କୌଣସି ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେବଳ ଏକ ପରୀକ୍ଷା ଦ୍ୱାରା କରାଯିବା ଉଚିତ ନୁହେଁ:ପ୍ରଧାନମନ୍ତ୍ରୀ ମୋଦୀ

Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଶିକ୍ଷା ନୀତି (NEP-2020) ଅଧୀନରେ ଆୟୋଜିତ “ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷା” ଶୀର୍ଷକ ସମ୍ମିଳନୀକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ନୂତନ ଦିଶା ନିର୍ଦ୍ଦେଶ ଦେବାକୁ ଯାଉଛି ଏବଂ ଆମେମାନେ ଏଭଳି ମୁହୂର୍ତ୍ତର ଅଂଶବିଶେଷ ପାଲଟିବାକୁ ଯାଉଛେ ଯାହା ଆମର ଦେଶର ଭବିଷ୍ୟତ ନିର୍ମାଣର ଭିତ୍ତିଭୂମି ସ୍ଥାପନ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଲେ ଯେ ବିଗତ ତିନି ଦଶନ୍ଧି ମଧ୍ୟରେ ସମ୍ଭବତଃ ଆମମାନଙ୍କ ଜୀବନରେ କୌଣସି ବି ଚିନ୍ତନ କିମ୍ବା ଆଭିମୁଖ୍ୟ ସମାନ ହୋଇ ରହିନାହିଁ । କିନ୍ତୁ ଆମର ଶିକ୍ଷା ପଦ୍ଧତି ଏବେ ସେହି ପୁରୁଣା ବ୍ୟବସ୍ଥା ମଧ୍ୟରେ ସେମିତି ଚାଲିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ନୂତନ ଶିକ୍ଷା ନୀତି ଘୋଷଣା କରାଯିବା ପରେ ଲୋକମାନଙ୍କ ମନରେ ନାନା ପ୍ରକାର ପ୍ରଶ୍ନ ଉଠିବା ସ୍ୱାଭାବିକ କଥା। ଏଥିପାଇଁ ଏହି ଶିକ୍ଷା ନୀତିକୁ କାର୍ଯ୍ୟକାରୀ କରାଯିବା ପୂର୍ବରୁ, ଏ ଦିଗରେ ଆଗକୁ ଅଗ୍ରସର ହେବା ପୂର୍ବରୁ, ଏଭଳି ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରାଯିବାର ଆବଶ୍ୟକତା ରହିଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରସଙ୍ଗ ଉପରେ ସନ୍ତୋଷ ବ୍ୟକ୍ତ କରି କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ଲାଗୁ କରିବା ସକାଶେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଅନ୍ୟ ଶିକ୍ଷକଗଣ ଉତ୍ସାହପୂର୍ବକ ଏହି ଚର୍ଚ୍ଚାରେ ଅଂଶଗ୍ରହଣ କରୁଛନ୍ତି। ସେ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି କରାଯିବାର ମାତ୍ର ଏକ ସପ୍ତାହ ଭିତରେ ଦେଶବ୍ୟାପୀ ଶିକ୍ଷକବର୍ଗଙ୍କ ପକ୍ଷରୁ ପ୍ରାୟ ୧୫ ଲକ୍ଷରୁ ଅଧିକ ସୁଚିନ୍ତିତ ପ୍ରସ୍ତାବ ଓ ପରାମର୍ଶମାନ ପ୍ରାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ କହିଲେ ଯେ ଉଜ୍ଜ୍ୱଳ ଯୁବଶକ୍ତି ହେଉଛନ୍ତି ଦେଶର ବିକାଶ ଇଞ୍ଜିନ। କିନ୍ତୁ ସେମାନଙ୍କ ବିକାଶ ସେମାନଙ୍କ ବାଲ୍ୟାବସ୍ଥାରୁ ହିଁ ଆରମ୍ଭ କରାଯିବା ଆବଶ୍ୟକ। ସେ କହିଲେ ଯେ ଶିଶୁମାନଙ୍କ ଶିକ୍ଷା ଏବଂ ସେମାନଙ୍କୁ ମିଳିବାକୁ ଥିବା ଉଚିତ ପରିବେଶ ଯଥେଷ୍ଟ ମାତ୍ରାରେ ଏହା ନିଦ୍ଧାରଣ କରିଥାଏ ଯେ ଶିଶୁମାନେ ଭବିଷ୍ୟତରେ କ’ଣ ହେବାକୁ ଯାଉଛନ୍ତି ଏବଂ ସେମାନଙ୍କର ବ୍ୟକ୍ତିତ୍ୱ କିପରି ଭାବେ ବିକଶିତ ହେବାକୁ ଯାଉଛି। 

ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପୂର୍ବରୁ ପ୍ରଚଳିତ ୧୦ ପ୍ଲସ୍‌ ୨ (10+2) ଶିକ୍ଷା ପଦ୍ଧତି ସ୍ଥାନରେ ଏବେ ୫ ପ୍ଲସ୍‌ ୩ ପ୍ଲସ୍‌ ୩ ପ୍ଲସ୍‌ ୪ (5+3+3+4) ପ୍ରଣାଳୀ ଲାଗୁ କରାଯିବାର ମହତ୍ତ୍ୱ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେ କହିଲେ ଯେ ଏହି ରାଷ୍ଟ୍ରୀୟ ଶିକ୍ଷା ନୀତି ଲାଗୁ କରିବା ଦ୍ୱାରା ଏପର୍ଯ୍ୟନ୍ତ ସହରମାନଙ୍କରେ ଥିବା ଘରୋଇ ବିଦ୍ୟାଳୟ ପର୍ଯ୍ୟନ୍ତ ସୀମିତ ରହିଥିବା ଖେଳକୁଦ ସହ ଶିକ୍ଷା ପ୍ରଣାଳୀ ଗାଁ ଗାଁ ରେ ପହଞ୍ଚିପାରିବ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏକବିଂଶ ଶତାବ୍ଦୀରେ କୌଶଳ ସହିତ ଆମର ଛାତ୍ରଛାତ୍ରୀମାନେ କିପରି ଭାବେ ଆଗକୁ ବଢ଼ି ପାରିବେ ତାହା ମହତ୍ତ୍ୱ ଉପରେ ଜୋର୍‌ ଦିଆଯାଇଛି। ସେ କହିଲେ ଯେ ଏକବିଂଶ ଶତାବ୍ଦୀର କୌଶଳ ରୂପେ ସମୀକ୍ଷାତ୍ମକ ଚିନ୍ତନ, ସୃଜନାତ୍ମକ, ସହଯୋଗ, ଜିଜ୍ଞାସା ଏବଂ ସଂଚାରକୁ ସୂଚୀବଦ୍ଧ କରାଯାଇଛି। ପ୍ରଧାନମନ୍ତ୍ରୀ କହିଲେ ଯେ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମରୁ ହିଁ କୋଡ଼ିଂ (Coding) ଶିଖିବା ଦରକାର। କୃତ୍ରିମ ପ୍ରଜ୍ଞାକୁ ବୁଝିବା ଦରକାର। ଇଣ୍ଟରନେଟ ଅଫ୍‌ ଥିଙ୍ଗସ୍ (Internet Of Things)‌, କ୍ଲାଉଡ଼ କମ୍ପ୍ୟୁଟିଂ(Cloud Computing), ଡାଟା ସାଇନ୍ସ (Data Science) ଏବଂ ରେବୋଟିକ୍ସ (Robotics) ସହିତ ସଂଶ୍ଳିଷ୍ଟ ରହିବା ଆବଶ୍ୟକ। ଆମର ପୂର୍ବର ଶିକ୍ଷାନୀତି ପ୍ରତିବନ୍ଧାତ୍ମକ ଥିଲା କିନ୍ତୁ ବାସ୍ତବିକ ବିଶ୍ୱର ସମସ୍ତ ବିଷୟ ପରସ୍ପର ସହିତ ସଂଶ୍ଳିଷ୍ଟ, ଅର୍ଥାତ ଯୋଡ଼ିହୋଇ ରହିଛି। କିନ୍ତୁ ବର୍ତ୍ତମାନର ଶିକ୍ଷା ପଦ୍ଧତି ନିଜ କ୍ଷେତ୍ରକୁ ପରିବର୍ତ୍ତନ ଏବଂ ନୂତନ ସମ୍ଭାବନାମାନଙ୍କ ସହିତ ଯୋଡ଼ି ହେବାର ଅବସର ପ୍ରଦାନ କରେନାହିଁ। ଏହା ମଧ୍ୟ ବାସ୍ତବତା ଯେ ଅନେକ ଶିଶୁଙ୍କୁ  ପାଠପଢ଼ା ମଝିରେ ବିଦ୍ୟାଳୟ ଛାଡ଼ିବାକୁ ପଡିଥାଏ। ଏହା ଏକ ପ୍ରମୁଖ କାରଣ ହୋଇ ଉଭା ହେଉଛି । ସେଥିପାଇଁ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଛାତ୍ରଛାତ୍ରୀମାନଙ୍କୁ ଭବିଷ୍ୟତରେ କୌଣସି ବିଷୟକୁ ଚୟନ କରିବାର ସୁଯୋଗ ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଗୋଟିଏ ପଟେ ଏକ ବିରାଟ ପ୍ରସଙ୍ଗର ମଧ୍ୟ ସମାଧାନ କରିପାରିଛି। ତାହା ହେଲା,  ମାର୍କସିଟ୍‌ (Mark sheet) ସଂଚାଳିତ ଶିକ୍ଷା ଆମ ଦେଶରେ ଶିକ୍ଷା ଉପରେ ଏକ ଚାପ ପକାଇ ଚାଲିଛି । ସେ କହିଲେ ଯେ ମାର୍କସିଟ୍‌ ଏବେ ମାନସିକ ଚାପ ସିଟ୍‌ ପରି କରିଦିଆଯାଇଛି। ଶିକ୍ଷା ବ୍ୟବସ୍ଥାରେ ଥିବା ଏଭଳି ଦ୍ୱନ୍ଦ୍ୱକୁ ଦୂର କରିବା ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ ମତ ପୋଷଣ କରିଥିଲେ। ପରୀକ୍ଷା ଏଭଳି ହେବା ଦରକାର ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କ ଉପରେ ଅନାବଶ୍ୟକ ଚାପ କୌଣସି ଭାବେ ପଡ଼ିବନାହିଁ। ପ୍ରୟାସ ଏଭଳି ହେବା ଦରକାର ଯେ କୌଣସି ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ କେବଳ ଏକ ପରୀକ୍ଷା ଦ୍ୱାରା କରାଯିବା ଉଚିତ ନୁହେଁ। ବରଂ, ଆତ୍ମ ମୂଲ୍ୟାଙ୍କନ,  ସହପାଠୀମାଙ୍କ ମଧ୍ୟର ପାରସ୍ପରିକ ମୂଲ୍ୟାଙ୍କନ ଭଳି ପଦ୍ଧତି ଦ୍ୱାରା ଛାତ୍ରଛାତ୍ରମାନଙ୍କ ବିକାଶ ହେବା ଦରକାର। ଏଭଳି ପଦ୍ଧତି ଆଧାରିତ ବ୍ୟବସ୍ଥା ଆପଣା ଯିବା ଉଚିତ। ପ୍ରଧାନମନ୍ତ୍ରୀ କହିଲେ ଯେ ଗୋଟିଏ ମାର୍କସିଟ୍‌ ପରିବର୍ତ୍ତେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ଏକ ସମଗ୍ର ରିପୋର୍ଟ କାର୍ଡ଼ ପାଇଁ ପ୍ରାବଧାନ କରାଯାଇଛି ଯାହା ଛାତ୍ରଛାତ୍ରୀମାନଙ୍କ ଅଦ୍ୱିତୀୟ କ୍ଷମତା, ଯୋଗ୍ୟତା, ଦୃଷ୍ଟିକୋଣ, ପ୍ରତିଭା, କୌଶଳ, ଦକ୍ଷତା ଏବଂ ସମ୍ଭାବନାଗୁଡ଼ିକର ଏକ ବିସ୍ତୃତ ରିପୋର୍ଟ ହେବା ବାଂଛନୀୟ। 

ପ୍ରଧାନମନ୍ତ୍ରୀ କହିଲେ ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିରେ ମାତୃଭାଷା ବ୍ୟତୀତ ଅନ୍ୟ କୌଣସି ଭାଷା ଶିଖିବା ଉପରେ କୌଣସି ପ୍ରତିବନ୍ଧକ ରଖାଯାଇନାହିଁ। ସେ କହିଲେ ଯେ ଇଂରେଜୀ ସହିତ ଅନ୍ୟ ବିଦେଶୀ ଭାଷା ଶିକ୍ଷା କରାଯାଇ ପାରିବ। ସେ କହିଲେ ଯେ ଏଥି ସହିତ ଅନ୍ୟ ଭାରତୀୟ ଭାଷାକୁ ମଧ୍ୟ ପ୍ରୋତ୍ସାହନ ମିଳିପାରିବ ଯଦ୍ୱାରା ଆମର ଯୁବାବର୍ଗ ବିଭିନ୍ନ ରାଜ୍ୟର ଭାଷା ଏବଂ ସେଠାକାର ସଂସ୍କୃତି ସହିତ ପରିଚିତ ହୋଇପାରିବେ। ପ୍ରଧାନମନ୍ତ୍ରୀ କହିଲେ ଯେ ଶିକ୍ଷକମାନେ ଏହି ରାଷ୍ଟ୍ରୀୟ ଶିକ୍ଷା ନୀତି ଯାତ୍ରାର ଅଗ୍ରଦୂତ। ସେଥିପାଇଁ, ସମସ୍ତ ଶିକ୍ଷକମାନଙ୍କୁ ଅନେକ ନୂଆ ନୂଆ କଥା ଶିଖିବାକୁ ପଡ଼ୁଛି ଏବଂ ପୁରୁଣା କଥାକୁ ଭୁଲିବାକୁ ପଡ଼ୁଛି।

Also Read:

ନୂଆ ଶିକ୍ଷାନୀତି ଭାରତକୁ ଏକ ନଲେଜ ହବ୍‌ରେ ପରିଣତ କରିବ

ଦେଶର ଭାଗ୍ୟ ଯୁବକମାନଙ୍କ ହାତରେ ଅଛି:ଉପରାଷ୍ଟ୍ରପତି

Share this: