Independence Day 2022: ଗତ ୭୫ ବର୍ଷ ମଧ୍ୟରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ମାର୍ଗଦର୍ଶନ କରିଆସିଛି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Share this:

ଭୁବନେଶ୍ଵର: Independence Day 2022 ଆଜି ଓଡ଼ିଶାରେ ଆନନ୍ଦର ସହିତ ୭୬ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ଏହି ସମାରୋରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍‍ରେ ଅଭିବାଦନ ଗ୍ରହଣ କରିଥିଲେ।

ଏହି ସମାରୋହର ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ସ୍ୱାଧୀନତା ସଂଗ୍ରାମୀ ତଥା ଦେଶଲାଗି ଶହୀଦ୍‍ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, ଦେଶ ଆଜାଦିକା ଅମୃତ ମହୋତ୍ସବ ପାଳନ କରୁଛି। ଏହା ଭାରତୀୟ ଭାବେ ଆମମାନଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ଅନେକ କ୍ଷେତ୍ରରେ ରାଜ୍ୟ ଦେଶ ପାଇଁ ମାର୍ଗଦର୍ଶକ ହୋଇଛି। କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ହବ୍ ପାଲଟିଛି। ଶ୍ରୀ ପଟ୍ଟନାୟକ କହିଛନ୍ତି, ଗତ ୭୫ ବର୍ଷ ମଧ୍ୟରେ ଓଡ଼ିଶା ଦେଶକୁ ଅନେକ କ୍ଷେତ୍ରରେ ମାର୍ଗଦର୍ଶନ କରିଆସିଛି। ଖାଦ୍ୟ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ କ୍ରୀଡ଼ା ଭଳି ଅନେକ କ୍ଷେତ୍ରରେ ଓଡ଼ିଶା ନିଜର ପରାକାଷ୍ଠା ଦେଖାଇପାରିଛି। ଏବେ ଓଡ଼ିଶା ଖାଦ୍ୟଶସ୍ୟ ଉଦ୍ଭାବନ କ୍ଷେତ୍ରରେ ଏକ ବଳକା ରାଜ୍ୟଭାବେ ବିବେଚିତ ହୋଇଛି। ସେହିପରି ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କରିବା ଦିଗରେ ଓଡ଼ିଶା ବିଶ୍ୱରେ ଏକ ଆଦର୍ଶ ସୃଷ୍ଟି କରିଛି। ଏହାଛଡ଼ା ରାଜ୍ୟ ଏବେ ଏକ କ୍ରୀଡ଼ା ହବ୍‍ରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ଶିକ୍ଷା ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରୁଛନ୍ତି। ଇତିମଧ୍ୟରେ ରାଜ୍ୟରେ ୩୧୫ଟି ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଛି। ସରକାର ରାଜ୍ୟର ସମସ୍ତ ଜିଲ୍ଲାର ଗ୍ରାମାଞ୍ଚଳ ଭିତ୍ତିଭୂମି ବିକାଶ ସହ ଯୁବବର୍ଗଙ୍କ ଆତ୍ମନିଯୁକ୍ତି ଲାଗି ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଜନଜାତି ବର୍ଗର ଲୋକଙ୍କ କଲ୍ୟାଣ ଦିଗରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆଉ ୨୫ ବର୍ଷ ପରେ ଆମେ ସ୍ବାଧୀନତାର ଶହେବର୍ଷ ପାଳନ କରିବା। ସେଥିପାଇଁ ଆମକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତ ହେବାକୁ ହେବ। ଏହି ସମୟ ମଧ୍ୟରେ ଦେଶର ବିକାଶରେ ଓଡିଶାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିବ। ଆମେ ସମସ୍ତେ  ଯଦି ଦିନର କିଛି ସମୟ ଦେଶ ପାଇଁ ଦେଇପାରିବା ତେବେ ବହୁତ ବଡ଼ ପରିବର୍ତ୍ତନ ଆଣି ପାରିବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ନେଇ ସ୍ୱତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀକୁ ଉଦ୍‍ଘାଟନ କରିଥିଲେ। ଆଜିଠାରୁ ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ପର୍ଯ୍ୟନ୍ତ ଏହା ସାରା ରାଜ୍ୟ ପରିକ୍ରମା କରିବ। ସେହିପରି ‘ଅହିଂସା ରଥ’ ର ରାଜ୍ୟବ୍ୟାପୀ ପରିକ୍ରମାର ଶୁଭାରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ଉଲ୍ଲେଖନୀୟ ସେବା ପାଇଁ ପୁଲିସ୍‍ କର୍ମଚାରୀମାନଙ୍କୁ ପୁଲିସ୍‍ ପଦକ ପ୍ରଦାନ କରିଛନ୍ତି। ଦୁଇ ଜଣ ଅଧିକାରୀଙ୍କୁ ସାହସିକତା ପାଇଁ ପୁଲିସ୍‍ ପଦକ ପ୍ରଦାନ କରାଯାଇଛି। ପୁଲିସ୍‍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଭୁବନେଶ୍ୱର ସୁରକ୍ଷା ବିଭାଗର ଭାରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ସରୋଜ କୁମାର ମହାପାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରତି ପୁଲିସ୍‍ ପଦକ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ୧୧ ଜଣ ଓଡ଼ିଶା ପୁଲିସ୍‍ କର୍ମୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁଲିସ୍‍ ପଦକ ପ୍ରଦାନ କରାଯାଇଛି।

Read Also | Independence Day 2022: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ୍‌ କିଲ୍ଲାରୁ କହିଲେ; ଦେଶର ବିକାଶ ପାଇଁ ଆଗାମୀ ୨୫ ବର୍ଷର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *