Odisha Floods Report: ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ, ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ସମୀକ୍ଷା

Share this:

ବାଲେଶ୍ୱର: Odisha Floods Report ଓଡ଼ିଶାରୁ ଯାଇନି ବନ୍ୟା ବିପଦ। ବାଲେଶ୍ୱର (Baleswar) ଜିଲ୍ଲାର ସୁବର୍ଣ୍ଣରେଖା ନଦୀ (Subarnarekha) ରେ ଜଳସ୍ତର ବିପଦ ସଂକେତ ସ୍ତରର ଦେଢ଼ ମିଟର ଉଚ୍ଚରେ ପ୍ରବାହିତ ହେଉଛି। ରାଜଘାଟଠାରେ ନଦୀର ବିପଦ ସଂକେତ ସ୍ତର ୧୦.୩୬ ମିଟର ଥିବା ବେଳେ ସେଠାରେ ଆଜି ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଜଳସ୍ତର ୧୧.୮୪ମିଟର ରହିଛି।

ସୂଚନାଯୋଗ୍ୟ ଗତକାଲି ରାତି ଗୋଟାଏ ରୁ ୧୧.୯୦ମିଟର ପ୍ରବାହିତ ହେଉଥିବା ବନ୍ୟା ଜଳ ଗତ ୧୨ଘଣ୍ଟା ଧରି ସ୍ଥିର ହୋଇ ରହିଛି। କେନ୍ଦ୍ରୀୟ ଜଳ କମିଶନ ପକ୍ଷରୁ କୁହାଯାଇଛି ଆଜି ରାତି ୯ଟା ସୁଦ୍ଧା ଜଳସ୍ତର ୪୦ସେଣ୍ଟି ମିଟର କମି ୧୧.୫୦ମିଟର ସ୍ତରକୁ ଆସିଯିବ। ପାଗ ଅନୁକୂଳ ଓ ସମୁଦ୍ର ଜୁଆରିଆ ନ ଥିବାରୁ ପାଣି କମିବାର ସଂଭାବନା ରହିଛି। ନଦୀ କୂଳବର୍ତ୍ତି ଗାଁ ଲୋକେ ବନ୍ୟାପାଣି ଘେରରେ ଜଳବନ୍ଦୀ ହୋଇ ରହିଛନ୍ତି। ଗ୍ରାମଗୁଡିକୁ ସଂଯୋଗ କରୁଥିବା ବହୁ କଲଭାର୍ଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ବସ୍ତା, ବାଲିଆପାଳ ଜଳେଶ୍ୱର, ଭୋଗରାଇ ବ୍ଲକରେ ପୂର୍ବରୁ କ୍ୟାମ୍ପ ପକାଇଥିବା ଅଗ୍ନିଶମ, ଓଡ୍ରାଫ୍‍, ଏନ୍‍ଡିଆର୍‍ଏଫ୍‍ର ୧୭ ଟି ବାହିନୀ ଉଦ୍ଧାର କାର୍ଯରେ ନିୟୋଜିତ ଅଛନ୍ତି। ବିଭିନ୍ନ ଆଶ୍ରୟ ସ୍ଥଳୀରେ ରହିଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।

ଆଜି ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ବନ୍ୟା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକ ପରେ ସେ କହିଛନ୍ତି ସୁବର୍ଣ୍ଣରେଖା ନଦୀରେ ଗତ ଆଠ ଘଣ୍ଟା ହେବ ବନ୍ୟା ଜଳ ସ୍ଥିର ରହିଛି। ବସ୍ତା, ବାଲିଆପାଳ ସମେତ ତଳିଆ ଅଞ୍ଚଳରେ ପାଣି ପଶିଛି। ସୁବର୍ଣ୍ଣରେଖାରେ କୌଣସି ଘାଇ ହୋଇନାହିଁ। ସେ କହିଛନ୍ତି ଅନ୍ୟ ନଦୀ ଗୁଡ଼ିକରେ ବନ୍ୟା ଜଳ କମିବା ଆରମ୍ଭ ହୋଇଛି। ରାଜ୍ୟ ସରକାର ବନ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶୂନ୍ୟ ମୃତ୍ୟୁ ନୀତିକୁ ନେଇ ସରକାର କାମ କରୁଛନ୍ତି। ଏହି ବୈଠକରେ ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସେହିପରି ଭଦ୍ରକ ଜିଲ୍ଲାର ସାଳନ୍ଦୀ ଓ ବୈତରଣୀ ନଦୀରେ ବନ୍ୟା ଯୋଗୁଁ ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଚାନ୍ଦବାଲି ବ୍ଲକ୍‍ର ତଳିଆ ଅଞ୍ଚଳର ବହୁ ସ୍ଥାନରେ ରାସ୍ତା ଧୋଇଯିବାରୁ ଗମନା ଗମନରେ ସମସ୍ୟା ସୃଷ୍ଟି ହୋଇଛି । ହ୍ରଦଗଡ଼ ଡ୍ୟାମର ୩ଟି ଫାଟକ ଖୋଲାଯାଇଥିବାରୁ ସାଳନ୍ଦୀ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି। ଭଦ୍ରକ ଜିଲ୍ଲା ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରଭାହିତ ହେଉଥିଲେ ମଧ୍ୟ ଲଗାତାର ହ୍ରାସ ପାଉଛି।

ସେହିପରି ପୁରୀ ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ କୁଶଭଦ୍ରା ନଦୀର ଖଣ୍ଡିଆକୁଦ ଠାରେ ଗତ ୪ ଦିନ ତଳେ ହୋଇଥିବା ଘାଇର ମରାମତି କାର୍ଯ୍ୟ ଅବ୍ୟାହତ ରହିଛି। ଏହାର ପ୍ରଭାବରେ ପୁରୀଜିଲ୍ଲା ଗୋପ ବ୍ଲକର ୭ଟି ଗ୍ରାମ ପଞ୍ଚାୟତର ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ଗାଁର ଲୋକେ ଏବେ ବି ଜଳବନ୍ଦୀ ହୋଇ ରହିଛନ୍ତି। ଏହି ବ୍ଲକର ଡଭାର, ରାହାଙ୍ଗଗୋରଡା, ଗଣେଶ୍ୱରପୁର, ଅଣ୍ଡରାଇଚ୍ଛାପୁର, ବେଦପୁର, ଖୋଲମରା, ବନ୍ତଳିଗାଁ ଓ ନାଗପୁର ଆଦି ପଞ୍ଚାୟତ କ୍ଷତିଗ୍ରସ୍ତ ହୋଇଛି। ଏହିସବୁ ପଞ୍ଚାୟତ ଗୁଡିକରେ ଏବେ ବି ପ୍ରାୟ ୪୦ ହଜାର ଲୋକ ଜଳବନ୍ଦୀ ଜୀବନ ବିତାଉଛନ୍ତି। ପ୍ରଶାସନ ପକ୍ଷରୁ ବିଭିନ୍ନ ଗାଁରେ ଚୂଡା,ଗୁଡ ଆଦି ରିଲିଫ୍‍ ଯୋଗାଇ ଦିଆଯାଇଛି।

ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ଲୁଣା, କରାଣ୍ଡିଆ ଏବଂ ଚିତ୍ରୋତ୍ପଳା ନଦୀରେ ବନ୍ୟାଜଳ ବିପଦ ସଙ୍କେତ ନିମ୍ନକୁ ହ୍ରାସ ପାଇଛି। ଫଳରେ ବନ୍ୟା ପରିସ୍ଥିତିରେ ଉନ୍ନତି ଆସିଛି। ତେବେ ଆଜି ମଧ୍ୟ ଜିଲ୍ଲାର ଡେରାବିଶ ବ୍ଲକ, ଗରଦପୁର ବ୍ଲକ, ମାର୍ଶାଘାଇ ବ୍ଲକ ଏବଂ ମହାକାଳପଡ଼ା ବ୍ଲକର ନଦୀକୁଳିଆ ଅଞ୍ଚଳରେ ପାଣି ଜମି ରହିଛି।

ସେପଟେ ବନ୍ୟା ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ପାନୀୟ ଜଳ ଯୋଗାଣ ସମ୍ପର୍କରେ ସମୀକ୍ଷା ହୋଇଥିଲା। ୧୩ଟି ଗ୍ରାମ୍ୟ ପାଇପ୍‍ ଜଳଯୋଗାଣ ପ୍ରକଳ୍ପରେ ସେବା ବାଧାପ୍ରାପ୍ତ ହୋଇଥିବା ବୈଠକରେ ଜଣାପଡ଼ିଛି। ତେବେ ଗତକାଲି ସୁଦ୍ଧା ୬୩୩ଟି ନଳକୂ ବିଶୋଧନ କରାଯାଇ ଏହାକୁ ଜୀବାଣୁ ମୁକ୍ତ କରାଯିବା ବେଳେ ୧୦ଟି ପାଇପ୍‍ ପାନୀୟ ଜଳ ପ୍ରକଳ୍ପକୁ ପୁର୍ନକାର୍ଯ୍ୟକ୍ଷମ କରାଯାଇଛି। ବନ୍ୟା ପ୍ରଭାବିତ ଜିଲ୍ଲାରେ ଯଥାଶୀଘ୍ର ନଳକୂ ର ବିଶୁଦ୍ଧିକରଣ କରିବା ସହ ପାଇପ୍‍ ପାନୀୟ ଜଳ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Read Also | Odisha Weather Report Updates: ଆଜି କିଛି ସ୍ଥାନରେ ହେବ ବର୍ଷା, ସୁବର୍ଣ୍ଣରେଖା ନଦୀ ଅବବାହିକାରେ ପ୍ରବଳ ବନ୍ୟାର ଆଶଙ୍କା

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *