Covid19 February Guidelines: ସରସ୍ୱତୀ ପୂଜା ଓ ମାଘ ସପ୍ତମୀ ପାଇଁ କଟକଣା, ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ

Share this:

ଭୁବନେଶ୍ଵର: ଓଡ଼ିଶା ସରକାର ଫେବ୍ରୁଆରି ମାସ ପାଇଁ ନୂଆ ଗାଇଡଲାଇନ୍ (Covid-19 February Guidelines) ଜାରି କରିଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ (Night Curfew) ଜାରି ରହିବ। ନୂଆ ଗାଇଡଲାଇନ୍ ଅନୁଯାୟୀ ଶତ ପ୍ରତିଶତ କର୍ମଚାରୀଙ୍କୁ ନେଇ ସମସ୍ତ ସରକାରୀ କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ, ସ୍ଵୟଂଶାସିତ ଅନୁଷ୍ଠାନ କୋଭିଡ୍ କଟକଣା ମଧ୍ୟରେ ଚାଲିବ।

ରାତ୍ରିକାଳୀନ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକୀୟ ସାମଗ୍ରୀର ହୋମ ଡେଲିଭରିକୁ ଅନୁମତି ମିଳିଛି। ଓମଫେଡ୍, ଓପୋଲୋଫେଡ୍ ଓ ଚିଲିକା ଫ୍ରେସ୍ ଆଉଟଲେଟ୍ ରାତ୍ରିକାଳୀନ କର୍ଫ୍ୟୁ ବେଳେ ଖୋଲା ରହିପାରିବ। ସକାଳ ୫ଟାରୁ ରାତି ୧୦ ଟାଏ ସମସ୍ତ ପ୍ରକାର ଦୋକାନ, ମଲ୍, ସପିଂ କମ୍ପ୍ଲେକ୍ସ, ବଜାର, ହାଟ, ସିନେମା ହଲ୍, ସୁଇମିଂ ପୁଲ୍, ମନୋରଞ୍ଜନ କମ୍ପ୍ଲେକ୍ସ, ଥିଏଟର୍ ଓ ସମ୍ମିଳନୀ କକ୍ଷ ଖୋଲା ରହିପାରିବ।

ମାଘ ସପ୍ତମୀ ଓ ମାଘ ପୂର୍ଣ୍ଣିମାରେ ସମୁଦ୍ର, ନଦୀ, ପୋଖରୀ କିମ୍ବା ଅନ୍ୟ ଜଳାଶୟରେ ଶ୍ରଦ୍ଧାଳୁଙ୍କ ସମାଗମକୁ ବାରଣ କରାଯାଇଛି। ଶ୍ରଦ୍ଧାଳୁମାନେ ଏସବୁ ଜଳସ୍ରୋତରେ ବୁଡ଼ ପକାଇ ପାରିବେ ନାହିଁ। ତେବେ ମାଘ ମେଳା ଓ ମାଘ ପୂର୍ଣ୍ଣିମା ରୀତିନୀତି ଅନୁସାରେ ମନ୍ଦିର ଏବଂ ଦେବାଳୟରେ ବିନା ଭକ୍ତ ସମାଗମରେ ଅନୁଷ୍ଠିତ ହୋଇପାରିବ।

ସେହିପରି ରାଜ୍ୟ ସରକାର ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜାକୁ ଅନୁମତି ଦେଇଛନ୍ତି। କିନ୍ତୁ ନୂଆ ଗାଇଡଲାଇନ୍ ଅନୁଯାୟୀ ଅଳ୍ପ ଛାତ୍ରଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା କରାଯାଇ ପାରିବ। ସ୍କୁଲ ଓ ଶିକ୍ଷାନୁଷ୍ଠାନ ଛଡ଼ା ଅନ୍ୟଠି ସରସ୍ୱତୀ ପୂଜାକୁ ବାରଣ କରାଯାଇଛି। କୋଭିଡ କଟକଣା ମଧ୍ୟରେ ଘରେ ପରିବାରର ସଦସ୍ୟଙ୍କ ସହ ପୂଜା ପାଳିବାକୁ ଜନସାଧାରଣଙ୍କୁ  ପରାମର୍ଶ ଦିଆଯାଇଛି। ପୂଜା ଅବସରରେ ହେଉଥିବା ଭୋଜିକୁ ଅନୁମତି ନାହିଁ।

ଫେବ୍ରୁଆରି ୧ରୁ ଶ୍ରୀମନ୍ଦିର ଖୋଲିବ

ଏଥିସହିତ ଫେବ୍ରୁଆରି ୧ତାରିଖରୁ ସର୍ବସାଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍‌ କଟକଣା ଭିତରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିବେ ବୋଲି କୁହାଯାଇଛି। ବିଶୋଧନ ପାଇଁ ପ୍ରତି ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ପର୍ବପର୍ବାଣୀରେ କିନ୍ତୁ ଶ୍ରୀମନ୍ଦିର ଖୋଲା ରହିବ। ରାତ୍ରକାଳୀନ କର୍ଫ୍ୟୁ ଯୋଗୁ ଭକ୍ତମାନେ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରିବେ।

ସୂଚନା ଅନୁସାରେ ଭକ୍ତମାନେ ପୂର୍ବଭଳି ୯୬ ଘଣ୍ଟା ଭିତରର ଆର୍‌ଟିପିସିଆର୍‌ (RT-PCR Report) ରିପୋର୍ଟ କିମ୍ବା କୋଭିଡ୍‌ର ଦୁଇଟି ଡୋଜ୍‌ ଟିକା ପ୍ରମାଣପତ୍ର ଦେଖାଇ ଓ କୋଭିଡ୍‌ ନିୟମ ଅନୁପାଳନ ପୂର୍ବକ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ପୁରୀ ସହରବାସୀ ପ୍ରମାଣପତ୍ର ଦେଖାଇ ପଶ୍ଚିମ ଦ୍ଵାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇପାରିବେ। କିନ୍ତୁ ଅନ୍ୟ ଭକ୍ତମାନେ ସିଂହଦ୍ଵାର ଦେଇ ପ୍ରବେଶ କରିବେ। ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କୁ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି। ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସାମାଜିକ ଦୂରତା ରକ୍ଷା ସହ ହାତ ସାନିଟାଇଜ୍‌ କରିବାକୁ କୁହାଯାଇଛି।

Share this: