Police Shahid Diwas:ଆଜି ପୁଲିସ୍‍ ଶହୀଦ୍‍ ଦିବସ, ସ୍ୱତନ୍ତ୍ର ଫ୍ୟାମିଲି ପେନ୍‍ସନ୍‍ ବ୍ୟବସ୍ଥା ଲାଗୁ ହେବ

Share this:

କଟକ:ଆଜି ହେଉଛି ୬୧ତମ ପୁଲିସ୍‍ ଶହୀଦ୍‍ ସ୍ମୃତି ଦିବସ। ଏହି ଅବସରରେ କଟକ ସ୍ଥିତ ରାଜ୍ୟ ପୁଲିସ୍‍ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ପୁଲିସ୍‍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ଶହୀଦ୍‍ ପୁଲିସ୍‍ମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏଥିରେ ଉଦ୍‍ବୋଧନ ଦେଇ ଶ୍ରୀ ଅଭୟ କହିଛନ୍ତି, ବିଭିନ୍ନ ସ୍ଥାନରେ ଶହୀଦ୍‍ ହୋଇଥିବା ପୁଲିସ୍‍ କର୍ମଚାରୀଙ୍କ ପରିବାରକୁ ସବୁ ପ୍ରକାର ସୁବିଧା ସୁଯୋଗ ରାଜ୍ୟ ସରକାର ଯୋଗାଇ ଦେବେ। ଏହାଛଡ଼ା ଶହୀଦ୍‍ କରୋନା ଯୋଦ୍ଧାମାନଙ୍କ ପାଇଁ ମଧ୍ୟ ରାଜ୍ୟ ସରକାର ସ୍ୱତନ୍ତ୍ର ଫ୍ୟାମିଲି ପେନ୍‍ସନ୍‍ର ବ୍ୟବସ୍ଥା କରୁଛନ୍ତି। ଏଥିଲାଗି ସରକାର କେନ୍ଦ୍ରର ସହାୟତା ଲୋଡ଼ିଛନ୍ତି। ତେବେ କେନ୍ଦ୍ର ସରକାର ଯଦି ଏଥିରେ ସହମତି ପ୍ରକାଶ ନ କରନ୍ତି, ଏହି ବ୍ୟବସ୍ଥା ଲାଗି ସମସ୍ତ ସହାୟତା ରାଶି ରାଜ୍ୟ ସରକାର ବହନ କରିବେ ବୋଲି ପୁଲିସ୍‍ ମହାନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କରୋନା ମହାମାରୀରେ ଶହୀଦ୍‍ ହୋଇଥିବା ୪୧ ଜଣ ପୁଲିସ୍‍ ଯୋଦ୍ଧା ଏବଂ ଅନ୍ୟ ଶହୀଦ୍‍ ପୁଲିସ୍‍ଙ୍କ ପ୍ରତି ଶ୍ରୀ ଅଭୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସେହିପରି ରାଜ୍ୟର ଅନ୍ୟ ସ୍ଥାନମାନଙ୍କରେ ପୁଲିସ୍‍ ଶହୀଦ ଦିବସ ପାଳିତ ହୋଇଛି। କୋରାପୁଟରେ ଆଜି ପୁଲିସ୍‍ ଶହୀଦ୍‍ ଦିବସ ଅବସରରେ ପୁଲିସ୍‍ ପଡ଼ିଆଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଶହୀଦ୍‍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏସ୍‍.ପି. ମୁକେଶ କୁମାର ଏହିଂ ଅବସରରେ ଆୟୋଜିତ ସଭାରେ ଶହୀଦ୍‍ ହୋଇଥିବା ଯବାନ୍‍ଙ୍କ ସ୍ମୃତିଚାରଣ କରିଛନ୍ତି।

ସେହିପରି ଦେବଗଡ଼ ଜିଲ୍ଲା ପୁଲିସ୍‍ ପକ୍ଷରୁ ରିଜର୍ଭ ପୁଲିସ୍‍ ପଡ଼ିଆଠାରେ ଅନୁଷ୍ଠିତ ସମାରୋହରେ ଶହୀଦ୍‍ ସ୍ତମ୍ଭରେ ଅମ୍ଳାନ ଆତ୍ମାଙ୍କର ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସଲାମୀ ଦିଆଯାଇଛି। ଏସ୍‍.ପି. ମନୋଜ କୁମାର ମହାନ୍ତ ଏହି ଅବସରରେ ବିଭିନ୍ନ ମହଲରୁ ଆସିଥିବା ବାର୍ତ୍ତାମାନ ପାଠ କରିବା ସହ ଶହୀଦ୍‍ଙ୍କ ପ୍ରତି ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସୁବର୍ଣ୍ଣପୁର ରିଜର୍ଭ ପୁଲିସ୍‍ ପଡ଼ିଆଠାରେ ଆୟୋଜିତ ପୁଲିସ୍‍ ଶହୀଦ୍‍ ଦିବସ କାର୍ଯ୍ୟକ୍ରମରେ ଏସ୍‍.ପି. ଦେବୀପ୍ରସାଦ ଦାସ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଯୋଗଦେଇ ଦେଶର ଅନ୍ତରୀଣ ସୁରକ୍ଷା ତଥା ଜନସେବା ଲାଗି ନିରନ୍ତର ସେବା ଦେଉଥିବା ସୁରକ୍ଷା ବଳୟଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶହୀଦ୍‍ ଯବାନଙ୍କର ସ୍ମୃତିଚାରଣ କରାଯାଇଛି।

ବିଭିନ୍ନ ସ୍ଥାନରେ ଶହୀଦ୍‍ ହୋଇଥିବା ତଥା କରୋନା ମହାମାରୀ ସମୟରେ ଯୋଦ୍ଧା ଭାବେ ଶହୀଦ୍‍ ହୋଇଥିବା ପୁଲିସ୍‍ କର୍ମଚାରୀ ଏବଂ ଆକ୍ରାନ୍ତଙ୍କୁ ପ୍ଲାଜ୍‍ମା ଦାନ କରି ଜୀବନ ବଞ୍ଚାଇବାରେ ସହଯୋଗ କରିଥିବା ପୁଲିସ୍‍ କର୍ମଚାରୀଙ୍କ ମହାନ୍‍ କାର୍ଯ୍ୟ ଉପରେ ଆଲୋକପାତ କରିଛନ୍ତି।

Also Read | Covid-19: କରୋନାରୁ ମୁକ୍ତ ହେବାପରେ ମଧ୍ୟ ସଂକ୍ରମଣର ବିପଦ ଅଛି: ICMR

Share this: