ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ନେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share this:

ଭୁବନେଶ୍ଵର:ମୋଦୀ ସରକାରଙ୍କ ଉଚ୍ଚାକାଂକ୍ଷୀ ୪୫୧କିମି ଲମ୍ବ ଦୀଘା-ଗୋପାଳପୁର ଉପକୂଳ ରାଜପଥ ସମ୍ପୂର୍ଣ୍ଣ ହେଲେ ଏହା ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ଗ୍ରହଣ କରିବ।ସ୍ଥାନୀୟ ଅଞ୍ଚଳର ପରିବେଶକୁ ସୁରକ୍ଷା ଯୋଗାଇବା ସହ ଉପକୂଳବର୍ତ୍ତୀ ଅଞ୍ଚଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ଭାରତର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବରେ ଉଭା ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏ ସମ୍ପର୍କରେ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଦୀଘା-ଗୋପାଳପୁର ଉପକୂଳ ରାଜପଥ ପାରାଦୀପ ଏବଂ ଧାମରା ବନ୍ଦରକୁ କୃଷି ଏବଂ ମତ୍ସ୍ୟଜାତ ସାମଗ୍ରୀ ପରିବହନ କରିବାରେ ଅର୍ଥନୈତିକ କରିଡ଼ର ଭାବେ କାର୍ଯ୍ୟ କରିବ। ଏହାସହ ପ୍ରାକୃତିକ ବିପର୍ଯ୍ୟୟ ତଥା ବାତ୍ୟା ଓ ବନ୍ୟା ସମୟରେ ପରିବହନ ଓ ଯୋଗାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଉପକୂଳ ଅଞ୍ଚଳରେ ଏନସିସିର ସଂପ୍ରସାରଣ ସ୍ଥାନୀୟ ଯୁବକଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ଏବଂ ବିପର୍ଯ୍ୟୟ ପରିଚାଳନାକୁ ମଜବୁତ୍ କରିବାରେ ସହାୟକ ହେବ। ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଓଡ଼ିଶାକୁ ମିଳୁଥିବା ବଳରେ ଆତ୍ମନିର୍ଭର ଭାରତ ନିର୍ମାଣରେ ଅଧିକ ଯୋଗଦାନ ରହିବ ।

ଶ୍ରୀ ପ୍ରଧାନ କହିଛନ୍ତି ଆତ୍ମନିର୍ଭର ଭାରତ ପାଇଁ ଭିତ୍ତିଭୂମିର ବିକାଶ ଏବଂ ଉତ୍ତମ ସଂଯୋଗ ସ୍ଥାପନା କରିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶେଷ ଦୂରଦୃଷ୍ଟି ରହିଛି। ଜାତୀୟ ଭିତ୍ତିଭୂମି ପାଇପଲାଇନ କେବଳ ଭିତ୍ତିଭୂମି ତିଆରି କରିବାରେ ବୈପ୍ଲବିକ ପରିବର୍ତ୍ତନ କରିବ ନାହିଁ ବରଂ କୋଭିଡ-୧୯ ପ୍ରଭାବରେ ହୋଇଥିବା ଅର୍ଥନୈତିକ ମାନ୍ଦାବସ୍ଥାକୁ ମଧ୍ୟ ଦୂର କରିବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଭିତ୍ତିଭୂମି ଏବଂ ଉତ୍ତମ ସଂଯୋଗ ସ୍ଥାପନା ଦିଗରେ ଓଡ଼ିଶା ଅଧିକ ଲାଭବାନ ହୋଇପାରିଛି । ସୁଦୀର୍ଘ ବେଳାଭୂମି, ଭାରତର ବୃହତ୍ତମ ବିପଣନ ବନ୍ଦର ଏବଂ ପାରାଦୀପ ସ୍ଥିତ ପେଟ୍ରୋଲିୟମ କମ୍ପ୍ଲେକ୍ସ ସହ ଓଡ଼ିଶା ନିଜର ଭୌଗଳିକ ସ୍ଥିତି କାରଣରୁ ଭିତ୍ତିଭୂମିକୁ ଅଧିକ ମଜବୁତ୍ କରିବାର ସାମର୍ଥ୍ୟ ରଖିଛି ବୋଲି ସେ କହିଛନ୍ତି।

Share this:

One thought on “ଉପକୂଳ ଓଡ଼ିଶାକୁ ପରିବର୍ତ୍ତନ କରିବାରେ ବଡ଼ ଭୂମିକା ନେବ ଦୀଘା-ଗୋପାଳପୁର ଉପକୂଳ ରାଜପଥ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Comments are closed.