Odisha Weather Report: ଆସନ୍ତା ୨୪ ଘଣ୍ଟାରେ ଏହି ଜିଲ୍ଲାରେ କାଳବୈଶାଖୀ, ଏଥର ମୌସୁମୀ ଜୁନ ୩ୟ ସପ୍ତାହରେ

Share this:

ଭୁବନେଶ୍ଵର: Odisha Weather Report ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି। ଏ ନେଇ ଆଜି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହାର ପ୍ରବାହରେ ବଜ୍ରପାତ ଓ ପବନ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି।  

ସେହିପରି ରାଜ୍ୟରେ ଗତ କିଛିଦିନ ହେବ ତାତିର ପ୍ରକୋପ ଜାରି ରହିଛି। ସୂଚନା ଅନୁସାରେ ଗୁରୁବାର ସୋନପୁରରେ ସର୍ବାଧିକ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ସୋନପୁର ଦେଶରେ ଉତ୍ତପ୍ତ ସହର। ରାଜ୍ୟର  ମୋଟ ୧୬ଟି ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବଲାଙ୍ଗୀରର ସର୍ବୋଚ୍ଚ ତାପମାତ୍ରା ୪୨.୮ ଡିଗ୍ରୀ, ବାରିପଦା ୪୨.୫, ଝାରସୁଗୁଡ଼ା ୪୨.୨, ବୌଦ୍ଧ ୪୨, ତାଳଚେର ୪୧.୮, ଅନୁଗୁଳ ୪୧.୭, ସୁନ୍ଦରଗଡ଼ ୪୧.୫, ଟିଟିଲାଗଡ଼ ୪୧.୫, ପାରଳାଖେମୁଣ୍ଡି ୪୧, ସମ୍ବଲପୁର ୪୦.୮, ଭବାନୀପାଟଣା ୪୦.୫, ନୟାଗଡ଼ ୪୦.୫, ଛତ୍ରପୁର ୪୦, ବାଲେଶ୍ୱର ୪୦ ଓ ମାଲକାନଗିରିରେ ୪୦ ଡିଗ୍ରୀ ରେକର୍ଡ କରାଯାଇଛି। ଏଥିସହିତ କଟକରେ ସର୍ବୋଚ୍ଚ ତାପମାତ୍ରା ୩୮.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୩୭.୭, ଚାନ୍ଦବାଲିରେ ୩୮.୭, କେନ୍ଦୁଝରଗଡ଼ରେ ୩୬.୨, ହୀରାକୁଦରେ ୩୯.୯, ଫୁଲବାଣୀରେ ୩୯.୨, ରାୟଗଡ଼ାରେ ୩୯.୧ ଓ ଭଦ୍ରକରେ ୩୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ସୂଚନା ଅନୁସାରେ ପ୍ରଶାନ୍ତ ମହାସାଗରରେ ‘ଏଲ-ନିନୋ’ ପ୍ରଭାବ ଥିବାରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପାଇଁ ପାଗ ଅନୁକୂଳ ରହିବ। ଫଳରେ ମୌସୁମୀ ଆଗମନରେ ସୁବିଧା ହେବ। ଏହାର ପ୍ରଭାବରେ ଦେଶରେ ଭଲ ବୃଷ୍ଟିପାତ ହେବ। ଏଥର ଜୁନ୍‌ ତୃତୀୟ ସପ୍ତାହ ବେଳକୁ ଓଡ଼ିଶାକୁ ମୌସୁମୀ ଆସିବ ବୋଲି ଜଣାପଡିଛି।

Share this:

Leave a Reply

Your email address will not be published. Required fields are marked *