Puri Rath Yatra 2022: ଏଥର ରଥଯାତ୍ରାକୁ ୨୦୫ ସ୍ୱତନ୍ତ୍ରଟ୍ରେନ୍‍, ଦିଆଯିବ ୧୦ ଲକ୍ଷ ମାସ୍କ

Share this:

ପୁରୀ: Puri Jagannath Rath Yatra 2022 ଏବର୍ଷ ଶ୍ରୀକ୍ଷେତ୍ରରେ କଟକଣା ମୁକ୍ତ ରଥଯାତ୍ରା ଆୟୋଜନ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ଭକ୍ତଙ୍କ ଯାତାୟାତ ସୁବିଧା ପାଇଁ ୨୦୫ଟି ସ୍ୱତନ୍ତ୍ର ଟ୍ରେନ୍‍ ପୁରୀ (Ratha Yatra Special Train) କୁ ଚଳାଇବାକୁ ରେଳ ମନ୍ତ୍ରଣାଳୟ ଯୋଜନା ପ୍ରସ୍ତୁତ କରିଛି। ଶ୍ରୀଗୁଣ୍ଡିଚା, ସାନ୍ଧ୍ୟ ଦର୍ଶନ, ବାହୁଡ଼ା ଓ ସୁନାବେଶ (Suna Besha) କୁ ଦୃଷ୍ଟିରେ ରଖି ଏହି ସ୍ୱତନ୍ତ୍ର ଟ୍ରେନ୍‍ଗୁଡ଼ିକ ଚଳାଚଳ କରିବ।

ପୂର୍ବତଟ ରେଳବାଇ (East Coast Railway) କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଜୁନ୍‍ ୨୯ ତାରିଖରୁ ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ ଆରମ୍ଭ ହେବ। ଜୁନ୍‍ ୨୯ ଓ ୩୦ରେ ଦୁଇଟି ସାଲିମାର୍‍-ପୁରୀ-ସାଲିମାର୍‍ ରଥଯାତ୍ରା ସ୍ୱତନ୍ତ୍ର ଏକ୍ସପ୍ରେସ୍‍ ଚାଲିବ। ସେହିପରି ଜୁନ୍‍ ୩୦ ଓ ଜୁଲାଇ ୧ ତାରିଖରେ ବିଶାଖାପାଟଣା-ପୁରୀ-ବିଶାଖାପାଟଣା ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ କରିବ। ଏହାବାଦ  ଜୁଲାଇ ୧ ତାରିଖ ଶ୍ରୀଗୁଣ୍ଡିଚା ଦିନ ପାରାଦ୍ୱୀପ, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍‍, କେନ୍ଦୁଝରଗଡ଼ ଆଦି ସ୍ଥାନରୁ ୧୦ ଯୋଡ଼ା ଟ୍ରେନ୍‍ ଯାତାୟାତ କରିବାର ଯୋଜନା ଥିବାବେଳେ ଜୁଲାଇ ୮ ତାରିଖରେ ସାନ୍ଧ୍ୟ ଦର୍ଶନ ପାଇଁ ୭ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‍ ଚଳାଚଳ କରିବ।

ସେହିପରି ଜୁଲାଇ ୯ ତାରିଖ ବାହୁଡ଼ାଯାତ୍ରାରେ ପାରାଦ୍ୱୀପ, କଟକ, ବ୍ରହ୍ମପୁର, ଭଦ୍ରକ, ଖୋର୍ଦ୍ଧା ରୋଡ୍‍ ଆଦି ସ୍ଥାନରୁ ୧୦ ଯୋଡ଼ା ଓ ସୁନାବେଶ ଅର୍ଥାତ୍‍ ଜୁଲାଇ ୧୦ ତାରିଖ ଦିନ ସମ୍ପୃକ୍ତ ସହରରୁ ୧୧ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‍ ପୁରୀକୁ ଚଳାଚଳ କରିବ। ସୁନାବେଶ ପରଦିନ ମଧ୍ୟ ଆଉ ୬ଟି ସ୍ୱତନ୍ତ୍ର ଟ୍ରେନ୍‍ ଯାତ୍ରା କରିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଜଣାପଡିଛି। ଏହା ବ୍ୟତୀତ  ଶ୍ରଦ୍ଧାଳୁଙ୍କ ଚାହିଦାକୁ ଦୃଷ୍ଟିରେ ରଖି ରଥଯାତ୍ରା ସମୟରେ ଆହୁରି ଅଧିକ ଟ୍ରେନ୍‍ ଚଳାଚଳ କରିବାର ସମ୍ଭାବନା ରହିଛି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ରଥଯାତ୍ରାରେ ସତର୍କତାମୂଳକ ପଦକ୍ଷେପ ଉପରେ ରାଜ୍ୟ ସରକାର ଗୁରୁତ୍ୱାରୋପ କରିଛନ୍ତି। ରଥଯାତ୍ରାକୁ ଆସୁଥିବା ସମସ୍ତ ଭକ୍ତ ଯେପରି ମାସ୍କ ପିନ୍ଧିବେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁରୀ ଜିଲ୍ଲା ପ୍ରଶାସନକୁ ୧୦ଲକ୍ଷ ମାସ୍କ ଯୋଗାଇ ଦିଆଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି। ଜିଲ୍ଲା ପ୍ରଶାସନ ଏହି ମାସ୍କକୁ ଶ୍ରଦ୍ଧାଳୁମାନଙ୍କୁ ବଣ୍ଟନ କରିବେ। ଅନ୍ୟ ପକ୍ଷରେ ରଥଯାତ୍ରା ସମୟରେ ଅପମିଶ୍ରିତ ଖାଦ୍ୟ ଯାଞ୍ଚ ପାଇଁ ୨୦ରୁ ଅଧିକ ଫୁଡ୍‍ ଇନସ୍‍ପେକ୍ଟରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଖାଦ୍ୟ ଷ୍ଟଲ୍‍ ଓ ହୋଟେଲ୍‍ ଉପରେ ଚଢ଼ାଉ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍‍ ହସ୍ପିଟାଲ୍‍ ଗୁଡ଼ିକୁ ସଚଳ ରଖାଯାଇଛି ଓ ଅତିରିକ୍ତ ୨୦ଟି ଆଇ.ସି.ୟୁ. ପ୍ରସ୍ତୁତ କରି ରଖାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

Read Also | New Corona Cases Odisha: ଓଡ଼ିଶାରେ କରୋନା ବିସ୍ପୋରଣ, ଆଜି ୧୧୩ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *