Cyclone Yaas: ୟାସ୍ ପାରାଦ୍ୱୀପଠାରୁ ୫୦୦ କିମିଦୂରରେ, ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ହେବ, ଲକଡାଉନ କୋହଳ

Share this:

ଭୂବନେଶ୍ଵର: ବଙ୍ଗୋପ ସାଗର (Bay Of Bengal) ରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବାପରେ ବାତ୍ୟାରେ ପରିଣତ ହୋଇଛି। ଆଜି ସକାଳେ ୟାସ୍‍ ବାତ୍ୟା (Cyclone Yaas) ର ରୂପ ନେଇଛି। ଏହା ବର୍ତ୍ତମାନ ପାରାଦ୍ୱୀପ (Paradeep) ଠାରୁ ୫୦୦ କିଲୋମିଟର ବାଲେଶ୍ୱର (Baleswar) ଠାରୁ ୬୫୦ କିଲୋମିଟର ଏବଂ ଦୀଘା (Digha) ଠାରୁ ୬୩୦ କିଲୋମିଟର ଦକ୍ଷିଣ ପୂର୍ବକୁ ଘନୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ କେନ୍ଦ୍ରୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ କୁହାଯାଇଛି। ଆସନ୍ତା ବୁଧବାର ସକାଳେ ଏହା ଉପକୂଳ ନିକଟରେ ପହଞ୍ଚିବା ସହ ସେହିଦିନ ମଧ୍ୟାହ୍ନ ସୁଦ୍ଧା ସ୍ଥଳଭାଗ ସ୍ପର୍ଶ କରିବା ନେଇ ଅନୁମାନ କରାଯାଉଛି। ବାତ୍ୟାର ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୬୫ କିଲୋମିଟରରୁ ୧୮୫ କିଲୋମିଟର ମଧ୍ୟରେ ରହିପାରେ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆସନ୍ତା ୩ ଦିନ ଧରି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିରେ ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହା ସହ କଟକ, ମୟୂରଭଞ୍ଜ, ଯାଜପୁର, ପୁରୀ, କେନ୍ଦୁଝର, ଖୋର୍ଦ୍ଧା ଜିଲ୍ଲାକୁ ମଧ୍ୟ ରେଡ୍‍ ୱାର୍ଣ୍ଣିଂ ଜାରି କରାଯାଇଛି।

ସମ୍ଭାବ୍ୟ ବାତ୍ୟା ୟାସ୍‍କୁ ନେଇ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ବର୍ତ୍ତମାନ ସମୁଦ୍ରରେ ପବନର ବେଗ ୬୫ ରୁ ୮୫ କିଲୋମିଟର ଭିତରେ ରହିଛି। ତେବେ ବାତ୍ୟା ସ୍ଥଳଭାଗ ସ୍ପର୍ଶ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୫୫ ରୁ ୧୮୫ କିଲୋମିଟର ମଧ୍ୟରେ ରହିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୪ଟି ବନ୍ଦର ପାଇଁ ବିପଦ ସଙ୍କେତ ଜାରି କରାଯାଇଛି। ପାରାଦ୍ୱୀପ ଓ ଧାମରା ବନ୍ଦର ପାଇଁ ୪ ନମ୍ବର ଏବଂ ପୁରୀ ଓ ଗୋପାଳପୁର ପାଇଁ ୩ ନମ୍ବର ବି ଦସଙ୍କେତ ଜାରି କରାଯାଇଛି। ସେହିପରି ଆସନ୍ତାକାଲି ମଧ୍ୟରାତ୍ରିରୁ ପବନର ବେଗ ବଢ଼ିବା ସହ ସମୁଦ୍ରରେ ୨ରୁ ୪ ମିଟର ଜୁଆର ଆସିପାରେ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ତେବେ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ସେ ନିବେଦନ କରିଛନ୍ତି। ସେ କହିଛନ୍ତି ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକରେ ଲୋକଙ୍କୁ ଖୁବ୍‍ ଶୀଘ୍ର ସ୍ଥାନାନ୍ତର କରାଯିବ।

ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ୟାସ୍‍ର ମୁକାବିଲା ନିମନ୍ତେ ଜଗତ୍‍ସିଂହପୁର ଜିଲ୍ଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ସମୟରେ ସ୍ଥାନାନ୍ତରଣ ଓ ଉଦ୍ଧାର କାର୍ଯ୍ୟ ନିମନ୍ତେ ଏକ ୨୫ ଜଣିଆ ଏନ୍‍ଡିଆରଏଫ ଟିମ୍‍ ପାରାଦ୍ୱୀପରେ ପହଞ୍ଚିଛନ୍ତି। ଘୂର୍ଣ୍ଣିବାତ୍ୟା ପ୍ରଭାବରେ ପାରାଦ୍ୱୀପ ସମେତ ଜିଲ୍ଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏବେ ବର୍ଷା ପବନ ଆରମ୍ଭ ହୋଇଯାଇଛି। ଉଦ୍ଧାର କାର୍ଯ୍ୟ ନିମନ୍ତେ ଆବଶ୍ୟକ ସାଜସରଞ୍ଜାମ ସହିତ ଏନ୍‍ଡିଆରଏଫ୍‍ ଟିମ୍‍ ପ୍ରସ୍ତୁତ ରହିଛନ୍ତି।

ସେହିପରି, ଭଦ୍ରକ ଜିଲ୍ଲାରେ ଏନ୍‍ଡିଆରଏଫ ଓ ଓଡ୍ରାଫ ଟିମ୍‍ ପହଞ୍ଚିଛନ୍ତି। ସମୁଦ୍ର ଉପକୂଳବର୍ତ୍ତୀ ଧାମରା, ବାସୁଦେବପୁର ବ୍ଲକ, ଚାନ୍ଦବାଲିବ୍ଲକ ଓ ଧାମନଗରକୁ ୪ଟି ଏନଡିଆରଏଫ ଦଳ, ୩ଟି ଓଡ୍ରାଫ ଏବଂ ୧୨ଟି ଅଗ୍ନିଶମ ଦଳକୁ ମୁତୟନ କରାଯାଇଥିବା ବେଳେ ୭୦୦ରୁ ଅଧିକ ଥଇଥାନ କେନ୍ଦ୍ର ପ୍ରସ୍ତୁତ କରାଯାଇ ନଦୀକୂଳିଆ ପ୍ରାୟ ୭୫ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଯିବାର ବ୍ୟବସ୍ଥା ହେବା ସହ ତହସିଲଦାର, ବିଡିଓ ଓ ବିଭାଗୀୟ ଅଧିକାରୀଙ୍କୁ ଏଲର୍ଟ କରାଯାଇଥିବା ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସ କହିଛନ୍ତି।

ସମ୍ଭାବ୍ୟ ବାତ୍ୟା ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏ ସମ୍ପର୍କରେ ଜିଲ୍ଳାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, ଜନସାଧାରଣ ବାତ୍ୟା ସମୟରେ କଚ୍ଚା ଘର ତଥା ଆଜବେଷ୍ଟସ୍‍ ଘରରେ ଆଶ୍ରୟ ନେବା ଉଚିତ ନୁହେଁ। ସେ ଏଭଳି ସ୍ଥାନରେ ରହୁଥିବା ଲୋକମାନଙ୍କୁ ସରକାରୀ ବାତ୍ୟା ଆଶ୍ରୟସ୍ଥଳରେ ରହିବାକୁ ପରାମର୍ଶ ଦେଇଛନ୍ତି। ଏହା ସହ ଜିଲ୍ଲାପାଳ ଭୟଭୀତ ନ ହୋଇ ସମ୍ଭାବ୍ୟ ବାତ୍ୟା ପ୍ରତି ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ସମୟରେ ବାଲେଶ୍ୱର ଜିଲ୍ଲାରେ ପ୍ରଶାସନର ପ୍ରସ୍ତୁତି ସମ୍ପର୍କରେ ଅଧିକ ସୂଚନା ଦେଉଛନ୍ତି।

ସମ୍ଭାବ୍ୟ ବାତ୍ୟା ୟାସର ମୁକାବିଲା ଲାଗି ପୁରୀ ଜିଲ୍ଲାର ସମୁଦ୍ର ଓ ଚିଲିକା ଉପକୂଳରେ ଥିବା ୬ଟି ଉପକୂଳ ବ୍ଲକ  ଓ ୨ ପୌରାଞ୍ଚଳରେ ପ୍ରଶାସନ ପ୍ରସ୍ତୁତି କାର୍ଯ୍ୟକୁ ଜୋରଦାର କରିଛି। ଆବଶ୍ୟକ ପଡିଲେ ୧ ଲକ୍ଷ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରୀତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିପାଇଁ ଜିଲ୍ଲାର ୧୮୬ଟି ବାତ୍ୟା ଆଶ୍ରୟସ୍ଥଳକୁ ସଜାଗ ରଖାଯିବା ସହିତ ଉଦ୍ଧାରକାରୀ ଦଳଙ୍କୁ ପ୍ରସ୍ତୁତ କରି ରଖାଯାଇଛି।

ଗଞ୍ଜାମ, ଢେଙ୍କାନାଳ ଆଦି ଅଞ୍ଚଳରେ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ଓ ସ୍ଥଳବିଶେଷରେ ୫୦ କିଲୋମିଟର ବେଗରେ ପବନ ବହିବ।ଅନ୍ୟପକ୍ଷରେ ୨୫ ତାରିଖରେ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଧା ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସେହି ସମୟରେ ମୟୂରଭଂଜ, ଗଞ୍ଜାମ, ଢେଙ୍କାନାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ଅର୍ଥାତ୍ ୬୪ ମିଲିମିଟର ବର୍ଷା ହୋଇପାରେ।

୨୬ ତାରିଖରେ କିନ୍ତୁ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ ମୟୂରଭଂଜ, ବାଲେଶ୍ବର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ। ସେହିଦିନ ଢେଙ୍କାନାଳ, ଅନୁଗୁଳ, ଦେବଗଡ, ଖୋର୍ଦ୍ଧା ଏବଂ ସୁନ୍ଦରଗଡ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ୬୪ ମିଲିମିଟର ଯାଏ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ବାତ୍ୟା ପାଇଁ ରାଜ୍ୟର ୧୦ଟି ଜିଲ୍ଲାରେ ଲକ୍‍ଡାଉନ୍‍କୁ ସାମାନ୍ୟା କୋହଳ କରାଯାଇଛି। ଏ ନେଇ ଏସ୍‍ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଆଜି ଓ ଆସନ୍ତାକାଲି ସକାଳ ୭ଟାରୁ ଅପରାହ୍ଣ ଗୋଟାଏ ଯାଏ ଦୋକାନ ବଜାର ଖୋଲା ରହିବ। ଏହି ଜିଲ୍ଲାଗୁଡ଼ିକ ହେଲା  କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ କେଉଁଝର।

ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ନେଇ ସ୍ୱରାଷ୍ଟମନ୍ତ୍ରୀ ଅମିତ୍‍ ଶାହା (Amit Shah) ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରୁଛନ୍ତି। ଓଡ଼ିଶା,ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ ମାଧ୍ୟମରେ ବୈଠକ ହେଉଛି। ଏହି ବୈଠକରେ ଭାରତୀୟ ପାଣିପାଗ ବିଭାଗ ଏବଂ ଏଡିଆରଏଫର ମୁଖ୍ୟ ମଧ୍ୟ ଉପସ୍ଥିତ ଥିବା ଜଣାପଡିଛି।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ବାତ୍ୟା ୟାସ୍‍ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ସମ୍ପର୍କରେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ଶ୍ରୀ ପ୍ରଧାନ ଟୁଇଟ୍‍ କରି କହିଛନ୍ତି, କେନ୍ଦ୍ର ସରକାର ଏହି ବିପତ୍ତି ସମୟରେ ଓଡ଼ିଶା ସାଙ୍ଗରେ ଅଛନ୍ତି ଏବଂ ସମସ୍ତ ପ୍ରକାରର ସମ୍ଭାବ୍ୟ ସହାୟତା ଯୋଗାଇବା ଏବଂ ସହଯୋଗ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସତର୍କ ସୂଚନାକୁ ପାଳନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

Also Read | ଟୀକା ପାଇଁ ଡାକିଥିବା Global Tender, ଟୀକା କମ୍ପାନୀ ଦେବେ ରାଜ୍ୟକୁ ଝଟକା!

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *