Durga Puja : ଆଜି ମହାନବମୀ, ପୂଜା ପାଉଛନ୍ତି ମା’ ଦୂର୍ଗା

Share this:

କଟକ: ଚଳିତ ବର୍ଷ ନିରାଡମ୍ବର ଭାବେ ସରକାରଙ୍କ ନିୟମାବଳୀ ଅନୁସାରେ ମା’ଙ୍କର ପୂଜାର୍ଚ୍ଚନା କରାଯାଉଛି ପୂଜାମଣ୍ଡପ ଗୁଡ଼ିକ ସମ୍ମୁଖରେ ପରଦା ଟଣାଯାଇ ପୂଜା କରାଯିବା ସହ କୌଣସି ଭକ୍ତଙ୍କୁ ଦର୍ଶନ ପାଇଁ ବାରଣ କରାଯାଇଛି।

ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜି ରାଜ୍ୟର ମୃଣ୍ମୟୀ ଦେବୀଙ୍କ ପୂଜାମଣ୍ଡପ ଗୁଡ଼ିକରେ ମହାନବମୀ ଅନୁଷ୍ଠିତ ହେଉଥିବାବେଳେ ଦେବୀପୀଠ ଗୁଡ଼ିକରେ ବିଜୟାଦଶମୀ ପାଳିତ ହେଉଛି। ଭଦ୍ରକ ଜିଲ୍ଲା ଆରଡିର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଥିବା ଦେବୀ ଜୟଦୁର୍ଗାଙ୍କର ଆଜି ଦଶଭୂଜା ବେଶ ଅନୁଷ୍ଠିତ ହେଉଛି। ସେହିପରି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ସମେତବିଭିନ୍ନ ପୂଜା ମଣ୍ଡପରେ କୋଭିଡ ନିୟମାବଳୀ ମଧ୍ୟରେ ପୂଜାର୍ଚ୍ଚନା କରାଯାଉଛି।

କୋଭିଡ କଟକଣା ମଧ୍ୟରେ ଯାଜପୁରର ଆରାଧ୍ୟା ଦେବୀ ତଥା ପ୍ରସିଦ୍ଧ ଶକ୍ତିପୀଠ ମା’ ବିରଜା ମନ୍ଦିରରେ ଶାରଦୀୟ ଦୁର୍ଗାପୂଜା ନିରାଡମ୍ବରରେ ପାଳିତ ହେଉଛି। ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ମା’ ବିରଜାଙ୍କ ରଥଯାତ୍ରାର ଶେଷ ହୋଇଛି।

କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କର ପ୍ରସିଦ୍ଧ ଛତର ଯାତ୍ରା ବିନା ଭକ୍ତରେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। କୋଭିଡ କଟକଣା ମଧ୍ୟରେ ଗତକାଲି ମଧ୍ୟରାତ୍ରରେ ସନ୍ଧି ପୂଜା ପରେ ମା’ଙ୍କ ପ୍ରତିନିଧିମାନେ ଛତରକୁ ମନ୍ଦିରର ଉତ୍ତର-ପଶ୍ଚିମ ଦିଗରେ ୩ କିଲୋମିଟର ଦୂରରେ ଥିବା ଜେନାଖାଲକୁ ନେଇଥିଲେ। ସେଠାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ଛତରର ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିଲା। କେବଳ ଗୋଟିଏ ଘୁମୁରା ଦଳ, ନିଶାଣ ବାଦ୍ୟ ଓ କମ୍‍ ସଂଖ୍ୟକ ସେବାୟତଙ୍କ ମଧ୍ୟରେ ମା’ଙ୍କ ଛତର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଜନସାଧାରଣଙ୍କ ସହଯୋଗ ପାଇଁ ଶୃଙ୍ଖଳିତ ଭାବେ ଛତର ଯାତ୍ରା ସମ୍ପନ୍ନ ହୋଇପାରିଛି ବୋଲି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି।

ବିଜୟାଦଶମୀ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ବିଜୟା ଦଶମୀ ହେଉଛି ଅସତ୍ୟ ଉପରେ ସତ୍ୟର, ଅନ୍ୟାୟ ଉପରେ ନ୍ୟାୟର ଓ ଅଶାନ୍ତି ଉପରେ ଶାନ୍ତିର ବିଜୟର ପ୍ରତୀକ। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ତଥା ସମାଜରେ ସତ୍ୟ, ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠା ଦିଗରେ ନିଷ୍ଠାପର ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏଥିସହ କରୋନା ମହାମାରୀ ବିରୋଧରେ ଲଢ଼େଇରେ ସାମିଲ ହୋଇ ଆବଶ୍ୟକ ସରକାରୀ ନିର୍ଦ୍ଦେଶ ଓ ପରାମର୍ଶ ପାଳନ କରିବାରେ ସେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ବାର୍ତ୍ତା ଦେଇ ମାତୃଶକ୍ତିର ଆରାଧନା ଆମ ସଂସ୍କୃତିର ଅନନ୍ୟ ବିଭବ ବୋଲି କହିଛନ୍ତି। ଚଳିତବର୍ଷ କରୋନା ମହାମାରୀ ବିଶ୍ୱରେ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି କରିଛି। ସମସ୍ତଙ୍କ ମିଳିତ ଉଦ୍ୟମରେ ରାଜ୍ୟରେ ସଂକ୍ରମଣ ନିମ୍ନଗାମୀ ହେଉଥିଲେ ମଧ୍ୟ ପାର୍ବଣ ଋତୁରେ ଆମକୁ ସମ୍ପୂର୍ଣ୍ଣ ସାବଧାନତା ଅବଲମ୍ବନ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ସମସ୍ତ କୋଭିଡ ନିୟମ ପାଳନ କରିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

Also Read | Loan Moratorium : ଯଦି ସମସ୍ତ EMI କ୍ରମାଗତ ଭାବରେ ଲକଡାଉନରେ ଜମା କରିଛନ୍ତି, ବର୍ତ୍ତମାନ କ୍ୟାସବ୍ୟାକ୍ ମିଳିବ

Share this: