Cyclone Updates Odisha: ଓଡ଼ିଶା ଉପକୂଳ ୧୦ରେ ଛୁଇଁବ ବାତ୍ୟା, ଏହି ଜିଲ୍ଲାଗୁଡିକୁ ସତର୍କ

Share this:

ଭୁବନେଶ୍ୱର (ବ୍ୟୁରୋ): Cyclone Updates In Odisha ଆସୁଛି ବାତ୍ୟା! ଏହା ପୂର୍ବରୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଆସନ୍ତାକାଲି ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହି ଅବପାତ ବାତ୍ୟାରେ ପରିଣତ ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ପରେ ଏହା ଉତ୍ତରପଶ୍ଚିମ ଦିଗକୁ ଗତିକରି ବାତ୍ୟାର ରୂପ ନେଇପାରେ। ତେବେ ବାତ୍ୟାର ତୀବ୍ରତା ଓ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ସେ ନେଇ ଆକଳନ କରାଯାଇନାହିଁ। କିନ୍ତୁ ୧୦ ତାରିଖ ସୁଦ୍ଧା ସମ୍ଭାବ୍ୟ ବାତ୍ୟା ଉପକୂଳ ଛୁଇଁବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ ଏହା ଓଡ଼ିଶା ଓ ଆନ୍ଧ୍ର ଉପକୂଳ ଠାରୁ ୨୦୦ ରୁ ୩୦୦ କିଲୋମିଟର ଦୂରରେ ରହିପାରେ ବୋଲି ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ସତର୍କ କରି ୯ ତାରିଖରୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନେ ଉପକୂଳକୁ ଫେରି ଆସିବା ପାଇଁ କୁହାଯାଇଛି। ବାତ୍ୟା ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କୌଣସି ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ ଅଯଥାରେ ଦୋକାନରେ ଭିଡ ନଜମାଇବାକୁ ସତର୍କ କରାଯାଇଛି। ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ତଥା ଖାଦ୍ୟଦ୍ରବ୍ୟ ଯଥେଷ୍ଟ ପରିମାଣରେ ମହଜୁଦ୍‍ ଥିବା କୁହାଯାଇଛି।

ସମ୍ଭାବ୍ୟ ବାତ୍ୟା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା କହିଛନ୍ତି। ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ୧୮ଟି ଏନ୍‍ଡିଆର୍‍ଏଫ୍‍, ୨୦ଟି ଓଡ୍ରାଫ ଓ ୧୭୫ଟି ଅଗ୍ନିଶମ ଦଳକୁ ପ୍ରସ୍ତୁତ କରି ରଖାଯାଇଛି। ଏଥିସହ ଶକ୍ତି, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଥିବା ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ବିଦ୍ୟୁତ୍‍ ଯୋଗାଣକାରୀ ସଂସ୍ଥାମାନେ ପ୍ରସ୍ତୁତ ରହିବାକୁ ମଧ୍ୟ କୁହାଯାଇଛି ବୋଲି ଶ୍ରୀ ଜେନା କହିଛନ୍ତି। ଏଥିସହ ସେ ଜନସାଧାରଣଙ୍କୁ ବାତ୍ୟା ପାଇଁ ଭୟଭୀତ ନ ହେବା ଓ ଗୁଜବରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି।

ସେହିପରି ବାତ୍ୟା ମୁକାବିଲା ନେଇ ୧୮ଟି ଜିଲ୍ଲାର ଜିଲ୍ଳାପାଳମାନଙ୍କ ସହ ଆଲୋଚନା କରିଛନ୍ତି। ପ୍ରତ୍ୟେକ ଜିଲ୍ଲାରେ ୨୪ ଘଣ୍ଟିଆ ଜରୁରୀକାଳୀନ ବ୍ୟବସ୍ଥା କେନ୍ଦ୍ର ଖୋଲିବାକୁ ଏସ୍‍ଆରସି ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଆବଶ୍ୟକସ୍ଥଳେ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ସ୍କୁଲ ଓ ସରକାରୀ ପକ୍କା  ଘରଗୁଡ଼ିକୁ ଅସ୍ଥାୟୀ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବାକୁ ଚିଠିରେ ଏସ୍‍ଆରସି ପରାମର୍ଶ ଦେଇଛନ୍ତି। ପୁରୀ, ଖୋର୍ଦ୍ଧା, ଜଗତ୍‍ସିଂହପୁର, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବା ସହ ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ସଜାଗ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି।

Read Also | Covid Cases Odisha: ଆଜି ରାଜ୍ୟରୁ ୧୪ କୋଭିଡ ସଂକ୍ରମିତ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *