ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାରେ ନୂଆ ସୁବିଧା ଏବେ ଉପଲବ୍ଧ

Share this:

ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରଣାଳୟ ଦେଶର ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ବଞ୍ଚିତ, ଅବହେଳିତ ଓ ଉପେକ୍ଷିତ ବର୍ଗଙ୍କୁ ସମାବେଶୀ ଆର୍ଥିକ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ସମସ୍ତ ସୁବିଧା ଯୋଗାଇ ଦେବାକୁ ବଦ୍ଧପରିକର। ଏହି ବର୍ଗର ଲୋକମାନଙ୍କୁ ବ୍ୟାଙ୍କ (Bank) ପରିସରକୁ ଆଣି ସେମାନଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ସାମିଲ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଲା ଏହି ବର୍ଗର ଲୋକଙ୍କୁ ଲାଭଖୋର ସାହୁକାର ଓ ସୁଧ କାରବାର କରୁଥିବା ବ୍ୟକ୍ତିଙ୍କଠାରୁ ସୁରକ୍ଷିତ ରଖିବା। ଆହୁରି ମଧ୍ୟ ଯେଉଁମାନେ ପ୍ରବାସରେ କାମ କରୁଛନ୍ତି ସେମାନେ ସିଧାସଳଖ ବ୍ୟାଙ୍କ ମାଧ୍ୟମରେ ଟଙ୍କା ପଠାଇବାର ସୁବିଧା ପାଉଛନ୍ତି ଏବଂ ସଂପୃକ୍ତ ଅର୍ଥ ନିରାପଦରେ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରୁଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ବିଶ୍ୱର ସର୍ବବୃହତ ଆର୍ଥିକ ସମାବେଶୀ କାର୍ଯ୍ୟକ୍ରମ।

୨୦୧୪ ଅଗଷ୍ଟ ୧୫ ଭାଷଣରେ ପ୍ରଧାନମନ୍ତ୍ରୀ ଏହି ଜନଧନ ଯୋଜନା ବିଷୟରେ ଘୋଷଣା କରିଥିଲେ। ଏହା ପରେ ସେହିବର୍ଷ ଅଗଷ୍ଟ ୨୮ ରୁ ଏହା କାର୍ଯ୍ୟକାରୀ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ବିଷଚକ୍ରରୁ ଗରିବଙ୍କୁ ମୁକ୍ତିଭାବେ ବର୍ଣ୍ଣନା କରି ଏକ ଉତ୍ସବଭାବେ ପାଳନ କରାଯିବା ଉଚିତ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏହାର ଗୁରୁତ୍ୱ ସଂପର୍କରେ କହିଛନ୍ତି। ସେ କହିଛନ୍ତି ଯେ ଏହା ମୋଦୀ ସରକାରଙ୍କ ଲୋକକୈନ୍ଦ୍ରିକ ଅର୍ଥନୈତିକ ପ୍ରୟାସର ଆଧାରଶିଳା। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ହେଉ କିମ୍ବା କୋଭିଡ୍‌-୧୯ ( Covid-19 )ର ଆର୍ଥିକ ସହାୟତା, ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହେଉ କିମ୍ବା ଏମ୍‌ଜିନରେଗାର ବର୍ଦ୍ଧିତ ମଜୁରି ଅଥବା ଜୀବନ ଓ ସ୍ୱାସ୍ଥ୍ୟବୀମା ଯୋଜନା କିମ୍ବା ଅନ୍ୟ ଯେକୌଣସି କାର୍ଯ୍ୟ ହେଉ ଏ ସମସ୍ତ କ୍ଷେତ୍ରରେ ପ୍ରଥମ ଆବଶ୍ୟକତା ଭାବରେ ଲୋକମାନଙ୍କୁ ବ୍ୟାଙ୍କ ଆକାଉଣ୍ଟ ସୁବିଧା ଯୋଗାଇଦେବାର ବ୍ୟବସ୍ଥା କରାଯାଇଛି। ସବୁ ଯୋଗ୍ୟ ବ୍ୟକ୍ତିବିଶେଷଙ୍କୁ ବ୍ୟାଙ୍କ ଆକାଉଣ୍ଟ ସୁବିଧା ଯୋଗାଇଦେବା ପ୍ରାୟ ଶେଷହେବା ଉପରେ ବୋଲି ସେ କହିଛନ୍ତି।

ଏହି ବ୍ୟବସ୍ଥାରେ ୪୦ କୋଟିରୁ ଅଧିକ ଲୋକଙ୍କୁ ବ୍ୟାଙ୍କ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇଛି। ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଗ୍ରାମାଞ୍ଚଳର ଅଧିବାସୀ। ଆଜିର ଏହି କରୋନା ମହାମାରୀ ସମୟରେ ବିଭିନ୍ନ ସରକାରୀ ଯୋଜନାର ଲାଭ ପ୍ରେରଣ କ୍ଷେତ୍ରରେ ଡିବିଟି ବ୍ୟବସ୍ଥା ବେଶ ସହାୟକ ହୋଇଛି ଏବଂ ହିତାଧିକାରୀମାନଙ୍କୁ ଏହା ସମର୍ଥ କରିଛି। ସମାଜର ଦୁର୍ବଳ ଓ ଅବହେଳିତ ବର୍ଗ ଏହାଦ୍ୱାରା ବିଶେଷ ଉପକୃତ ହୋଇଛନ୍ତି। ଜନଧନ ଯୋଜନା ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ପ୍ରତିଟି ଟଙ୍କା ପହଞ୍ଚାଇବାରେ ଏକ ନିଶ୍ଚିତ ମାଧ୍ୟମ ହୋଇଛି। ଏହାଫଳରେ ସରକାରୀ ଅର୍ଥ ବାଟମାରଣା ବନ୍ଦ ହୋଇଯାଇଛି।

 ଜନଧନ ଯୋଜନା ନିମ୍ନଲିଖିତ ୬ ଟି ସ୍ତମ୍ଭ ଉପରେ ଗଢି ଉଠିଛି। ସେଗୁଡିକ ହେଲା,

  • ବ୍ୟାଙ୍କ ସେବା ପାଇଁ ସାର୍ବଜନୀନ ସୁବିଧା- ବ୍ରାଞ୍ଚ ଓ ବିସି
  • ମୌଳିକ ଜମାଖାତା ସହିତ ପ୍ରତ୍ୟେକ ପରିବାର ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା।
  • ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ- ସଞ୍ଚୟକୁ ପ୍ରୋତ୍ସାହନ, ଏଟିଏମର ବ୍ୟବହାର, ଋଣ ସୁବିଧାର ଉପଯୋଗ, ବୀମା ଓ ପେନସନ ସୁବିଧା ଏବଂ ବ୍ୟାଙ୍କିଙ୍ଗ ପାଇଁ ବେସିକ୍‌ ମୋବାଇଲ ଫୋନ ବ୍ୟବହାର।
  • କ୍ରେଡିଟ ଗ୍ୟାରେଣ୍ଟି ଫଣ୍ଡ ସୃଷ୍ଟି- ସମ୍ଭାବ୍ୟ ତ୍ରୁଟି ପାଇଁ ବ୍ୟାଙ୍କକୁ କିଛି ଗ୍ୟାରେଣ୍ଟି ପ୍ରଦାନ।
  • ବୀମା- ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ସୁବିଧା ଓ ଜୀବନ ବୀମା ପାଇଁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ବୀମା ସୁବିଧା। ଏହି ସୁବିଧା୨୦୧୪ ଅଗଷ୍ଟ ୧୫ ରୁ ୩୧ ଜାନୁୟାରୀ ୨୦୧୫ ମଧ୍ୟରେ ଖୋଲିଥିବା ବ୍ୟାଙ୍କ ଖାତା ପାଇଁ ଉପଲବ୍‌ଧ।
  • ଅସଂଗଠିତ କ୍ଷେତ୍ର ପାଇଁ ପେନସନ ଯୋଜନା।

ନୂଆ ସୁବିଧା ସହ ଯୋଜନାର ସଂପ୍ରସାରଣ

କେନ୍ଦ୍ର ସରକାର ୨୦୧୮ ଅଗଷ୍ଟ ୨୮ ତାରିଖଠାରୁ ଏହି ଯୋଜନାରେ କେତେକ ନୂଆ ସୁବିଧା ଯୋଡି ଏହାର ସଂପ୍ରସାରଣ ବ୍ୟବସ୍ଥା କରିଛନ୍ତି। ସେଗୁଡିକ ନିମ୍ନରେ ଦିଆଯାଇଛି

  • ପ୍ରତ୍ୟେକ ଘର ପରିବର୍ତ୍ତେ ଏବେ ବ୍ୟାଙ୍କ ସୁବିଧା ପାଇନଥିବା ପ୍ରତ୍ୟେକ ବ୍ୟକ୍ତି ଉପରେ ଗୁରୁତ୍ୱ ଦିଆଯାଉଛି।
  • ରୁପେ କାର୍ଡ ଇନ୍‌ସୁରାନ୍ସ ବ୍ୟବସ୍ଥାରେ ମାଗଣା ଦୁର୍ଘଟଣା ବୀମା ସୁବିଧା ଯୋଗାଇ ଦିଆଯାଉଛି। ୨୦୧୮ ଅଗଷ୍ଟ ୨୮ ପରେ ଖୋଲାଯାଇଥିବା ଖାତା ଉପରେ ଏହି ବୀମା ସୁବିଧା ଏକଲକ୍ଷରୁ ଦୁଇ ଲକ୍ଷକୁ ବୃଦ୍ଧି କରାଯାଇଛି।
  • ଓଭରଡ୍ରାଫ୍ଟର ( Overdraft ) ସୁବିଧା ପରିସର ବୃଦ୍ଧି କରାଯାଇଛି। ଓଡି ଲିମିଟ ୫ ହଜାରରୁ ୧୦ ହଜାର ଟଙ୍କା କରାଯାଇଛି, ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ଓଡି ପାଇଁ କୌଣସି ସର୍ତ୍ତ ନାହିଁ। ଓଡି ପାଇଁ ସର୍ବୋଚ୍ଚ ବୟସ ସୀମା ୬୦ ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି।

ଡିଜିଟାଲ ପେମେଣ୍ଟ( Digital Payment )କୁ ପ୍ରୋତ୍ସାହିତ କରାଯାଉଛି ଏବଂ ଜନଧନ ହିତାଧିକାରୀଙ୍କୁ ରୁପେ ଡେବିଟ କାର୍ଡ ମାଧ୍ୟମରେ ଅଧିକ କାରବାର କରିବା ପାଇଁ ଅନୁପ୍ରାଣିତ କରାଯାଉଛି। ଏଥିପାଇଁ ସମଗ୍ର ଦେଶରେ ମଧ୍ୟ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ କାମ ଚାଲିଛି। ଫ୍ଲେକ୍ସି ରିକରିଂ ଡିପୋଜିଟ ଭଳି ମାଇକ୍ରୋ କ୍ରେଡିଟ ଓ ମାଇକ୍ରୋ ଇନ୍‌ଭେଷ୍ଟ ନିମନ୍ତେ ଜନଧନ କାର୍ଡଧାରୀଙ୍କୁ ସୁବିଧା ଯୋଗାଇ ଦେବାକୁ ଉଦ୍ୟମ କରାଯାଉଛି।

Also Read :

Share this: