ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ପାଇବେ ଆନ୍ତର୍ଜାତିକ ପ୍ରମାଣପତ୍ର

Share this:

ସୁନାମି ସତର୍କତା ଅବଲମ୍ବନ ଏବଂ ତଦନୁସାରେ ପ୍ରସ୍ତୁତ ରହି ଧନଜୀବନ ହାନିକୁ ହ୍ରାସ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦେଶର ପ୍ରଥମ ଗ୍ରାମଭାବେ ଓଡ଼ିଶାର ଦୁଇଟି ଗାଁ ଆସନ୍ତାକାଲି ଆନ୍ତର୍ଜାତିକ ପ୍ରମାଣପତ୍ର ଲାଭ କରିବେ। ଏହି ଦୁଇ ଗାଁ ହେଲା ଗଞ୍ଜାମ ଜିଲାର ଭେଙ୍କଟରାୟପୁର ଏବଂ ଜଗତସିଂହପୁର ଜିଲାର ନୋଳିଆ ସାହି। ୟୁନେସ୍କୋ, ଭାରତ ମହାସାଗର ସୁନାମି ସତର୍କତା ପରିଚାଳନା କମିଟି ଏବଂ ଏନ୍‌ଡିଆରଏଫ୍‌, ଓସ୍‌ଡମା ଏବଂ ଭାରତୀୟ ଭୂବିଜ୍ଞାନ ବିଭାଗର ମିଳିତ ସୁପାରିସରେ ଏହି ପ୍ରମାଣପତ୍ର ସଂପୃକ୍ତ ଦୁଇ ଗାଁ ପାଇବେ। ଗୋଷ୍ଠୀ ସଚେତନତା କ୍ଷେତ୍ରରେ ଏହି ଦୁଇ ତଟବର୍ତ୍ତୀ ଗାଁର ଲୋକେ ସୁନାମି ସତର୍କତା ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛନ୍ତି।

ଓଡ଼ିଶା ସମେତ ଭାରତର ବିଭିନ୍ନ ଉପକୂଳବର୍ତ୍ତୀ ରାଜ୍ୟରେ ଯେଉଁ ସୁନାମି ସତର୍କତା ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ସେଥିରେ ଇଣ୍ଡିଆନ୍‌ ନ୍ୟାସନାଲ ସେଣ୍ଟର ଫର୍‌ ଓସେନ୍‌ ଇନଫରମେସନ୍‌ ସର୍ଭିସ ବା ଇନ୍‌କଏସ୍‌ର ନିର୍ଦ୍ଦେଶକ, ଭୂବିଜ୍ଞାନ ମନ୍ତ୍ରଣାଳୟ ପ୍ରତିନିଧି, ଏନ୍‌ଡିଏମ୍‌ର ପ୍ରତିନିଧି, ଓସଡ୍‌ମାର ପ୍ରତିନିଧି, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପ୍ରତିନିଧି, ଆଣ୍ଡାମାନ ଓ ନିକୋବରର ବିଡିଏମ୍‌ ଆଦି ସଦସ୍ୟ ଅଛନ୍ତି।

ଏଥିପାଇଁ ଉଦ୍ଦିଷ୍ଟ ଜାତୀୟ ବୋର୍ଡ ସଂପୃକ୍ତ ଦୁଇ ଗ୍ରାମରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡିକୁ ଯାଞ୍ଚ କରିବା ପରେ ଏହାକୁ ଅନୁମୋଦନ କରିଛି। ଏହା ଫଳରେ ଏହି ଦୁଇ ଗ୍ରାମ ଜାତୀୟ ସ୍ତରରେ ସୁନାମି ପ୍ରାକ ସୂଚନା ବ୍ୟବସ୍ଥା ଥିବା ଗ୍ରାମଭାବେ ଜାତୀୟ ସ୍ତରରେ ଚିହ୍ନଟ ହୋଇଛି। ୟୁନେସ୍କୋ ଆଇଓସି ମଧ୍ୟ ଏହି ଦୁଇ ଗାଁର ଅଧିବାସୀ ବା ସଂପ୍ରଦାୟଙ୍କୁ ସୁନାମି ପ୍ରସ୍ତୁତ ସଂପ୍ରଦାୟଭାବେ ମାନ୍ୟତା ପ୍ରଦାନ କରିଛି। ଭାରତ ମହାସାଗର ଅଞ୍ଚଳରେ ସୁନାମି ପ୍ରସ୍ତୁତି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାରେ ଭାରତ ପ୍ରଥମ ଦେଶ ଏବଂ ଓଡ଼ିଶା ଏ କ୍ଷେତ୍ରରେ ପ୍ରଥମ ରାଜ୍ୟ।

ଭେଙ୍କଟରାୟପୁର ଓ ନୋଳିଆ ସାହି ବାସିନ୍ଦାଙ୍କୁ ୟୁନେସ୍କୋ ପକ୍ଷରୁ ଯେଉଁ ପ୍ରଶଂସା ସାର୍ଟିଫିକେଟ ପ୍ରଦାନ କରାଯିବ ତାହା ଭର୍ଚୁଆଲ ବ୍ୟବସ୍ଥାରେ ପରିଚାଳିତ ହେବ। ଏହାକୁ ଇନ୍‌କଏସ୍‌ ଏବଂ ଆଇଓଟିଆଇସି ମିଳିତଭାବେ ଆସନ୍ତାକାଲି ଆୟୋଜନ କରିବେ। ଏହି କାର୍ଯ୍ୟକ୍ରମରେ ଭୂବିଜ୍ଞାନ ମନ୍ତ୍ରଣାଳୟର ସଚିବ ଡଃ ଏମ୍‌ ରାଜୀବନ୍‌ ମୁଖ୍ୟ ଅତିଥିଭାବେ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟ ସଚିବ ଶ୍ରୀ ଜି.ଭି.ଭି ଶର୍ମା ସମ୍ମାନିତ ଅଥିତିଭାବେ ଯୋଗଦେବେ। ଏହି ଦୁଇଜଣ ଓଡ଼ିଶାର ଏହି ଦୁଇ ଗାଁକୁ ପ୍ରଶଂସାପତ୍ର ଓ ସାର୍ଟିଫିକେଟ ପ୍ରଦାନ କରିବେ। ଏହାଛଡା ଏହି କାର୍ଯ୍ୟକ୍ରମରେ ୟୁନେସ୍କୋ-ଆଇଓସି ଅଧିକାରୀ ଡଃ ଶ୍ରୀନିବାସ କୁମାର ଟୁମଳା, ଭାରତ ମହାସାଗର ସୁନାମି ସୂଚନା କେନ୍ଦ୍ରର ମୁଖ୍ୟ ଏ.ଏମ୍‌. କୋଡିଜାଟ୍‌, ଇଣ୍ଡୋନେସିଆର ପ୍ରଫେସର ବିଶେଷଜ୍ଞ ଡୁଇକୋରିଟା କର୍ଣ୍ଣାବତୀ, ଓଡିଶା ସରକାରଙ୍କ ଓସ୍‌ଡମାର ପରିଚାଳନା ନିର୍ଦେଶକ ତଥା ଅତିରିକ୍ତ ମୁଖ୍ୟ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଭେଙ୍କଟରାୟପୁର ଏବଂ ନୋଳିଆ ସାହିର ଅଧିକାରୀ ଉପସ୍ଥିତ ରହି ସାର୍ଟିଫିକେଟ ଗ୍ରହଣ କରିବେ। 

ସୁନାମି ସଂପର୍କରେ ଲୋକଙ୍କୁ ଯଥେଷ୍ଟ ପୂର୍ବରୁ ନିର୍ଭୁଲ ସୂଚନା ମିଳିଲେ ସେମାନେ ନିରାପଦ ସ୍ଥାନକୁ ଯାଇପାରିବେ ଏବଂ ଧନଜୀବନ ହାନି ଯଥେଷ୍ଟ ହ୍ରାସ ପାଇପାରିବ। ଏଥିପାଇଁ ବୈଜ୍ଞାନିକ ଏବଂ ଜରୁରୀକାଳୀନ ପରିଚାଳନା ଅଧିକାରୀମାନେ ଉଦ୍ୟମ ଜାରି ରଖିଛନ୍ତି। ଇତିମଧ୍ୟରେ ଆଗୁଆ ସୁନାମି ସୂଚନା ପ୍ରଦାନ ବ୍ୟବସ୍ଥାରେ ଉଲ୍ଲେଖନୀୟ ଉନ୍ନତି ଘଟିଛି। ନୂଆ ନୂଆ ସେନ୍‌ସର, ବିଭିନ୍ନ ପ୍ରକାର ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ଆଗୁଆ ଲୋକଙ୍କୁ ଖବର ପ୍ରଦାନ କରିବା ପାଇଁ ନୂଆ ଯୋଗାଯୋଗ ବ୍ୟବସ୍ଥା ଉପଯୋଗ କରାଯାଉଛି। ଏସବୁ ସତ୍ତ୍ୱେ ଅସଲରେ ସତର୍କ ସୂଚନା ପାଇବା ପରେ ଲୋକେ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ଏବଂ କ୍ଷୟକ୍ଷତି କେତେ ନିୟନ୍ତ୍ରିତ ହେଉଛି ତାହା ବେଶୀ ଗୁରୁତ୍ୱପୂର୍ଣ୍ଣ। କାରଣ ଆଗୁଆ ସୂଚନା ପାଇ ମଧ୍ୟ ଲୋକେ ଯଦି ନିରାପଦ ସ୍ଥାନକୁ ଯିବାକୁ ବିଳମ୍ବ କରିବେ ତେବେ ଧନଜୀବନ ହାନିକୁ କମାଇବା ସହଜ ହେବନାହିଁ। ସୁନାମିରୁ ବର୍ତ୍ତିବା ବିପଜ୍ଜନକ ଅଞ୍ଚଳରେ ବ୍ୟକ୍ତିର ଦକ୍ଷତା ଉପରେ ନିର୍ଭର କରେ। ସତର୍କ ସୂଚନାକୁ ଗୁରୁତ୍ୱ ଦେଇ ତୁରନ୍ତ ସ୍ଥାନ ଛାଡିବାର ନିଷ୍ପତ୍ତି ହିଁ ତାକୁ ବଞ୍ଚାଇଥାଏ।

Share this: