Weather Report: ଆଜି ଓଡ଼ିଶାରେ ପ୍ରବଳ ବର୍ଷା, ପବନର ବେଗ ଘଣ୍ଟା ପ୍ରତି ୬୫ କିଲୋମିଟର ହୋଇପାରେ
ଭୁବନେଶ୍ଵର: ଆଣ୍ଡାମାନରେ ସୃଷ୍ଟ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବା ପରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ତୀବ୍ର ଅବପାତରେ ପରିଣତ ହେବା ସହ ପଶ୍ଚିମ-ଉତ୍ତର-ପଶ୍ଚିମ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ବିଶାଖାପଟନମ୍ ମଧ୍ୟରେ ଆଜି ରାତି ସୁଦ୍ଧା ଅତିକ୍ରମ କରିବାର ସମ୍ଭାବନା ରହିଛି।
ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲିଠାରୁ ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଲଘୁଚାପ ଅବପାତରେ ପରିଣତ ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶା ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସହିତ ସ୍ଥଳ ବିଶେଷ ପବନର ବେଗ ଘଣ୍ଟା ପ୍ରତି ୬୫ କିଲୋମିଟରକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ଅବପାତ ଜନିତ ବର୍ଷା ଓ ଅଧିକ ବେଗରେ ପବନ ବହିବା ସମ୍ଭାବନା ଥିବା ଦୃଷ୍ଟିରେ ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନ୍ର ପ୍ରଦୀପ କୁମାର ଜେନା ପ୍ରବଳ ବର୍ଷାର ସମ୍ଭାବନା ଥିବା ଜିଲ୍ଲାଗୁଡ଼ିକର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Also Read|Puri: ପୁରୀ ବେଳାଭୂମିକୁ ମିଳିଲା ‘ବ୍ଲୁ ଫ୍ଲାଗ୍’ ଟ୍ୟାଗ୍ ପ୍ରମାଣପତ୍ର