Covid Vaccination:ଦେଶରେ ଟୀକାକରଣରେ ଆଜି ରେକର୍ଡ ସଂଖ୍ୟକ ୬୯ ଲକ୍ଷରୁ ଅଧିକ ଲୋକ ନେଲେ ଟୀକା
ନୂଆଦିଲ୍ଲୀ: ଆଜିଠାରୁ କୋଭିଡ-୧୯ ଟିକାକରଣ (Covid-19 Vaccination) ର ବୈଶ୍ୱିକରଣର ନୂତନ ପର୍ଯ୍ୟାୟ ଆରମ୍ଭ କରାଯାଇଛି। ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ସହ ଏହାର ବ୍ୟାପକ ସମ୍ପ୍ରସାରଣ ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ। ୨୦୨୧ ଜାନୁଆରୀ ୧୬ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଦେଶବ୍ୟାପୀ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଆଜିଠାରୁ ସାରା ଦେଶରେ ୧୮ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ମାଗଣା ଟିକା ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଘୋଷଣା ଅନୁଯାୟୀ ଆଜିଠାରୁ ଟୀକାକରଣ ଅଭିଯାନର ଗତି ତ୍ୱରାନ୍ୱିତ ହେଉଛି। ପ୍ରଥମ ଦିନରେ ଦେଶ ଟୀକାକରଣ ରେକର୍ଡ ସୃଷ୍ଟି କରିଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୬୯ ଲକ୍ଷରୁ ଅଧିକ ଡୋଜ କରୋନା ଟିକା ଦିଆଯାଉଛି। ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଜୁନ୍ ୨୧ ରେ ନୂତନ ଟିକା ନୀତି କାର୍ଯ୍ୟକାରୀ ହେବାର ପ୍ରଥମ ଦିନରେ ୬୯ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା ଡୋଜ ଦିଆଯାଇଥିଲା।
ସେହିପରି ଭାରତରେ ଗତ ୨୪ ଘଣ୍ଟାରେ ୫୩ ହଜାର ୨୫୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ଏବଂ ଏହା ୮୮ ଦିନ ମଧ୍ୟର ସର୍ବନିମ୍ନ। ଭାରତରେ ଦୈନିକ କୋଭିଡ-୧୯ ସଂକ୍ରମଣ କ୍ରମେ ହ୍ରାସ ପାଇବାରେ ଲାଗିଛି। ଗତ ୧୪ ଦିନ ଧରି କ୍ରମାଗତ ଭାବେ ଦୈନିକ ନୂଆ ମାମଲା ୧ ଲକ୍ଷ ତଳେ ରହିଛି। ଏହା କେବଳ କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ମାନଙ୍କ ମିଳିତ ପ୍ରଚେଷ୍ଟା ଯୋଗୁ ସମ୍ଭବ ହୋଇପାରିଛି।
ଦେଶରେ କୋଭିଡ-୧୯ ସଂକ୍ରମଣରୁ ପ୍ରତିଦିନ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଗତ ୩୯ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୭୮,୧୯୦ ଜଣ ସୁସ୍ଥ ହୋଇଛନ୍ତି। ଦୈନିକ ଚିହ୍ନଟ ହୋଇଥିବା ନୂଆ ମାମଲା ଅନୁସାରେ ଗତ ୨୪ ଘଣ୍ଟାରେ ୨୪ ହଜାର ୯୩୪ ଜଣ ଅଧିକ ସୁସ୍ଥ ହୋଇଛନ୍ତି।
Also Read | UG ଓ PG ଶେଷ ବର୍ଷ ପରୀକ୍ଷା ଜୁଲାଇ-ଅଗଷ୍ଟ ମାସରେ, ହେବ ଅନ୍ଲାଇନ୍ରେ