Breaking NewsCORONA UPDATESଓଡ଼ିଶା

Unlock 7.0: ଡିସେମ୍ବର ମାସ ପାଇଁ କୋଭିଡ୍‍ ନିର୍ଦ୍ଦେଶାବଳୀ ଜାରି

Share this:

ଭୁବନେଶ୍ୱର: ରାଜ୍ୟ ସରକାର ଡିସେମ୍ବର ମାସ ପାଇଁ କୋଭିଡ୍‍ ନିର୍ଦ୍ଦେଶାବଳୀ (Covid-19 Guidelines) ଜାରି କରିଛନ୍ତି। ନିର୍ଦ୍ଦେଶାବଳୀ ଅନୁଯାୟୀ କଣ୍ଟେନ୍‍ମେଣ୍ଟ ଜୋନ୍‍ ପରିସରରେ ଡିସେମ୍ବର ୩୧ ତାରିଖ ଯାଏଁ ଲକ୍‍ଡାଉନ୍‍ (Lock down) କଟକଣା ଜାରି ରହିବ।

କଣ୍ଟେମେଣ୍ଟନ ଜୋନ୍‍ ବାହାରେ କେନ୍ଦ୍ର ସରକାରଙ୍କ ପରାମର୍ଶ ନ ନେଇ କେହି ଲକ୍‍ଡାଉନ୍‍ କରିପାରିବେ ନାହିଁ। ସେହିଭଳି ଆନ୍ତଃରାଜ୍ୟ ସାମଗ୍ରୀ ଓ ଯାତ୍ରୀ ପରିବହନ ପୂର୍ବ ପରି ଚାଲୁ ରହିବ। ବିମାନ ଓ ରେଳସେବା ପୂର୍ବ ଗାଇଡ୍‍ଲାଇନ୍‍ ଅନୁଯାୟୀ ଜାରି ରହିବ।

ଡିସେମ୍ବର ୩୧ ତାରିଖ ଯାଏଁ ସ୍କୁଲ୍‍ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ୍‍ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି। ଯଦି ସ୍କୁଲ ଖୋଲିବ ତେବେ କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପର୍ଯ୍ୟନ୍ତ କ୍ଲାସ୍‍ ପାଇଁ ଅନୁମତି ମିଳିବ। ଡିସେମ୍ବର ୧ ଆଜିଠାରୁ ରାଜ୍ୟର ସମସ୍ତ ମେଡିକାଲ୍‍ କଲେଜ ଖୋଲିବ। କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବା ନେଇ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେବ।

ବର୍ତ୍ତମାନ ବିବାହ-ବ୍ରତ ଆଦି ଉତ୍ସବରେ ସର୍ବାଧିକ ୨୦୦ ଲୋକ ଏବଂ ଅନ୍ତେଷ୍ଟିକ୍ରିୟାରେ ସର୍ବାଧିକ ୫୦ ଲୋକଙ୍କୁ ଅନୁମତି ମିଳିବ। ଏ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ବେଳେ ମାସ୍କ୍‍, ସାମାଜିକ ଦୂରତା, ହାତ ଧୁଆ ଆଦିକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବପରି ସିନେମାହଲ୍‍, ସୁଇମିଂପୁଲ୍‍, ମନୋରଞ୍ଜନ କମ୍ପେ୍ଲକ୍ସ, ଥିଏଟର, ଅଡିଟୋରିଅମ୍‍, ସମ୍ମିଳନୀ କକ୍ଷ ଆଦି ବନ୍ଦ ରହିବ। ଆବଶ୍ୟକ କୋଭିଡ୍‍ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ମୁକ୍ତାକାଶ ମଞ୍ଚକୁ ଖୋଲାଯାଇ ପାରିବ।

ସେହିପରି ସର୍ବାଧିକ ୧୦୦ ଲୋକଙ୍କୁ ନେଇ କୋଭିଡ୍‍ କଟକଣା ଭିତରେ ବିଜ୍‍ନେସ୍‍ ଟୁ ବିଜ୍‍ନେସ୍‍ (B2B) କାର୍ଯ୍ୟକ୍ରମ ହୋଇପାରିବ। କିନ୍ତୁ ତୋଷାଳୀ ମେଳା, ଶିଶିର ସରସ ପରି ପ୍ରଦର୍ଶନୀ ଉପରେ କଟକଣା ଜାରି କରାଯାଇଛି। ପୂର୍ବ ପରି ବଡ଼ ଧରଣର ସାମାଜିକ,ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବ ଆୟୋଜନ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶାବଳୀରେ ନିର୍ଦ୍ଦେଶ ରହିଛି।

Also Read | Pari Murder Case: ପରୀହତ୍ୟା ମାମଲାକୁ ନେଇ ରାଜଧାନୀ ଦିଲ୍ଲୀରେ ବିଜେପିର ବିକ୍ଷୋଭ; ଜାତୀୟ ଶିଶୁ ସୁରକ୍ଷା କମିସନଙ୍କୁ ସମ୍ବିତ ପାତ୍ରଙ୍କ ସାକ୍ଷାତ୍‍

Share this: