Odisha:ରାଜ୍ୟ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଉ; ଅନ୍ୟ ରାଜ୍ୟରେ ୪୫ ବର୍ଷ, ଓଡ଼ିଶାରେ ୩୨

Share this:

ଭୁବନେଶ୍ୱର (ମହିମା ଲାଇଭ ବ୍ୟୁରୋ): ଓଡ଼ିଶାରେ ସରକାରୀ ନିଯୁକ୍ତି ସଙ୍କୁଚିତ ହୋଇଥିବାବେଳେ ବହୁ  ମେଧାବୀ ଛାତ୍ରଛାତ୍ରୀ ବୟସ ସୀମା ପାର ହୋଇଯାଉଥିବାରୁ ନିଜ ମନପସନ୍ଦର ଚାକିରିଟିଏ ପାଇପାରୁନାହାନ୍ତି। ରାଜ୍ୟରେ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଅଛି। କିନ୍ତୁ ଅନ୍ୟ ରାଜ୍ୟରେ ୪୫ ବର୍ଷ ଅଛି।

ବର୍ତ୍ତମାନ  ସାମାଜିକ ଓ ଅର୍ଥନୈତିକ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଚାକିରି ଉପଯୋଗୀ ପାଠ୍ୟକ୍ରମ ସାରିବାବେଳକୁ ଚାକିରି ବୟସ ୩୨ ବର୍ଷ ଅତିକ୍ରାନ୍ତ ହୋଇଯାଇଛି। ଅନେକ ନିଜେ ଅର୍ଥ ଉପାର୍ଜନ କରି ପାଠ ପଢୁଥିବାବେଳେ ବାରମ୍ବାର ପ୍ରତିଯୋଗିତାମୂଳକ ପରୀକ୍ଷା ଦେବାକୁ ପଡ଼ୁଛି। ଓଡ଼ିଶା ସରକାର ନିୟମିତ ଭାବେ ନିଯୁକ୍ତି ଦେଇପାରୁନାହାନ୍ତି। ଯଦି କେବେ ନିଯୁକ୍ତି ବିଜ୍ଞାପନ ବାହାରୁଛି ନିଯୁକ୍ତି ପାଉ ପାଉ ୫ ବର୍ଷରୁ ଉର୍ଦ୍ଧ ବିତିଯାଉଛି। ତା’ପୁଣି ଅଳ୍ପ ପୋଷ୍ଟ। ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଚାକିରି ଦିଆଯାଇ ପାରୁନଥିବାରୁ ସେମାନେ ବେକାର ହେଉଛନ୍ତି। ବୟସ ଗଡ଼ିଯାଉଛି।

ଭାରତର  ଅନ୍ୟ ରାଜ୍ୟ ସରକାରୀ ଚାକିରି ପାଇଁ ଆଶାୟୀ ପ୍ରାର୍ଥୀଙ୍କ ସର୍ବୋଚ୍ଚ ବୟସ ସୀମା ବଢ଼ାଇଛନ୍ତି। ପଶ୍ଚିମବଙ୍ଗ ,ରାଜସ୍ଥାନ, ହରିୟାଣା, ତ୍ରିପୁରା, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ,ମହାରାଷ୍ଟ୍ର ,ଛତିଶଡ଼ ସରକାର ସର୍ବୋଚ୍ଚ ବୟସ ସୀମାକୁ ୪୨ ବର୍ଷ ପର୍ଯ୍ୟନ୍ତ ବଢ଼ାଇଥିବାବେଳେ ଗୋଆ ସରକାର ୪୫, ତେଲଙ୍ଗାନା ୪୪, ଉତ୍ତରାଖଣ୍ଡ ଓ ଆନ୍ଧ୍ରପ୍ରଦେଶ ସରକାର ୪୨ ବର୍ଷକୁ ବୃଦ୍ଧି କରିଛନ୍ତି। ଏସବୁ ରାଜ୍ୟରେ ୧୦ରୁ ୧୨ ବର୍ଷ ପର୍ଯ୍ୟନ୍ତ ବୟସ ସୀମା ବଢ଼ାଯାଇଥିବାବେଳେ ଓଡ଼ିଶା ସରକାର ମଧ୍ୟ ଏଭଳି ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ବର୍ତ୍ତମାନ ଆମ ଦେଶରେ ଲୋକଙ୍କର ହାରାହାରି ପରମାୟୁ ପୂର୍ବଅପେକ୍ଷା ବଢ଼ି ପ୍ରାୟ ୭୦ ବର୍ଷରେ ପହଞ୍ଚିଲାଣି। ତେଣୁ ଚାକିରି ପାଇଁ ବୟସ ସୀମା ବଢ଼ାଇବାର ଦାବି କରିବା ଉଚିତ। ଅନ୍ୟ ରାଜ୍ୟ ସରକାରୀ ଚାକିରିର ସର୍ବୋଚ୍ଚ ବୟସ ସୀମାକୁ ଦେଖିଲେ ଆମ ରାଜ୍ୟରେ ବହୁତ କମ ଅଛି। ସରକାର ସରକାରୀ ମହାବିଦ୍ୟାଳୟର ଡିଗ୍ରୀ ଅଧ୍ୟାପକ ମାନଙ୍କର ନିଯୁକ୍ତିରେ ସର୍ବୋଚ୍ଚ ବୟସସୀମା ୩୩ ବର୍ଷରୁ ୪୮ବର୍ଷକୁ ବୃଦ୍ଧି କରିଛନ୍ତି।

ଓଡ଼ିଶାରେ ସରକାରୀ ଚାକିରି ବୟସ ବୃଦ୍ଧି ପାଇଁ ଦାବି ବହୁତ ଦିନରୁ ହେଉଛି। ତେବେ ସରକାର ଏ ଦିଗରେ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଉନାହାନ୍ତି। ଆଶା କରାଯାଏ ସରକାର ଏ ଦିଗରେ ଉଚିତ ପଦକ୍ଷେପ ନେବେ।

◆Mahimalive ବର୍ତ୍ତମାନ ଫେସବୁକରେ ମଧ୍ୟ ଉପଲବ୍ଧ। ଆମର Facebook Official Page (@mahimalivenews) ରେ ଯୋଗଦେବାକୁ Click Here

Also Read |No Interview:୨୩ ଟି ରାଜ୍ୟ ଏବଂ ୮ ଟି କେନ୍ଦ୍ରଶାସିତ ଅଞ୍ଚଳରେ ସରକାରୀ ଚାକିରି ପାଇଁ ଆଉ ସାକ୍ଷାତକାର ପରୀକ୍ଷା ହେବନି

Share this: