Puri Ratha Yatra: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ, ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ତିନି ରଥ

Share this:

ପୁରୀ:ଚଳିତ ବର୍ଷ କୋଭିଡ-୧୯ କଟକଣା (Covid-19 Guidelines) ରେ ଶ୍ରୀକ୍ଷେତ୍ରରେ ରଥଯାତ୍ରା (Ratha Yatra) ର ଆୟୋଜନ ହୋଇଛି। ଆଜି ଭୋର ୪.୩୦ଟାରୁ ରଥଯାତ୍ରା ନୀତି ଅନୁଷ୍ଠିତ ହୋଇଥିଲା। ପହଣ୍ଡି ବିଜେ ସକାଳ ୭ଟାରୁ ଆରମ୍ଭ ହୋଇ ସକାଳ ୧୦ଟା ପୂର୍ବରୁ ଶେଷ ହୋଇଯାଇଥିଲା। ସକାଳ ୬.୧୦ରେ ରଥ ପ୍ରତିଷ୍ଠା ସରିଥିଲା। ସକାଳ ୭ଟା ବେଳକୁ ଚତୁର୍ଦ୍ଧାବିଗ୍ରହଙ୍କ ଧାଡିପହଣ୍ଡି ଆରମ୍ଭ ହୋଇ ଯାଇଥିଲା। ଜଣଙ୍କ ପରେ ଜଣେ ଠାକୁର ବାଇଶି ପାହାଚରେ ଟାହିଆ ହଲାଇ ଆସିଥିଲେ।, ସକାଳ ୯ଟା ୫୦ ସୁଦ୍ଧା ପହଣ୍ଡି ଶେଷହୋଇଛି। ଶ୍ରୀଜିଉମାନଙ୍କୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦର୍ଶନ କରିଥିଲେ। ଗଜପତି ମହାରାଜ ତିନି ରଥ ଉପରେ ଛେରାପହଁରା କରିଥିଲେ।

କରୋନା ପାଇଁ ଚଳିତ ବର୍ଷ ପୁରୀକୁ ସାଧାରଣ ଭକ୍ତଙ୍କୁ ବାରଣ ହୋଇଛି। ବଡ଼ଦାଣ୍ଡରେ ୧୪୪ ଧାରା ଲାଗୁ ହୋଇଯାଇଛି। ଭକ୍ତମାନେ ମହାପ୍ରଭୁଙ୍କ ରଥଯାତ୍ରାକୁ ଦୂରଦର୍ଶନ ମାଧ୍ୟମରେ ଦେଖୁଛନ୍ତି। ଜଗନ୍ନାଥଙ୍କ ଘୋଷଯାତ୍ରା ସମ୍ପନ୍ନ ହୋଇଛି। ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ଦେଢ଼ ଘଣ୍ଟା ପୂର୍ବରୁ ପହଣ୍ଡି ଓ ତିନି ଘଣ୍ଟା ପୂର୍ବରୁ ରଥଟଣା ଆରମ୍ଭ ହୋଇଥିଲା। ଅପରାହ୍ନ ସୁଦ୍ଧା ତିନିରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚି ଯାଇଥିଲେ। ଅପରାହ୍ନ ୪.୩୦ରେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ପହଞ୍ଚିଥିବା ବେଳେ ୫.୦୦ଟା ସମୟରେ ମା ସୁଭଦ୍ରାଙ୍କ ରଥ ଦର୍ପଦଳନ ଏବଂ ୫.୩୦ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ନନ୍ଦିଘୋ‌ଷ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି।

ଆଜି ତିନି ରଥ ଉପରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଥିଲା। ବିନା ଭକ୍ତରେ ସେବାୟତମାନେ ରଥାରୁଢ଼ ଶ୍ରୀଜିଉମାନଙ୍କୁ ଟାଣି ଟାଣି ନେଉଥିଲେ। ସମ୍ପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶରେ ଆଗେ ଆଗେ ତାଳଧ୍ୱଜରେ ବଳଭଦ୍ର, ମଝିରେ ଦର୍ପଦଳନରେ ଦେବୀ ସୁଭଦ୍ରା ଓ ଶେଷରେ ଜଗତର ନାଥ ଜଗନ୍ନାଥ ନନ୍ଦିଘୋଷରେ ନିଜର ଭକ୍ତମାନଙ୍କୁ ଦର୍ଶନ ଦେବାକୁ ବାହାରିଥିଲେ। ସେବାୟତ ତିନିରଥ ଟାଣି ନେଉଥିଲେ। ବଡ଼ଦାଣ୍ଡରେ ସୃଷ୍ଟି ହୋଇଥିଲା  ଭକ୍ତିମୟ ପରିବେଶ।

କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଏବଂ ତିନିରଥ ଗୁଣ୍ଡିଚା ମନ୍ଦିର ନିକଟରେ ପହଁଚାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସେବାୟତମାନଙ୍କୁ ସେମାନଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।  ମହାପ୍ରଭୁଙ୍କ ରଥଯାତ୍ରା ଯେପରି ସୁରୁଖୁରୁରେ ସମ୍ପନ୍ନ ହେବ ସେଥିପାଇଁ ଦିନରାତି କାମ କରିଥିବା ଶ୍ରୀମନ୍ଦିର ପ୍ରଶାସନ, ପୁଲିସ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି। ସର୍ବୋପରି କୋଭିଡ୍ କଟକଣା ମଧ୍ୟରେ ଆଜିର ଶ୍ରୀଗୁଣ୍ଡିଚା ଯାତ୍ରାରେ ପୁରୀର ଜନସାଧାରଣ ଯେପରି ଶୃଙ୍ଖଳାର ପରାକାଷ୍ଠା ଦେଖାଇଛନ୍ତି ତାହା ନିଶ୍ଚିତ ଭାବରେ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ପୁରୀବାସୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଛନ୍ତି।

Also Read | Dhenkanal:ଆଜି ଢେଙ୍କାନାଳ ଜିଲ୍ଲାରୁ ନୂଆ ୪୪ଜଣ corona ପଜିଟିଭ ଚିହ୍ନଟ,୪ଜଣଙ୍କ ମୃତ୍ୟୁ

Share this: