Breaking Newsଓଡ଼ିଶାଜାତୀୟ

ଅନ୍‌ଲକ୍-୩ କେବଳ ରାତି କଟକଣା ଉଠିଲା, ଅଗଷ୍ଟ୩୧ ପର୍ଯ୍ୟନ୍ତ ସ୍କୁଲ ,କଲେଜ ସହିତ ଶିକ୍ଷାନୁଷ୍ଠାନ ବନ୍ଦ

Share this:

ନୂଆଦିଲ୍ଲୀ : କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆବଦ୍ଧାଞ୍ଚଳ ବାହାରେ କେତେକ କାର୍ଯ୍ୟକ୍ରମ ଚାଲୁ କରିବା ପାଇଁ ନୂତନ ମାର୍ଗଦର୍ଶିକା ଜାରି କରାଯାଇଛି। ଆସନ୍ତା ଅଗଷ୍ଟ ପହିଲାଠାରୁ ଲାଗୁ ହେବାକୁ ଥିବା ଅନଲକ-୩ ରେ କେତେକ କଟକଣାକୁ ପର୍ଯ୍ୟାୟକ୍ରମେ ଉଠାଇ ନିଆଯିବ। ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଉପଲବ୍ଧ ତଥ୍ୟକୁ ଆଧାର କରି ବିଭିନ୍ନ ମନ୍ତ୍ରଣାଳୟ ସହିତ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜାରି ରହିଥିବା ରାତ୍ରୀକାଳୀନ କର୍ଫ୍ୟୁକୁ ଅନଲକ -୩ ରେ ହଟାଇ ଦିଆଯାଇଛି।

ଅନଲକ -୩ ରେ ଅଗଷ୍ଟ୫ ରୁ ଦେଶରେ ଯୋଗ କେନ୍ଦ୍ର ଏବଂ ଜିମ୍‌ ଖୋଲିବା ପାଇଁ ଅନୁମତି ମିଳିଛି। ପୂର୍ବପରି ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ,ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସିନେମା ହଲ୍‌ ,ମେଟ୍ରୋ ଟ୍ରେନ୍,ସ୍ଵୀମିଂ ପୁଲ ଖୋଲିପାରିବ ନାହିଁ।

ଏଥର ସ୍ଵାଧୀନତା ଦିବସ ସମାରୋହରେ ସାମାଜିକ ଦୂରତ୍ଵ ସହିତ  ଅନ୍ୟ କୋଭିଡ଼ -୧୯ ସଂପର୍କିତ ନିୟମାବଳି କଡ଼ାକଡ଼ି ଭାବେ ପାଳନ ହେବ।ଏସଂକ୍ରାନ୍ତରେ ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ ୨୧  ତାରିଖ ଦିନ ଜାରି କରାଯାଇଥିବା ନିୟମାବଳୀକୁ ପାଳନ କରିବାକୁ ପଡିବ। ପ୍ରୋଟକଲ ସହିତ ସମାରୋହ ପାଇଁ ଅନୁମତି ମିଳିବ। କଣ୍ଟେନ୍‌ମେଣ୍ଟ ଜୋନ୍‌ ସଂକ୍ରାନ୍ତରେ ନିଷ୍ପତ୍ତି ପରିସ୍ଥିତିକୁ ଦେଖି ସ୍ଥାନୀୟ  ଜିଲ୍ଲା ପ୍ରଶାସନ ନିର୍ଦ୍ଧାରଣ କରିବ।ପୂର୍ବପରି ଏଥର ମଧ୍ୟ ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ ଏବଂ ମନୋରଂଜନ କାର୍ଯ୍ୟକ୍ରମ ଉପରେ କଟକଣା ରହିବ। ଜନଗହଳୀ ଠାରୁ ଦୂରେଇ ରହିବା ପାଇଁ କୁହାଯାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ସହ ଆଲୋଚନା ପରେ ସ୍କୁଲ, କଲେଜ ଏବଂ  କୋଚିଙ୍ଗ ସେଣ୍ଟରଗୁଡିକୁ ଅଗଷ୍ଟ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ତର୍ଜାତୀୟ ବିମାନ ଯାତ୍ରା ‘ବନ୍ଦେଭାରତ ମିସନ୍‌’ ଅଧୀନରେ ହିଁ ରହିବ। ଏହା  ଅଧୀନରେ ଯାତ୍ରୀମାନଙ୍କୁ ବିମାନ ଯୋଗେ ବିଦେଶ ଯାତ୍ରାକୁ ଅନୁମତି ଦିଆଯାଇଛି।  ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳମାନେ ନିଜ ନିଜ କ୍ଷେତ୍ରରେ କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ କଟକଣା ଲାଗୁ କରିପାରିବେ। ରାଜ୍ୟ ଭିତରେ କିମ୍ବା ଅନ୍ୟ ରାଜ୍ୟକୁ ଜନସଧାରଣଙ୍କ ଗମନାଗମନ ଏବଂ ସାମଗ୍ରୀ ନେବା ଆଣିବା କ୍ଷେତ୍ରରେ ପ୍ରତିବନ୍ଧକ ନାହିଁ। ଏପ୍ରକାରର ଚଳାଚଳ ନିମନ୍ତେ କୌଣସି ପ୍ରକାର ଅନୁମତିର ଆବଶ୍ୟକତା ପଡିବ ନାହିଁ ।

ପୂର୍ବରୁ ଜାରୀହୋଇଥିବା କୋଭିଡ-୧୯ ପାଇଁ ନିୟମାବଳୀ ସହିତ ସାମାଜିକ ଦୂରତ୍ଵ ସୁନିଶ୍ଚିତ କରିବା ପାଇଁ ସମଗ୍ର ଦେଶରେ ଲାଗୁ ହେବ। ପୂର୍ବପରି  ଦୋକାନଗୁଡିକ ଗ୍ରାହକମାନଙ୍କ ମଧ୍ୟରେ ଆବଶ୍ୟକ ସାମାଜିକ ଦୂରତ୍ଵ ରକ୍ଷା କରିବା କ୍ଷେତ୍ରରେ ନିୟମ କଡାକଡି କରାଯାଇଛି। ଏଥର ଜାତୀୟ ନିୟମାବଳୀ ପାଳନ ସମ୍ପର୍କରେ ଗୃହମନ୍ତ୍ରଣାଳୟ କଡାକଡି ଭାବେ ତଦାରଖ କରିବେ।

Share this: