ଲେବାନନ ରାଜଧାନୀ ବେରୁଟ ବିସ୍ଫୋରଣରେ ୭୦ ରୁ ଅଧିକ ଲୋକ ମୃତ, ପ୍ରାୟ ୪୦୦୦ ଆହତ

Share this:

ବେରୁଟ : ଗତକାଲି ଲେବାନାନର ରାଜଧାନୀ ବେରୁଟରେ ଦୁଇଟି ବଡ଼ ବିସ୍ଫୋରଣରେ ପ୍ରାୟ ୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୪ ହଜାର ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀ ହମାଦ ହାସନ ଏହି ସୂଚନା ଦେଇଛନ୍ତି।

ନ୍ୟୁଜ୍ ଏଜେନ୍ସି ଜିନହୁଆ ରିପୋର୍ଟ କରିଛି ଯେ ଏହି ବିସ୍ଫୋରଣ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬.୧୦ ସ୍ଥାନୀୟ ସମୟରେ  ଘଟିଛି। ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ସମଗ୍ର ସହରର ଅଟ୍ଟାଳିକାକୁ କମ୍ପିତ କରିଥିଲା ଏବଂ  ଯାହାଦ୍ୱାରା କ୍ଷତି ଘଟିଥିଲା।

ଅଲଜାଦିଦ ଟିଭି  କହିଛି ଯେ ଏହି ବିସ୍ଫୋରଣରେ ୭୦ ରୁ ଅଧିକ ଲୋକପ୍ରାଣ ହରାଇଛନ୍ତି ଏବଂ ପ୍ରାୟ ୪ ହଜାର ଲୋକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢିବା ଜାରି ରହିଛି, ତେଣୁ ମୃତକଙ୍କ ସଂଖ୍ୟା ବଢିବ ବୋଲି ଆଶା କରାଯାଉଛି।

ଲେବାନାନର ପ୍ରଧାନମନ୍ତ୍ରୀ ହାସନ ଦିବ ତାଙ୍କର ସହଯୋଗୀମାନଙ୍କୁ ଲେବାନନକୁ ଭୟଙ୍କର ବିସ୍ଫୋରଣର ପରିଣାମରୁ ମୁକ୍ତି ପାଇବାକୁ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି।

ଏହି ସମୟରେ, ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ଦିବସରେ ବୁଧବାର ଦିନ ଜାତୀୟ ଶୋକ ଦିବସ ବୋଲି ଘୋଷଣା କରିଛନ୍ତି। ବିସ୍ଫୋରଣର କାରଣ ଏବଂ ପରିଣାମ ବିଷୟରେ ଆଲୋଚନା କରିବା ପାଇଁ ଲେବାନନ୍ ରାଷ୍ଟ୍ରପତି ମିସେଲ୍ ଏଓନ୍ ଉଚ୍ଚ ପ୍ରତିରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡାକିଛନ୍ତି।

ଏହି ବିସ୍ଫୋରଣ ପଛର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କିନ୍ତୁ ଲେବାନାନର ଆଭ୍ୟନ୍ତରୀଣ ମନ୍ତ୍ରୀ ମହମ୍ମଦ ଫହମି ଆଶଙ୍କା  କରିଥିଲେ ଯେ ଏହି ବିସ୍ଫୋରଣ ପାଇଁ ବେରୁଟ ବନ୍ଦରରେ ସଂରକ୍ଷିତ ବିସ୍ଫୋରକ ରାସାୟନିକ ପଦାର୍ଥ ଦାୟୀ ହୋଇପାରେ। ଫହିମ କହିଛନ୍ତି, ବେରୁଟ ବନ୍ଦରରେ ଏଭଳି ରାସାୟନିକ ସାମଗ୍ରୀ ସଂରକ୍ଷଣ ପଛର କାରଣ ବିଷୟରେ କଷ୍ଟମ୍ସ ଅଧିକାରୀଙ୍କୁ ପଚରାଯିବା ଉଚିତ୍।

ବିସ୍ଫୋରଣର କାରଣ ତୁରନ୍ତ ସ୍ପଷ୍ଟ ହୋଇନାହିଁ। ଅଧିକାରୀମାନେ ଏହି ବିସ୍ଫୋରଣକୁ ପ୍ରାୟ ୨୭୦୦ ଟନ୍ ଜବତ ହୋଇଥିବା ଆମୋନିଅମ୍ ନାଇଟ୍ରେଟ୍ କୁ ସନ୍ଦେହ କରିଥିଲେ ଯାହା ବନ୍ଦରର ଗୋଦାମରେ ୬ ବର୍ଷ ଧରି ରଖାଯାଇଥିଲା।

ଏହି ବିସ୍ଫୋରଣରେ ହୋଇଥିବା କ୍ଷୟକ୍ଷତି ପାଇଁ ବିଶ୍ଵର  ଅନେକ ଦେଶ ଲେବାନନ୍ ପ୍ରତି ସମବେଦନା ଜଣାଇଛନ୍ତି। କୋଭିଡ-୧୯  ମହାମାରୀ ଏବଂ ଏହାର ଅର୍ଥନୈତିକ ସଙ୍କଟ ସହ ସଂଗ୍ରାମ କରୁଥିବା ଲେବାନନ ପାଇଁ ଏହି ବିସ୍ଫୋରଣ ଅନ୍ୟ ଏକ ବଡ଼ ପ୍ରତିବନ୍ଧକ।

ଇରାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ ମଙ୍ଗଳବାର କହିଛନ୍ତି ଯେ ସେ ଲେବାନନକୁ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛନ୍ତି। ଜରିଫ ଟ୍ୱିଟ୍ କରି କହିଛନ୍ତି ଯେ ଆମର ପ୍ରାର୍ଥନା ଲେବାନନ୍ ଲୋକଙ୍କ ସହ ଅଛି। ସବୁଥର ପରି ଇରାନ ମଧ୍ୟ ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏଥିସହ ତୁର୍କୀ, ଇଜିପ୍ଟ ଏବଂ ପାଲେଷ୍ଟାଇନ ମଧ୍ୟ ଏହି ବିସ୍ଫୋରଣରେ ପ୍ରାଣ ହରାଇଥିବା ଲୋକ ଏବଂ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

From The Web

Share this: