Iron Mines: ଓଡ଼ିଶାରେ ଦୁଇଟି ନୂଆ ଲୁହାପଥର ଖଣିରୁ ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କଲେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

Share this:

ନୂଆଦିଲ୍ଲୀ: ଓଡ଼ିଶାର ଦୁଇଟି ଲୁହାପଥର ଖଣି ଜିଲିଙ୍ଗ-ଲାଙ୍ଗଲୋଟା ଓ ଗୁଆଳି ଖଣି (Guali Mines) ରୁ ଲୁହାପଥର ଉତ୍ପାଦନ କାର୍ଯ୍ୟକୁ ଆଜି କେନ୍ଦ୍ର ଖଣି ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ (Pralhad Joshi) ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ମିଳିତ ଭାବେ ଉଦଘାଟନ କରିଛନ୍ତି। ଉଭୟ ଖଣିର ମାସିକ ଉତ୍ପାଦନ କ୍ଷମତା ୧୫  ଲକ୍ଷ ଟନ୍ ହୋଇଥିବା ବେଳେ ଏଥିରେ ଆନୁମାନିକ ୨୭୫ ମିଲିୟନ ଟନ୍ ଲୁହାପଥର ଗଚ୍ଛିତ ହୋଇ ରହିଛି। ଭିଡିଓ କନଫରେନ୍ସିଂ ଜରିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ଶ୍ରୀ ଅଶ୍ବିନୀ ବୈଷ୍ଣବ ଉପସ୍ଥିତ ଥିଲେ।

ନିକଟରେ ଏହି ଦୁଇଟି ଖଣିରୁ ଲୁହାପଥର ଉତ୍ତୋଳନ ଦାୟିତ୍ବ ରାଜ୍ୟ ସରକାରଙ୍କ ଉଦ୍ୟୋଗ ଓଡ଼ିଶା ଖଣି ନିଗମ (OMC)କୁ ଆବଣ୍ଟିତ କରାଯାଇଛି। ରାଜ୍ୟରେ ଲୁହାପଥର ଅଭାବକୁ ଦୂର କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବାର ମାତ୍ର ୨୫ ଦିନ ମଧ୍ୟରେ ଏହି ଖଣି ଦୁଇଟିକୁ ଆବଣ୍ଟିତ କରାଯାଇଥିଲା।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯୋଶୀ କହିଥିଲେ ଯେ ଏହି ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହେବା ଫଳରେ ରାଜ୍ୟରେ ଥିବା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଲୁହାପଥର ଯୋଗାଣରେ ସ୍ଥିରତା ଆସିବ ଏବଂ ଏହାଦ୍ଵାରା ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ଦୁଇଟି ଖଣିରୁ ଓଡ଼ିଶା ବାର୍ଷିକ ୪ ହଜାର ରୁ ୫ ହଜାର କୋଟି ଟଙ୍କାର ରାଜସ୍ଵ ଆୟ କରିବାର ସମ୍ଭାବନା ରହିଛି। ରାଜ୍ୟରେ ଖଣିଜ ଦ୍ରବ୍ୟ ଉତ୍ପାଦନ ଏବଂ ରାଜସ୍ଵ ଆୟ ବଢ଼ାଇବା ଲାଗି ଅଚଳ ହୋଇ ପଡ଼ିଥିବା ସମସ୍ତ ଖଣିଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ଏବଂ ନୂଆ ଖଣି ନିଲାମ କରିବା ଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ଖଣିଜ ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଙ୍କ ସଂକଳ୍ପକୁ ବାସ୍ତବ ରୂପ ଦେବା ଲାଗି ଓଡ଼ିଶା ସରକାରଙ୍କୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ସେ ଆଶ୍ବାସନା ଦେଇଥିଲେ। ଶ୍ରୀ ଯୋଶୀ ମଧ୍ୟ ଜୋର ଦେଇ କହିଥିଲେ ଯେ ଓଏମସିର ଖଣିଜ ଉତ୍ପାଦନ  ରାଜ୍ୟରେ ବଜାର ସ୍ଥିରତା ଏବଂ ଲୁହାପଥର ଉପଲବ୍ଧତା କ୍ଷେତ୍ରରେ ଗୁରୁତ୍ୱ  ପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଏହି ଖଣିଗୁଡ଼ିକ କାର୍ଯ୍ୟକ୍ଷମ ହେବା ଫଳରେ ରାଜ୍ୟ ତଥା ଦେଶରେ ଲୁହାପଥର ଅଭାବ ବ୍ୟାପକ ପରିମାଣରେ ଦୂର ହୋଇପାରିବ।

[amazon_auto_links id=”9932″]

Share this: