମନ୍ତ୍ରୀ ମତ୍ସ୍ୟ ସଂପଦ ଯୋଜନାରେ ମତ୍ସ୍ୟ ବିଭାଗ ୨୧ ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପ୍ରଥମ ପର୍ଯ୍ୟାୟରେ ୧,୭୨୩ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛି। ଯେଉଁସବୁ ପ୍ରକଳ୍ପରେ ରୋଜଗାର ବୃଦ୍ଧିର ସୁଯୋଗ ରହିଛି ସେସବୁକୁ ଅଗ୍ରାଧିକାର ଦିଆଯାଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ଇ-ଗୋପାଳ ଆପ୍‌ କୁ ଲଞ୍ଚ କରିଛନ୍ତି। ଉତ୍ତମ କିସମର ପଶୁପକ୍ଷୀ ପାଳନ ପାଇଁ ଚାଷୀଙ୍କୁ ଆବଶ୍ୟକ ସୁବିଧା ଓ ତଥ୍ୟାବଳୀ ଯୋଗାଇ ଦେବାକୁ ଇ-ଗୋପାଳ ଆପ୍‌ର ପରିକଳ୍ପନା କରାଯାଇଛି। ଏଥିରେ ରୋଗମୁକ୍ତ ବିଭିନ୍ନ ପ୍ରକାର ପଶୁପକ୍ଷୀ ଓ ମାଛଙ୍କ ଜର୍ମ ପ୍ଲାଜମା ଯଥା ଶୁକ୍ର, ଭ୍ରୂଣ ଆଦି ଚିହ୍ନଟ କରି କିଣିବା ପାଇଁ ଚାଷୀଙ୍କ ପାଖରେ ଏଯାଏଁ କୌଣସି ସୁବିଧା ନ ଥିଲା। ଏଥିପାଇଁ ଇ-ଗୋପାଳ ଆପ୍‌ ପ୍ରସ୍ତୁତ କରାଯାଇଛି। ଏହା ଏକ ସୂଚନା ପୋର୍ଟାଲ ଯାହାକୁ ଚାଷୀମାନେ ସିଧାସଳଖ ବ୍ୟବହାର କରି ନିଜ ମନ ପସନ୍ଦର ପ୍ରଜାତିର ପଶୁପକ୍ଷୀ କିଣିପାରିବେ। ବସ୍ତୁତଃ ଏହା ଏକ ଇ-ମାର୍କେଟ(e-Market)। ଆହୁରି ମଧ୍ୟ କୃତ୍ରିମ ପ୍ରଜନନ, ଉନ୍ନତମାନର ପ୍ରଜାତି ସୃଷ୍ଟି ପାଇଁ ସଙ୍ଗମ, ପ୍ରାଥମିକ ଚିକିତ୍ସା ସୁବିଧା, ଟିକାଦାନ, ଚିକିତ୍ସା ଆଦି ସମସ୍ତ ବିଷୟରେ ଚାଷୀଙ୍କୁ ତଥ୍ୟ ମିଳିପାରିବ। ଗୃହପାଳିତ ପଶୁପକ୍ଷୀଙ୍କୁ କେତେବେଳେ କେଉଁ ଔଷଧ ଦିଆଯିବ ଏବଂ ସେମାନଙ୍କର କିପରି ଯତ୍ନ ନିଆଯିବ ସେ ସଂକ୍ରାନ୍ତ ସମସ୍ତ ତଥ୍ୟ ଏହି ଆପ୍‌ରେ ଉପଲବ୍ଧ ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଲକଡାଉନ୍ ସମୟରେ ଏବଂ କରୋନା ଭାଇରସ୍ (Covid -19) ବ୍ୟାପିବା ସମୟରେ କୃଷକମାନେ ଦେଶକୁ ଖାଦ୍ୟ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Also Read:

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ନୂଆ ସୁବିଧା ଏବେ ଉପଲବ୍ଧ

ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଶୈଳିରେ ଉନ୍ନତି ଆଣିବା ମୋଦୀ ସରକାରଙ୍କ ପ୍ରାଥମିକତା

Share this: