New Corona Cases Odisha: ଓଡିଶାରେ ବଢିଲା କରୋନା ସଂକ୍ରମଣ, ଆଜି ୧୬୧ ଚିହ୍ନଟ
ଭୁବନେଶ୍ଵର: New Corona Cases odisha Latest Updates ଓଡ଼ିଶାରେ ବର୍ତ୍ତମାନ ଦ୍ରୁତ ଗତିରେ ବଢିଚାଲିଛି କରୋନା ସଂକ୍ରମଣ। ଗତକାଲି ରାଜ୍ୟରୁ ୧୩୧ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ବୁଧବାର ୧୬୧ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷ ମଧ୍ୟରେ ୨୪ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୯୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୬ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ କରୋନା ମହାମାରୀ ଶେଷ ହୋଇ ନଥିବାରୁ ଏହାକୁ ନିୟନ୍ତ୍ରଣ କରିବା ଲାଗି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସରକାର ପରାମର୍ଶ ଦେଇଛନ୍ତି।
ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୦ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ବାଲେଶ୍ଵରରୁ ୮ଜଣ, ଭଦ୍ରକରୁ ୩ଜଣ, କଟକରୁ ୩୨ଜଣ ଚିହ୍ନଟ ହୋଇଥିବାବେଳେ ଜଗତସିଂପୁରରୁ ୩ଜଣ, ଯାଜପୁରରୁ ୨ଜଣ, ଝାରସୁଗୁଡାରୁ ୩ଜଣ, କେଉଁଝରରୁ ଜଣେ, ମୟୁରଭଞ୍ଜରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୫ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ରାୟଗଡାରୁ ୫ଜଣ, ସମ୍ବଲପୁରରୁଜଣେ, ସୋନପୁରରୁ ୮ଜଣ, ସୁନ୍ଦରଗଡରୁ ୧୩ଜଣ ଚିହ୍ନଟ ହୋଇଛନ୍ତି। ଏଥିସହିତ ଷ୍ଟେଟ୍ ପୁଲରୁ ୧୫ଜଣ ଚିହ୍ନଟ ହୋଇଛନ୍ତି।
ଆଜି ସୁଦ୍ଧା ଓଡ଼ିଶାରେ ୩କୋଟି ୨୦ଲକ୍ଷ ୬୯ହଜାର ୧୦୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୧୨ ଲକ୍ଷ ୮୯ ହଜାର ୬୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୨ଜଣ ସୁସ୍ଥ ହେବା ସହିତ ମୋଟ ୧୨ ଲକ୍ଷ ୭୯ ହଜାର ୭୯୪ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୨୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।