Cyclone Dana in Odisha 2024: ଆସୁଛି ବାତ୍ୟା ‘ଦାନା’, ପବନର ବେଗ ୧୦୦ରୁ ୧୨୦କିମି ହୋଇପାରେ  

Share this:

Cyclone Dana in Odisha 2024: ଓଡ଼ିଶା ପୁଣି ଏକ ବାତ୍ୟାର ସାମନା କରିବାକୁ ଯାଉଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ନିକଟବର୍ତ୍ତୀ ଉତ୍ତର ଆଣ୍ଡାମାନ ସମୁଦ୍ର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଆସନ୍ତାକାଲି ମଙ୍ଗଳବାର ସକାଳ ସୁଦ୍ଧା ଅବପାତରେ ପରିଣତ ହେବାର ସମ୍ଭାବନା। ଏଥିସହିତ ବୁଧବାର ସୁଦ୍ଧା ଏହା ସାମୁଦ୍ରିକ ଝଡ଼ରେ ପରିଣତ ହେବ।


ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏହା ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳ ଗୁରୁବାର ସକାଳ ସୁଦ୍ଧା ସ୍ପର୍ଶ କରିପାରେ। ଏହି ସାମୁଦ୍ରିକ ଝଡ଼ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ପର୍ଯ୍ୟନ୍ତ ବହି ପାରେ।


ସେହିପରି ସାମୁଦ୍ରିକ ଝଡ଼ ‘ଦାନା’ (Cyclone Dana in Odisha 2024) କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନିଆଯାଉଛି। ଝଡ଼ର ଲ୍ୟାଣ୍ଡଫଲ ବିଷୟ ନେଇ ଏ ପର୍ଯ୍ୟନ୍ତ ସଠିକ୍‌ ସୂଚନା ମିଳି ନ ଥିଲେ ମଧ୍ୟ ଉପକୂଳ ଅଞ୍ଚଳରେ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ବାତ୍ୟାର ଗତିପଥ ଉପରେ ନଜର ରଖିବା ସହ କଣ୍ଟ୍ରୋଲ ରୁମ୍‌ ପ୍ରଭାବିତ ଜିଲ୍ଲାଗୁଡ଼ିକ ସହ ଯୋଗାଯୋଗ କରାଯାଇଛି। ଏଥିସହିତ ଏନ୍‌ଡିଆର୍‌ଏଫ୍‌ ଏବଂ ଓଡ୍ରାଫ୍‌ ଟିମ୍‌କୁ ପ୍ରସ୍ତୁତ ରଖାଯାଇଛି।

Buy Now: Best Selling Smartphone


ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ତୁରନ୍ତ ଫେରିଆସିବାକୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛନ୍ତି।


ଏହି ଝଡ଼ର ପ୍ରଭାବରେ ଉପକୂଳ ଅଞ୍ଚଳଗୁଡ଼ିକରେ ପ୍ରବଳ ବର୍ଷା ସହ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର କହିଛି। ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକସ୍ଥଳେ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ପଦକ୍ଷେପ ନିଆଯାଇଛି। ତଳିଆ ଅଞ୍ଚଳରୁ ପାଣି ନିଷ୍କାସନ କରିବା ପାଇଁ ଉଚିତ ବ୍ୟବସ୍ଥା ଗ୍ରହଣ କରାଯାଉଛି।


ସେହିପରି ବାତ୍ୟା ‘ଦାନା’ର ପ୍ରଭାବରେ ୨୪ ତାରିଖ ଗୁରୁବାର ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, କଟକ ଓ ଯାଜପୁରକୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି। ଏହି ସବୁ ଜିଲ୍ଲାଗୁଡ଼ିକରେ ପବନର ବେଗ ସର୍ବାଧିକ ଘଣ୍ଟା ପ୍ରତି ୧୨୦କିମି ରହିବାର ଆକଳନ କରିଛି ପାଣିପାଗ ବିଭାଗ।


ଅନୁଗୁଳ, କେନ୍ଦୁଝର, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ବାତ୍ୟା ସମୟରେ ଏହି ସବୁ ଜିଲ୍ଲାଗୁଡ଼ିକରେ ପବନର ବେଗ ୬୦ରୁ ୯୦କିମି ମଧ୍ୟରେ ରହିବ। ସେହିପରି ବୌଦ୍ଧ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ନୟାଗଡ଼ ଓ ଗଂଜାମ ଜିଲାରେ ପବନର ବେଗ ସର୍ବାଧିକ ୭୦ କିମି ରହିପାରେ।

Trending Searches Today |

Cyclone Dana in Odisha 2024: ଆସୁଛି ବାତ୍ୟା ‘ଦାନା’, ପବନର ବେଗ ୧୦୦ରୁ ୧୨୦କିମି ହୋଇପାରେ  

Share this: