ପିପିଲି ବିଧାନସଭା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
ଭୁବନେଶ୍ଵର: ପିପିଲି ବିଧାନସଭା ଉପନିର୍ବାଚନ (Pipili Assembly By-Poll) ରେ କଂଗ୍ରେସ (Congress) ପ୍ରାର୍ଥୀ ଶ୍ରୀ ଅଜିତ୍ ମଙ୍ଗରାଜ (Sri Ajit Mangaraj) ଙ୍କ ପରଲୋକ ହୋଇଯାଇଛି। ନିର୍ବାଚନ ପ୍ରଚାର ବେଳେ ସେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ଣରେ ହସ୍ପିଟାଲ୍ ପକ୍ଷରୁ ଅଜିତ ମଙ୍ଗରାଜଙ୍କର ପରଲୋକ ଖବର ଦିଆଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଥିବା ଶ୍ରୀ ମଙ୍ଗରାଜ ଡେଲାଙ୍ଗ ଅଞ୍ଚଳର ଜଣେ ଲୋକପ୍ରିୟ ନେତା ଥିଲେ। ତାଙ୍କର ବିୟୋଗରେ ସେଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ହସ୍ପିଟାଲ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ସେ କରୋନାରେ ଗୁରୁତର ଆକ୍ରାନ୍ତ ଥିଲେ।ପରେ ତାଙ୍କୁ କୋଭିଡ୍ ଆଇସିୟୁରେ ରଖାଯାଇ ଏକ ବିଶେଷଜ୍ଞ ଦଳ ଦ୍ଵାରା ଚିକିତ୍ସା କରାଯାଉଥିଲା। ସଂକଟାପନ୍ନ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା।
ଶ୍ରୀ ମଙ୍ଗରାଜଙ୍କ ବିୟୋଗରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ପ୍ରମୁଖ ଶୋକପ୍ରକାଶ କରିଛନ୍ତି।
ବରିଷ୍ଠ କଂଗ୍ରେସ ନେତା ତଥା ପିପିଲି ବିଧାନସଭା ଉପନିର୍ବାଚନ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତରେ ମାନ୍ୟବର ରାଜ୍ୟପାଳ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
— Governor Odisha (@GovernorOdisha) April 14, 2021
ଓଁ ଶାନ୍ତି 🙏🙏
ପିପିଲି ବିଧାନସଭା ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
— Naveen Patnaik (@Naveen_Odisha) April 14, 2021
ପିପିଲି ଉପନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ।ରାଜନୈତିକ ଜୀବନରେ ତାଙ୍କର ଅବଦାନ ସ୍ମରଣୀୟ ହୋଇରହିବ। ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରୁଛି।
— Dharmendra Pradhan (@dpradhanbjp) April 14, 2021