ଗତ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୩୭ ହଜାର ରୋଗୀ ସୁସ୍ଥ,ପ୍ରଥମ ଲକଡାଉନ ପରଠାରୁ ଭାରତର ମୃତ୍ୟୁହାର ସର୍ବନିମ୍ନ

Share this:

ନୂଆଦିଲ୍ଲୀ : ବିଶ୍ଵରେ କରୋନା ଜନିତ ମୃତୁହାର ବଢୁଥିବା ସମୟରେ  ଭାରତ ସର୍ବନିମ୍ନ କୋଭିଡ ଜନିତ ମୃତ୍ୟୁହାର ବଜାୟ ରଖିଛି। ଗତକାଲି ସୁଦ୍ଧା  ମୃତ୍ୟୁହାର ୨.୧୫ ପ୍ରତିଶତରେ ପହଞ୍ଚିଥିବା ବେଳେ ପ୍ରଥମ ଲକଡାଉନ ପରଠାରୁ ଏହା ସର୍ବନିମ୍ନ ବୋଲି ଜଣାପଡିଛି। ଜୁନ ମାସ ମଧ୍ୟଭାଗରେ ଏହା ଶତକଡା ୩.୩୩ ଥିବା ବେଳେ କ୍ରମାଗତ ଭାବେ ଏହା ହ୍ରାସ ପାଇଆସୁଛି।

କେନ୍ଦ୍ର ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ସହିତ କେନ୍ଦ୍ରର ପ୍ରୟାସ, ସମନ୍ୱିତ ଏବଂ ବିକାଶଶୀଳ “ପରୀକ୍ଷା, ଚିହ୍ନଟ, ଚିକିତ୍ସା” ରଣନୀତିର ଏହା ସୁଫଳ  ପରିଣାମ ବୋଲି କୁହାଯାଉଛି। ଆକ୍ରମଣାତ୍ମକ ପରୀକ୍ଷଣ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମାମଲାଗୁଡ଼ିକର ପ୍ରଭାବଶାଳୀ ଚିକିତ୍ସା ପରିଚାଳନା ମାଧ୍ୟମରେ ଶୀଘ୍ର ଚିହ୍ନଟ ଉପରେ ଗୁରୁତ୍ୱ ଦିଆଯିବା ଦ୍ଵାରା ମୃତ୍ୟୁହାର କ୍ରମାଗତ ଭାବରେ ହ୍ରାସ ପାଇଛି, ଯାହା ସୂଚାଇ ଦେଇଛି ଯେ ଭାରତ କୋଭିଡ-୧୯ ର ମୃତ୍ୟୁ ହାରକୁ ସଫଳତାର ସହ ବାନ୍ଧି ରଖିବାରେ ସକ୍ଷମ ହୋଇଛି।

ଦକ୍ଷ ଆବଦ୍ଧାଞ୍ଚଳ ପରିଚାଳନା, ଅଧିକରୁ ଅଧିକ ପରୀକ୍ଷା ଏବଂ ନିୟମାବଳୀ ପାଳନ ସହ ଉତ୍ତମ ଚିକିତ୍ସା ଯୋଗୁଁ ଦିନକୁ ୩୦ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହେଉଛନ୍ତି। ବର୍ତ୍ତମାନ ମୋଟ ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୧୧ ଲକ୍ଷରେ ପହଞ୍ଚିଛି। ଗତ ୨୪ଘଣ୍ଟା ମଧ୍ୟରେ ୩୬ ହଜାର ୫୬୯ ଜଣ ରୋଗୀ ହସ୍ପିଟାଲରୁ ଘରକୁ ଫେରିଥିବା ବେଳେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୦ ଲକ୍ଷ ୯୪ ହଜାର ୩୭୪ରେ ପହଞ୍ଚିଛି। ଏହି ହାର ଶତକଡା ୬୪.୫୩ ବୋଲି ଜଣାପଡିଛି।

ଦିନକୁଦିନ ଆରୋଗ୍ୟ ହାର ବୃଦ୍ଧି ପାଉଥିବାରୁ ସକ୍ରିୟ ରୋଗୀ ଏବଂ ଆରୋଗ୍ୟଙ୍କ ମଧ୍ୟରେ ପାର୍ଥକ୍ୟ ମଧ୍ୟ ବୃଦ୍ଧି ପାଇଛି। ବର୍ତ୍ତମାନ ଏହା ୫ ଲକ୍ଷ ୨୯ ହଜାର ୨୭୧ ଥିବା ବେଳେ୫ ଲକ୍ଷ ୬୫ ହଜାର ୧୦୩ ଜଣ ସକ୍ରିୟ ରୋଗୀ ଚିକିତ୍ସାଧୀନ ଅଛନ୍ତି। ତ୍ରୀସ୍ତରୀୟ ହସ୍ପିଟାଲ ଭିତ୍ତିଭୂମି ଯୋଗୁଁ ରୋଗୀ ଉପଚାରର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି ପାଇଛି।

ଆଜିସୁଦ୍ଧା ୧୪୮୮ ଟି ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲରେ ୨ ଲକ୍ଷ ୪୯ ହଜାର ୩୫୮ ଏକାନ୍ତବାସ ଶଯ୍ୟା, ୩୧ ହଜାର ୬୩୯ ଟି ଆଇସିୟୁ ଶଯ୍ୟା ଏବଂ ୧ ଲକ୍ଷ ୯ ହଜାର ୧୧୯ ଟି ଅମ୍ଳଜାନଯୁକ୍ତ ଶଯ୍ୟା,୧୬ ହଜାର ୬୭୮ଟି ଭେଣ୍ଟିଲେଟର ରହିଛି। ୩ ହଜାର ୨୩୧ଟି କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୨ ଲକ୍ଷ ୭ ହଜାର ୨୩୯ଟି ଏକାନ୍ତବାସ ଶଯ୍ୟା, ୧୮ ହଜାର ୬୧୩ ଟି ଆଇସିୟୁ ଶଯ୍ୟା, ୭୪ ହଜାର ୧୩୦ଟି ଅମ୍ଳଜାନଯୁକ୍ତ ଶଯ୍ୟା ଏବଂ ୬ ହଜାର ୬୬୮ଟି ଭେଣ୍ଟିଲେଟର ରହିଛି। କେନ୍ଦ୍ର ସରକାର ୨ କୋଟି ୭୩ ଲକ୍ଷ ୮୫ ହଜାର ଏନ-୯୫ ମାସ୍କ ଏବଂ ଏକ କୋଟି ୨୧ ଲକ୍ଷ ୫ ହଜାର ପିପିଇ କିଟ୍ସ, ୧ କୋଟି ୮୩ ଲକ୍ଷ ୭୭ ହଜାର ହାଇଡ୍ରୋକ୍ସିନ କ୍ଳୋରୋକୁଇନ ବଟିକା ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଅନୁଷ୍ଠାନକୁ ଯୋଗାଇ ଦେଇଛନ୍ତି।

From The Web

Share this: