ରାଷ୍ଟ୍ରାୟତ ତୈଳ କମ୍ପାନୀର ୫୦ ପ୍ରତିଶତ ଫୁଏଲ୍ ଷ୍ଟେସନକୁ ସୌରଚାଳିତ କରିବା ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

Share this:

ପ୍ରଥମ ବିଶ୍ୱ ସୌର ବୈଷୟିକ ସମ୍ମିଳନୀ ଭାରତରେ ଆୟୋଜିତ

କେନ୍ଦ୍ର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ଆର.କେ ସିଂହ ଏବଂ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପମ୍ପିଲି କାର୍ଯ୍ୟକ୍ରମରେ ସାମିଲ

ନୂଆଦିଲ୍ଲ : ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତୈଳ କମ୍ପାନୀ ଗୁଡିକର ମାଲିକାନାରେ ଥିବା ଦେଶର ପ୍ରାୟ ୫୦ ପ୍ରତିଶତ ଫୁଏଲ ଷ୍ଟେସନକୁ ସୌରଚାଳିତ କରାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଆନ୍ତର୍ଜାତିକ ସୌର ଆଲିଆନ୍ସ (ISA) ପକ୍ଷରୁ ଭାରତରେ ଆୟୋଜିତ ପ୍ରଥମ ବିଶ୍ୱ ସୌର ବୈଷୟିକ ସମ୍ମିଳନୀ (WSTS) ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେହିପରି ଆଇଏସଏର ସମନ୍ୱୟ ଜଳବାୟୁ କାର୍ଯ୍ୟକ୍ରମରେ ୫ ତୈଳ ରଷ୍ଟ୍ରାୟତ ଉଦ୍ୟୋଗ ସାମିଲ ହେବେ ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ ଘୋଷଣା କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ୫ ଟି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଯଥା ଓଏନଜିସି (ONGC), ଆଇଓସିଏଲ (IOCL), ବିପିସିଏଲ (BPCL), ଏଚପିସିଏଲ (HPCL) ଏବଂ ଗେଲ୍ (GAIL) କର୍ପୋରେଟ୍ ଭାଗିଦାରୀ ଭାବରେ ଆଇଏସଏର ସମନ୍ୱୟ ଜଳବାୟୁ କାର୍ଯ୍ୟକ୍ରମ(ଆଇଏସଏ-ସିଆଇଏସଏ)ରେ ସାମିଲ ହେବେ ଓ ଆଇଏସଏର କୋର୍ପୋସ ପାଣ୍ଠିରେ ମଧ୍ୟ ଅଂଶୀଦାର ହେବେ ବୋଲି ଶ୍ରୀ ପ୍ରଧାନ ଘୋଷଣା କରିଛନ୍ତି। ଭାରତ ଏବଂ ଅନ୍ୟ ଦେଶରେ ସୌର ଆଧାରିତ ପ୍ରକଳ୍ପର କାର୍ଯ୍ୟକାରିତାର ନୂଆ ସୁଯୋଗ ଅନ୍ୱେଷଣ କରିବା ଦିଗରେ ଭାରତର ତୈଳ ଓ ଗ୍ୟାସ କମ୍ପାନୀମାନେ ଆଇଏଏସ ସହ ମିଳିତ ଭାବରେ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

ଦେଶର ତୈଳ ଓ ଗ୍ୟାସ କମ୍ପାନୀମାନେ ସାରା ଦେଶରେ ବିଭିନ୍ନ କ୍ଷେତ୍ରରେ ସୌର ପ୍ୟାନେଲ୍ ସ୍ଥାପନା କରିବା ପାଇଁ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ୨୭୦ ମେଗାୱାଟ୍ (MW) କ୍ଷମତା ବିଶିଷ୍ଟ ସୌର ଶକ୍ତି ସ୍ଥାପନା କରାଯାଇଥିବା ବେଳେ ଆଗାମୀ ବର୍ଷରେ ସୌର କ୍ଷମତା ଅତିରିକ୍ତ ୬୦ ମେଗାୱାଟ୍  କରାଯିବ। ସର୍ବବୃହତ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲର ୫ ହଜାରରୁ ଅଧିକ ଫୁଏଲ ଷ୍ଟେସନକୁ ଗତବର୍ଷ ସୌରଚାଳିତ କରାଯାଇଥିଲା ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଭାରତୀୟ ତୈଳ ଏବଂ ଗ୍ୟାସ କମ୍ପାନୀ ଗୁଡିକ ସ୍ୱଚ୍ଛା ଉର୍ଜା ପରବର୍ତନ କରିବା ଦିଗରେ ଏକ ସକ୍ରିୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଦେଶରେ ଅଙ୍ଗାରକାମ୍ଳ ବୃଦ୍ଧିକୁ ହ୍ରାସ କରିବା ପାଇଁ ଅକ୍ଷୟ ଉର୍ଜା, ଜୈବ ଇନ୍ଧନ, ହାଇଡ୍ରୋଜେନ ଭଳି ସବୁଜ ଉର୍ଜା ବ୍ୟବହାର ଦିଗରେ ଧ୍ୟାନ ଦିଆଯାଉଛି। ଅନୁରୂପ ଭାବରେ ସୌର ଉର୍ଜା ପରିବର୍ତନରେ ତୈଳ ଓ ଗ୍ୟାସ କମ୍ପାନୀମାନେ ସକ୍ରିୟ ଭୂମିକା ଗ୍ରହଣ କରିବା ଦିଗରେ ଭାରତ ସରକାର ଧ୍ୟାନ ଦେଉଛନ୍ତି।

କୋଭିଡ୍-୧୯ ମହାମାରୀର ଆହ୍ୱାନ ସତ୍ୱେ ଦେଶର ଯୋଗାଣ ଶୃଙ୍ଖଳକୁ ପରିବର୍ତ୍ତନ କରାଯାଉଛି ଏବଂ ସୋଲାର ମଡ୍ୟୁଲର ଆମଦାନୀ ଉପରେ ନିର୍ଭର ହ୍ରାସ କରିବା ଦିଗରେ କାମ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ବିଭିନ୍ନ ସଂସ୍ଥା ଠାରୁ ଦେଶ ୧୦ ଜିଗା ୱାଟର (GW) ସୌର ଉପକରଣ ଉତ୍ପାଦନର ପ୍ରସ୍ତାବ ପାଇଛି।

ଉଲ୍ଲେଖନୀୟ ଯେ, ଏହି କାର୍ଯ୍ୟକ୍ରମରେ ଭାରତର ଶକ୍ତି ରାଷ୍ଟ୍ର ମନ୍ତ୍ରୀ ତଥା ଆନ୍ତର୍ଜାତିକ ସୌର ଆଲିଆନ୍ସର ସଭାପତି ଆର.କେ ସିଂହ, ଉପସଭାପତି ଓ ଫ୍ରାନ୍ସର ପରିବେଶ ମନ୍ତ୍ରୀ ବରବରା ପମ୍ପିଲି, ନୋବେଲ୍ ପୁରସ୍କାର ପ୍ରାପ୍ତ ଡା. ଏମ୍ ଷ୍ଟାନଲି ହ୍ୱିଟିଂହାମ, ୟୁରୋପର ଉର୍ଜା କମିଶନର କାଦରୀ ସିମୋନ, ଆଇଏସଏ ସାଧାରଣ ନିର୍ଦ୍ଦେଶକ ଉପେନ୍ଦ୍ର ତ୍ରିପାଠୀ, ବିଭିନ୍ନ ଦେଶରୁ ଆଇଏସର ପ୍ରତିନିଧିତ୍ୱ କରୁଥିବା ମନ୍ତ୍ରୀଗଣ ଏବଂ ସୌର କ୍ଷେତ୍ରରେ କାର୍ଯ୍ୟ କରୁଥିବା ବୈଜ୍ଞାନିକ, ଗବେଷକ, ଇନୋଭେଟର, ପଲିସି ମେକର, ଟେକ୍ନୋଲୋଜି ଡେଭଲପର୍ ମାନେ ପ୍ରମୁଖ ଯୋଗଦେଇଥିଲେ।

Also Read:

ଚୀନରେ ଅଛନ୍ତି ଅରୁଣାଚଳ ପ୍ରଦେଶରୁ ନିଖୋଜ ଥିବା ୫ ଭାରତୀୟ ଯୁବକ:କିରେନ ରିଜିଜୁ

ପ୍ରତିରକ୍ଷା କ୍ଷେତ୍ରରେ ଦେଶରେ ଏକ ନୂଆ ମାନସିକତା ଜନ୍ମ ନେଇଛି: ପ୍ରଧାନମନ୍ତ୍ରୀ ମୋଦୀ

Share this: