ସରକାରୀ କର୍ମଚାରୀ ଙ୍କ ପାଇଁ ୱାର୍କ ଫ୍ରମ୍‌ ହୋମ୍‌, ସ୍ୱାସ୍ଥ୍ୟ ବିଭାଗ ବାଦ

Share this:

ଭୁବନେଶ୍ୱର : ଗତକାଲି ରାତି ୯ ରୁ  କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଭୁବନେଶ୍ୱର ସମେତ ୪ଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ୧୪ଦିନିଆ ଲକଡାଉନ୍  କାର୍ଯ୍ୟକାରୀ ହୋଇଛି। ରାଜ୍ୟର ସମସ୍ତ ବିଭାଗର କର୍ମଚାରୀଙ୍କ ପାଇଁ ୱାର୍କ ଫ୍ରମ୍ ହୋମ୍ ଓ ୱସାସ (OSWAS)  (Odisha Secretariat Workflow Automation System ) ସୁବିଧା ରହିବ। ଏଥିରୁ କିନ୍ତୁ ସ୍ଵାସ୍ଥ୍ୟ ବିଭାଗ କୁ ବାଦ ଦିଆଯାଇଛି। ସେହିପରି  ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ପରିଚାଳନା, ଜିଲ୍ଲା ଓ ପୌର ପ୍ରଶାସନ, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀ ଏହି ଲକଡାଉନରୁ ବାଦ୍ ଦିଆଯାଇଛି।

ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଜିଲ୍ଲା ସମେତ ରାଉରକେଲା ମହାନଗର ନିଗମ ଅଂଚଳରେ ଗତ ରାତି ଠାରୁ ଲକଡାଉନ୍ ଆରମ୍ଭ ହୋଇଛି। ଏହି ଲକଡାଉନ୍ ଅବଧିରେ ରାଜ୍ୟ ସରକାରଙ୍କ ବିଭାଗଗୁଡ଼ିକ ନିଜର କର୍ମଚାରୀମାନଙ୍କ ପାଇଁ ୱାର୍କ ଫ୍ରମ ହୋମ ପ୍ରୋଟୋକଲକୁ ପାଳନ କରିବେ। ଯେହେତୁ ୱସାସରେ (OSWAS) ଅଫିସ୍ କାର୍ଯ୍ୟ କରାଯିବ ତେଣୁ ଭିପିଏନ୍(VPN) ସୁବିଧା ଦିଆଯାଇଛି। ପ୍ରତ୍ୟେକ ବିଭାଗ ନିଜର ସେକ୍ସନରେ କର୍ମଚାରୀମାନଙ୍କ ରୋଷ୍ଟର ଡ୍ୟୁଟି କରାଇବେ। ଯାହାଫଳରେ ସମସ୍ତ ଡାକ ଇସ୍ୟୁ ଓ ପ୍ରାପ୍ତି ସ୍ୱୀକାର କୁ ସ୍କାନିଂ କରି ୱସାସରେ ଅପଲୋଡ୍ କରିବାରେ ଅସୁବିଧା ହେବ ନାହିଁ। ୱସାସ ଏବଂ ଅନ୍ୟାନ୍ୟ ଆଇଟି ସମେତ ଟେଲିକମ୍ ସେବାଗୁଡିକର ନିରବଚ୍ଛିନ୍ନ କାର୍ଯ୍ୟକୁ ନିଶ୍ଚିତ କରିବାକୁ ରାଜ୍ୟ ଆଇଟି କେନ୍ଦ୍ର ୨୪ ଘଣ୍ଟା ସହାୟତା ପ୍ରଦାନ କରିବ ବୋଲି ନିଷ୍ପତ୍ତି ହୋଇଛି।

ଲକଡାଉନ୍ ସମୟରେ ସମସ୍ତ କର୍ମଚାରୀ ହେଡକ୍ୱାର୍ଟରରେ ରହିବେ ନୋଟିସ ଓ ଟେଲିଫୋନ୍ ମାଧ୍ୟମରେ ଜଣା ଯିବାପରେ ଠିକ ସମୟରେ ଅଫିସରେ ଯୋଗ ଦେଇପାରୁଥିବେ। ବିଭାଗୀୟ ସଚିବମାନେ ଚାହିଁଲେ ନିଜର ନିର୍ଦ୍ଦିଷ୍ଟ କର୍ମଚାରୀମାନଙ୍କୁ ବ୍ୟକ୍ତିଗତ ଭାବେ ଅଫିସ୍ ଆସିବା ପାଇଁ କହିପାରିବେ। ଲକଡାଉନ୍ ରେ  କେବଳ ଭର୍ଚୁଆଲ ବୈଠକ ପାଇଁ ଅନୁମତି ମିଳିଛି।

ଏହି କରୋନା ମହାମାରୀର ସଂକ୍ରମଣକୁ ରୋକିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହେଉଥିବା ପରାମର୍ଶକୁ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଶ୍ଚିତ ଭାବେ ପାଳନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶ ଦେଇଛି।

FROM THE WEB

Share this: