ITAT: ଆସନ୍ତାକାଲି ଆଇଟିଏଟି କଟକ ବେଞ୍ଚର କାର୍ଯ୍ୟାଳୟ, ଆବାସିକ ପରିସରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

Share this:

କଟକ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Narendra Modi) ଆୟକର ଆପିଲେଟ ଟ୍ରିବ୍ୟୁନାଲ (ITAT) ର କଟକ ବେଞ୍ଚ କାର୍ଯ୍ୟାଳୟ ଏବଂ ଆବାସିକ ପରିସରକୁ ଉଦଘାଟନ କରିବେ। ଏ ସମ୍ପର୍କରେ ଆଜି ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି. ଭଟ୍ଟ ବିସ୍ତୃତ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଟକରେ ଆୟକର ଆପିଲେଟ ଟ୍ରିବ୍ୟୁନାଲ (ITAT) ର ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ନଭେମ୍ବର ୧୧ ତାରିଖ, ୨୦୨୦ ଅପରାହ୍ଣ ସାଢ଼େ ଚାରିଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବେ। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ଓ ନ୍ୟାୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ  ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ବିଚାରପତିଗଣ, ଆଇଟିଏଟିର ଅଧ୍ୟକ୍ଷ ଜଷ୍ଟିସ ପି.ପି ଭଟ୍ଟ, କେନ୍ଦ୍ର ପ୍ରତ୍ୟକ୍ଷ ଟିକସ ବୋର୍ଡର ଅଧ୍ୟକ୍ଷ ଶ୍ରୀ ପି.ସି. ମୋଦୀ, ଆଇଟିଏଟି ଉପାଧ୍ୟକ୍ଷ ଏବଂ ସଦସ୍ୟଗଣ, ବିଭାଗୀୟ ଅଧିକାରୀ ଏବଂ ଦେଶର ବିଭିନ୍ନ ବାର ଆସୋସିଏସନର ପଦାଧିକାରୀ ଓ କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।

ଶ୍ରୀ ଭଟ୍ଟ କହିଥିଲେ ଯେ ଆଇଟିଏଟି କଟକ ବେଞ୍ଚ ନ୍ୟାୟାଧିକାର କ୍ଷେତ୍ର ସମଗ୍ର ଓଡ଼ିଶା ହୋଇଥିବା ବେଳେ ୧୯୭୦ ରେ ଏହା ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ପାଖାପାଖି ୫୦ ବର୍ଷ ଧରି ଏହା ଭଡ଼ା ଘରେ ଚାଲି ଆସୁଥିଲା। ତେଣୁ ଆଇଟିଏଟିର କଟକ ବେଞ୍ଚ ଉଦଘାଟନ ହେବା ଫଳରେ ନ୍ୟାୟ ଚାହୁଁଥିବା ଲୋକମାନଙ୍କୁ ତୁରନ୍ତ ନ୍ୟାୟ ମିଳିପାରିବ। ନୂଆ ଅଟ୍ଟାଳିକାରେ ଉନ୍ନତ ସଂଚାର ବ୍ୟବସ୍ଥା ସହିତ ଇ-କୋର୍ଟ (e -court) ସୁବିଧା ରହିଛି। ଯାହାଫଳରେ କଟକ ବେଞ୍ଚ ଏଠାକାର ମାମଲା ସମେତ କୋଲକାତା ଜୋନରେ ଥିବା ଅନ୍ୟ ନିଷ୍କ୍ରିୟ ବେଞ୍ଚ ଯେପରିକି ରାଞ୍ଚି, ପାଟନା ଓ ଗୌହାଟୀ କ୍ଷେତ୍ରରୁ ଆସୁଥିବା ମାମଲାଗୁଡ଼ିକର ଦ୍ରୁତ ସମାଧାନ କରିପାରିବ।

ସୂଚନାଯୋଗ୍ୟ ୨୩ ମେ ୧୯୭୦ ରେ ଆଇଟିଏଟିର କଟକ ବେଞ୍ଚ ପ୍ରତିଷ୍ଠା କରାଯାଇ କାର୍ଯ୍ୟାରମ୍ଭ କରାଯାଇଥିଲା। କଟକ ବେଞ୍ଚର ନ୍ୟାୟାଧିକାର କ୍ଷେତ୍ର ସମଗ୍ର ଓଡ଼ିଶାରେ ପରିବ୍ୟାପ୍ତ।  ୨୦୧୫ ରେ ରାଜ୍ୟ ସରକାର ମାଗଣାରେ ଯୋଗାଇ ଦେଇଥିବା ୧.୬୦ଏକର ଜମିରେ ଆଇଟିଏଟିର ନୂଆ କାର୍ଯ୍ୟାଳୟ ତଥା ଆବାସିକ ପରିସର ନିର୍ମିତ ହୋଇଛି। ମୋଟ ୧୯୩୮ ବର୍ଗମିଟର ସ୍ଥାନରେ କାର୍ଯ୍ୟାଳୟ ପରିସର ନିର୍ମାଣ କରାଯାଇଛି। ତିନି ମହଲା ବିଶିଷ୍ଟ ଅଟ୍ଟାଳିକାରେ ବଡ଼ କୋର୍ଟ କକ୍ଷ, ଅତ୍ୟାଧୁନିକ ରେକର୍ଡ କକ୍ଷ, ବେଞ୍ଚର ସଦସ୍ୟମାନଙ୍କ ପାଇଁ ସୁବ୍ୟବସ୍ଥିତ ଚାମ୍ବର୍ସ, ପାଠାଗାର କକ୍ଷ, ଅତ୍ୟାଧୁନିକ ସମ୍ମିଳନୀ କକ୍ଷ, ମକଦ୍ଦମାକାରୀଙ୍କ ପାଇଁ ଯଥେଷ୍ଟ ସ୍ଥାନ, ଆଇନଜୀବୀ, ଚାଟାର୍ଡ ଆକାଉଣ୍ଟାଣ୍ଟ ଆଦିଙ୍କ ପାଇଁ ବାର କକ୍ଷ ଆଦି ରହିଛି।

Also Read | ହୃଦୟ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣା; ‘ହୃଦୟ’ ବଞ୍ଚିଗଲା

Share this: