Loan: ଜରୁରୀକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନାର ସମୟସୀମା ଆଉ ଏକ ମାସ ବଢାଇଲେ ସରକାର

Share this:

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜରୁରୀକାଳୀନ ଋଣ ଯୋଗାଣ ଗ୍ୟାରେଣ୍ଟି ଯୋଜନା (ECLGS) ର ମିଆଦକୁ ଆଉଏକ ମାସ ପାଇଁ ବଢାଇ ଦେଇଛନ୍ତି। ଏହା ଚଳିତ ନଭେମ୍ବର ମାସ ୩୦ ତାରିଖ ଯାଏଁ କିମ୍ବା ଏହି ଯୋଜନାରେ ୩ ଲକ୍ଷ କୋଟି ଟଙ୍କାରୁ ଅଧିକ ଋଣ ମଞ୍ଜୁର ହେବା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏ କ୍ଷେତ୍ରରେ ପରିବର୍ଦ୍ଧିତ ସମୟର ମିଆଦ ଓ ଋଣ ମଞ୍ଜୁରି ମଧ୍ୟରୁ ଯେଉଁଟି ଆଗ ହେବ ତାହାକୁ ଗ୍ରହଣ କରାଯିବ। ପ୍ରଚଳିତ ପାର୍ବଣ ଋତୁରେ ଦେଶର ଅର୍ଥନୀତିର ବିଭିନ୍ନ କ୍ଷେତ୍ର ଏବେ କ୍ରମଶଃ ଉନ୍ମୁକ୍ତ ହେଉଛି ଏବଂ ଋଣ ଚାହିଦା ଅଧିକରୁ ଅଧିକ ବଢୁଛି। ତାହାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ସମୟ ମିଆଦ ସଂପ୍ରସାରଣ ଫଳରେ ଯେଉଁସବୁ ଆଗ୍ରହୀ ବ୍ୟକ୍ତି ସଂପୃକ୍ତ ଯୋଜନାରେ ଏ ପର୍ଯ୍ୟନ୍ତ ଋଣ ନେଇନାହାନ୍ତି ସେମାନେ ଏହାର ସୁଯୋଗ ନେଇପାରିବେ।

ଇସିଏଲ୍‌ଜି ଯୋଜନାକୁ ଆତ୍ମନିର୍ଭର ଭାରତ ପ୍ୟାକେଜର ଏକ ଅଂଶଭାବେ କେନ୍ଦ୍ର ସରକାର  ଘୋଷଣା କରିଥିଲେ। ଏମ୍‌ଏସ୍‌ଏମ୍‌ଇ (MSME), ବ୍ୟବସାୟ ଉଦ୍ୟୋଗ, ବ୍ୟବସାୟ ପାଇଁ ବ୍ୟକ୍ତିଗତ ଋଣ (Personal Loan) ଏବଂ ମୁଦ୍ରା ଋଣକାରୀଙ୍କୁ ବିନା ବନ୍ଧକରେ ଅତିରିକ୍ତ ଋଣ ଗ୍ୟାରେଣ୍ଟି ଯୋଗାଇଦେବା ଏହି ଯୋଜନାର ଲକ୍ଷ୍ୟ। ଏ କ୍ଷେତ୍ରରେ ସରକାର ଗ୍ୟାରେଣ୍ଟରଭାବେ କାର୍ଯ୍ୟ କରୁଛନ୍ତି। ଯେଉଁମାନେ ଋଣ ନେଇଛନ୍ତି ସେମାନେ ତାହା ୨୯ ଫେବୃୟାରୀ ୨୦୨୦ ସୁଦ୍ଧା ଯଦି ପରିଶୋଧ କରି ନ ଥିବେ, ସେହି ବକେୟା ଋଣର ୨୦ ଶତାଂଶ ହିସାବରେ ଏହି ଅତିରିକ୍ତ ଋଣ ଯୋଗାଣର ବ୍ୟବସ୍ଥା ଏହି ଯୋଜନାରେ କରାଯାଇଛି। ସେହିଭଳି ଯେଉଁ ଋଣକାରୀଙ୍କ ଉପରେ ୫୦ କୋଟିରୁ ଅଧିକ ଟଙ୍କାର ଋଣ ୨୯ ଫେବୃୟାରୀ ୨୦୨୦ ସୁଦ୍ଧା ଥିବ ଏବଂ ସେମାନଙ୍କର ବାର୍ଷିକ କାରବାର ୨୫୦ କୋଟି ଟଙ୍କା ହେଉଥିବ, ଏହି ଯୋଜନାରେ ସେମାନେ ମଧ୍ୟ ଅତିରିକ୍ତ ଋଣ ସହାୟତା ପାଇପାରିବେ। ଇସିଏଲ୍‌ଜି ଯୋଜନାରେ ସୁଧ ହାର ବ୍ୟାଙ୍କ ଓ ବିତ୍ତୀୟ ଅନୁଷ୍ଠାନଗୁଡିକ ପାଇଁ ୯.୨୫ ଶତାଂଶ ଧାର୍ଯ୍ୟ କରାଯାଇଛି। ଅର୍ଥାତ୍‌ ଏମାନେ ୯.୨୫ ଶତାଂଶ ସୁଧରେ ଋଣ ଯୋଗାଇ ଦେବେ। ତେବେ ଅଣବ୍ୟାଙ୍କିଙ୍ଗ ବିତ୍ତୀୟ ସଂସ୍ଥାଗୁଡିକ ହିତାଧିକାରୀଙ୍କୁ ୧୪ ଶତାଂଶ ସୁଧ ହାରରେ ଋଣ ଯୋଗାଇବେ। ଏହି ଯୋଜନାରେ ୪ ବର୍ଷ ପାଇଁ ଋଣ ପ୍ରଦାନର ବ୍ୟବସ୍ଥା ରହିଛି ଏବଂ ଏକ ବର୍ଷ ପର୍ଯ୍ୟନ୍ତ ମୂଳଧନ ପରିଶୋଧ କରିବାକୁ ପଡିବ ନାହିଁ।

ଇସିଏଲ୍‌ଜି ପୋର୍ଟାଲରେ ଋଣ ଯୋଗାଣକାରୀ ସଂସ୍ଥାଗୁଡିକ ଦ୍ୱାରା ଅପ୍‌ଲୋଡ ହୋଇଥିବା ତଥ୍ୟ ଅନୁସାରେ ଏ ପର୍ଯ୍ୟନ୍ତ ଏହି ଯୋଜନାରେ ୬୦.୬୭ ଲକ୍ଷ ଆବେଦନକାରୀଙ୍କ ନିମନ୍ତେ ୨.୦୩ ଲକ୍ଷ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଛି। ଏହାଛଡା ଏ ପର୍ଯ୍ୟନ୍ତ ଏହି ଯୋଜନାରେ ୧.୪୮ ଲକ୍ଷ କୋଟି ଟଙ୍କା ହିତାଧିକାରୀଙ୍କୁ ଋଣ ଆକାରରେ ଯୋଗାଇ ଦିଆଯାଇଛି।

Also Read | Odisha By-Election: ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମ୍ପନ୍ନ

Share this:

Leave a Reply

Your email address will not be published. Required fields are marked *