Breaking NewsCORONA UPDATESଓଡ଼ିଶାଜାତୀୟ

Unlock 5.0:ଏଣିକି ଶହେରୁ ଅଧିକ ଏକାଠି ଜନ ସମାବେଶ ହୋଇପାରିବେ,ନେବାକୁ ପଡିବ ପରମିସନ୍

Share this:

ନୂଆଦିଲ୍ଲୀ: କଣ୍ଟେନମେଣ୍ଟ ଜୋନ୍ (Containment Zone) ବାହାରେ ଅଧିକ କାର୍ଯ୍ୟକଳାପକୁ ଅନୁମତି ଦେବା ଲାଗି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୂଆ ଦିଶାନିର୍ଦ୍ଦେଶ (Guidelines) ଜାରି କରାଯାଇଛି। ଏହି ଗାଇଡଲାଇନ ଅକ୍ଟୋବର ୧ ଠାରୁ ଲାଗୁ ହେବ। ଏହା ଦେଶରେ ବିଭିନ୍ନ କାର୍ଯ୍ୟକଳାପକୁ ପୁନଃଖୋଲିବା ପ୍ରକ୍ରିୟାକୁ ଆହୁରି ସମ୍ପ୍ରସାରିତ କରିବ। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ନିକଟରୁ ମିଳିଥିବା ମତାମତ ଏବଂ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକ ସହିତ ବ୍ୟାପକ ବିଚାର ଆଲୋଚନା କରିବା ପରେ ଏହି ନୂଆ ଦିଶାନିର୍ଦ୍ଦେଶ ଆଜି ଜାରି କରାଯାଇଛି।

କେବଳ କଣ୍ଟେନମେଣ୍ଟ ଜୋନ ବାହାରେ  ସାମାଜିକ, ଶିକ୍ଷାଗତ, କ୍ରୀଡ଼ା , ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ସମାବେଶ ପାଇଁ ୧୦୦ ଜଣ ମଧ୍ୟରେ ଲୋକଙ୍କ ସମାବେଶକୁ ପୂର୍ବରୁ ଅନୁମତି ଦିଆଯାଇସାରିଛି।  ଏଣିକି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ଏପରି ସମାବେଶରେ ୧୦୦ ରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ନିମନ୍ତେ ଅନୁମତି ଦେଇପାରିବେ। 

୧୫  ଅକ୍ଟୋବର, ୨୦୨୦ ପରେ କଣ୍ଟେନମେଣ୍ଟ ଜୋନ ବାହାରେ ନିମ୍ନୋକ୍ତ ସର୍ତ୍ତାବଳୀ ସହିତ ଏପରି ସମାବେଶକୁ ଅନୁମତି ଦିଆଯାଇପାରିବ :

ଆବଦ୍ଧ ସ୍ଥାନଗୁଡ଼ିକରେ ସଭାଗୃହର ସମ୍ପୂର୍ଣ୍ଣ କ୍ଷମତାର ୫୦ ପ୍ରତିଶତ ଏବଂ ୨୦୦ ରୁ କମ ଲୋକଙ୍କର ସମାବେଶକୁ ଅନୁମତି ମିଳିବ। ମୁହଁରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ଥର୍ମାଲ ସ୍କାନିଂ ବ୍ୟବସ୍ଥା ଏବଂ ହାତ ସଫା କିମ୍ବା ସାନିଟାଇଜର ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି।

ଖୋଲା ସ୍ଥାନଗୁଡ଼ିକରେ ପଡ଼ିଆ ଓ ଖାଲିସ୍ଥାନକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା, ବାଧ୍ୟତାମୂଳକ ଭାବେ ଫେସ ମାସ୍କ ପିନ୍ଧିବା, ଥର୍ମାଲ ସ୍କାନିଂ ଓ ହାତ ସଫା କିମ୍ବା ସାନିଟାଇଜର ବ୍ୟବସ୍ଥା ସହିତ ଅନୁମତି ଦିଆଯିବ।

ଏପରି ସମାବେଶ କାରଣରୁ ଯେପରି କୋଭିଡ ବ୍ୟାପିବ ନାହିଁ, ତାହା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ  ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ବିସ୍ତୃତ ଏସଓପି (SOP) ଜାରି କରିବେ ଏବଂ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବେ।

କଣ୍ଟେନମେଣ୍ଟ ଜୋନ ବାହାରେ ନିମ୍ନୋକ୍ତଗୁଡ଼ିକୁ ବାଦ୍ ଦେଲେ ଅନ୍ୟ ସମସ୍ତ କାର୍ଯ୍ୟକଳାପକୁ ଅନୁମତି ମିଳିବ :

ଗୃହ ମନ୍ତ୍ରଣାଳୟର ଅନୁମତି ବିନା ଅନ୍ତର୍ଜାତୀୟ ବିମାନ ଯାତ୍ରା।

କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ୩୧ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ କଡ଼ାକଡ଼ି ଭାବେ ଲକଡାଉନ ଜାରି କରାଯିବ।

ସଂକ୍ରମଣ ଶୃଙ୍ଖଳକୁ ପ୍ରଭାବୀ ଢଙ୍ଗରେ ଭାଙ୍ଗିବା ଉଦ୍ଦେଶ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନକୁ ବିବେଚନା କରି କ୍ଷେତ୍ରୀୟ ସ୍ତରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନଗୁଡ଼ିକୁ ଚିହ୍ନିତ କରାଯିବ। ଏହିସବୁ କଣ୍ଟେନମେଣ୍ଟ ଜୋନରେ କଠୋର ଭାବେ କଟକଣା ଲାଗୁ କରାଯିବ ଏବଂ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପଗୁଡ଼ିକୁ ଅନୁମତି ମିଳିବ।

କଣ୍ଟେନମେଣ୍ଟ ଜୋନ ମଧ୍ୟରେ କଡ଼ାକଡ଼ି ଭାବେ ନିୟନ୍ତ୍ରଣ ବ୍ୟବସ୍ଥା ଲାଗୁ ରହିବ ଏବଂ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ନିମନ୍ତେ ଅନୁମତି ମିଳିବ।

ଏସବୁ କଣ୍ଟେନମେଣ୍ଟ ଜୋନ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳ ଓ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ କର୍ତ୍ତୃପକ୍ଷ ସେମାନଙ୍କର ୱେବସାଇଟରେ ବିଜ୍ଞପ୍ତି ଜରିଆରେ ସୂଚୀତ କରିବେ ଏବଂ ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଦେବେ।

Also Read: Brahmos Supersonic Cruise Missile:ବ୍ରହ୍ମୋସ୍‍ କ୍ଷେପଣାସ୍ତ୍ରର ସଫଳ ବ୍ୟାବହାରିକ ପରୀକ୍ଷଣ

Share this: