Assam: ଆସାମରେ ଗୁରୁତ୍ୱପୂର୍ଣ୍ଣ ତୈଳ ଓ ଗ୍ୟାସ ପ୍ରକଳ୍ପ ଏବଂ ଇଞ୍ଜିନିୟରିଂ କଲେଜର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

Share this:

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (PM Modi) ଆଜି ଆସାମ ଠାରେ ଇଣ୍ଡିଆନ ଅଏଲ (Indian Oil) ର ବୋଙ୍ଗାଇଗାଓଁ ବିଶୋଧନାଗାର, ଦିବ୍ରୁଗଡ଼ର ମଧୁବନ ଠାରେ ଅଏଲ ଇଣ୍ଡିଆ ଲିମିଟେଡର ସେକେଣ୍ଡାରୀ ଟ୍ୟାଙ୍କ ଫାର୍ମ ଏବଂ ତିନସୁକିଆର ମାକୁମ ଅନ୍ତର୍ଗତ ହେବେଡା ଗ୍ରାମରେ ଗ୍ୟାସ କମ୍ପ୍ରେସର ଷ୍ଟେସନକୁ ରିମୋଟ୍‌ ଜରିଆରେ ଉଦଘାଟନ କରିଛନ୍ତି। ସେ ମଧ୍ୟ ଆସାମରେ ଧେମାଜୀ ଇଞ୍ଜିନିୟରିଂ କଲେଜର ଉଦଘାଟନ କରିବା ସହିତ ସୁଆଲକୁଚି ଇଞ୍ଜିନିୟରିଂ କଲେଜ ପାଇଁ ଶିଳାନ୍ୟାସ କରିଥିଲେ।

ଏହି ଅବସରରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ପୂର୍ବାଞ୍ଚଳ ଭାରତର ନୂତନ ଅଭିବୃଦ୍ଧି ଇଞ୍ଜିନ ପାଲଟିବ ଏବଂ ସେ ଆସାମର ଲୋକମାନଙ୍କର କାମ କରିବା ପାଇଁ ଅନୁପ୍ରାଣିତ। ବ୍ରହ୍ମପୁତ୍ର ନଦୀର ଉତ୍ତର ତଟ କିପରି ଭାବେ ଆଠ ଦଶନ୍ଧି ପୂର୍ବରୁ ଅହମିୟା ସିନେମାକୁ ଜନ୍ମ ଦେଇଥିଲା ଏବଂ ଜୟମୋତି ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା ସେ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ। ସେ ଆହୁରି କହିଥିଲେ ଯେ ଏହି ଅଞ୍ଚଳ ଏପରି ଅନେକ ବ୍ୟକ୍ତିତ୍ୱଙ୍କୁ ଜନ୍ମ ଦେଇଛି ଯେଉଁମାନେ ଆସାମର ସଂସ୍କୃତିକୁ ସମୃଦ୍ଧ କରିଛନ୍ତି। ସେ କହିଥିଲେ ଯେ ଆସାମର ସନ୍ତୁଳିତ ବିକାଶ ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ଏବଂ ରାଜ୍ୟରେ ଭିତ୍ତିଭୂମି ନିର୍ମାଣ ଉପରେ ବିଶେଷ ଜୋର୍‌ ଦିଆଯାଉଛି।

ବିରୋଧୀମାନଙ୍କୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉତ୍ତର ତଟରେ ଅନେକ ସମ୍ଭାବନା ଥିବା ସତ୍ତ୍ୱେ ପୂର୍ବର ସରକାର ଏହି ଅଞ୍ଚଳ ପ୍ରତି ବୈମାତୃକ ମନୋଭାବ ପୋଷଣ କରି ଆସୁଥିଲେ। ଏ ଅଞ୍ଚଳ ପାଇଁ ଯୋଗାଯୋଗ, ଡାକ୍ତରଖାନା, ଶିକ୍ଷାନୁଷ୍ଠାନ, ଶିଳ୍ପ ପ୍ରତିଷ୍ଠାର ଆବଶ୍ୟକତା ପ୍ରତି ପ୍ରାଥମିକତା ଦିଆଯାଇନଥିଲା। ସେ ଆହୁରି କହିଥିଲେ ଯେ ‘ସବକା ସାଥ୍‌, ସବକା ବିକାଶ ଓ ସବକା ବିଶ୍ୱାସ’ ମନ୍ତ୍ର ନେଇ କାମ କରୁଥିବା ସରକାର ଏହି ବାଛବିଚାରକୁ ଦୂର କରିପାରିଛନ୍ତି । ସରକାରଙ୍କ ଦ୍ୱାରା ଆସାମରେ ଉଦଘାଟିତ ହୋଇଥିବା ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ସେ ସୂଚନା ଦେଇଥିଲେ ।

ସେ କହିଥିଲେ ଯେ ଆଜି, ଏହି ଅଞ୍ଚଳ ପାଇଁ ଶକ୍ତି ଏବଂ ଶିକ୍ଷା ଭିତ୍ତିଭୂମି କ୍ଷେତ୍ରରେ ୩ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ଉଦଘାଟନ କରାଯାଇଛି। ସେ କହିଥିଲେ ଏହି ପ୍ରକଳ୍ପଗୁଡ଼ିକ ଏହି ଅଞ୍ଚଳର ପରିଚୟକୁ ବଦଳାଇ ଦେବ ଏବଂ ଶକ୍ତି ଓ ଶିକ୍ଷାର କେନ୍ଦ୍ର ପାଲଟିବ। ଏଗୁଡ଼ିକ ଆସାମକୁ ନୂଆ ପରିଚୟ ପ୍ରଦାନ କରିବ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତକୁ ଆତ୍ମନିର୍ଭରଶୀଳ ହେବାକୁ ହେଲେ ନିଜର ସାମର୍ଥ୍ୟ ଓ କ୍ଷମତାକୁ ନିରନ୍ତର ଭାବେ ବଢ଼ାଇବାକୁ ହେବ। ଗତ କିଛି ବର୍ଷ ହେବ ଭାରତର ବିଶୋଧନ କ୍ଷମତା, ବିଶେଷ କରି ବୋଙ୍ଗାଇଗାଓଁ ବିଶୋଧନାଗାର ଠାରେ, ବହୁମାତ୍ରାରେ ବୃଦ୍ଧି ପାଇଛି।

ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଆଜି ଉଦଘାଟିତ ହୋଇଥିବା ଗ୍ୟାସ ୟୁନିଟ୍‌ ଏଲପିଜି ଉତ୍ପାଦନର କ୍ଷମତା ବୃଦ୍ଧି କରିବ ଏବଂ ଆସାମ ଓ ଉତ୍ତରପୂର୍ବାଞ୍ଚଳର ଲୋକମାନଙ୍କୁ ଜୀବନକୁ ସହଜ କରିବ। ଏହା ମଧ୍ୟ ଏହି ଅଞ୍ଚଳର ଯୁବକମାନଙ୍କର ନିଯୁକ୍ତି ସୁଯୋଗରେ ବୃଦ୍ଧି ଘଟାଇବ।

ସେ କହିଥିଲେ ଯେ ସରକାର ଉଜ୍ଜ୍ବଳା ଯୋଜନା କାର୍ଯ୍ୟକାରୀ କରିବା ଦ୍ୱାରା ଗରିବ ମା’ ଓ ଭଉଣୀମାନଙ୍କୁ ରୋଷେଇ ଘରେ ପାରମ୍ପରିକ କାଠଜାଳେଣିରୁ ହେଉଥିବା ଧୂଆଁ ଜନିତ ପ୍ରଦୂଷଣରୁ ମୁକ୍ତି ଦେଇଛନ୍ତି। ସେ କହିଥିଲେ ଯେ ଆଜି ଆସାମରେ ଗ୍ୟାସ ସଂଯୋଗ ପାଖାପାଖି ଶତପ୍ରତିଶତରେ ପହଞ୍ଚିଛି। ସେ ଉଲ୍ଲେଖ କରିଥିଲେ ଯେ ୧କୋଟି ଭଉଣୀମାନଙ୍କୁ ଉଜ୍ଜ୍ବଳା ଯୋଜନାରେ ମାଗଣା ଏଲପିଜି (LPG) ସଂଯୋଗ ଦେବା ଲାଗି ଚଳିତ ବର୍ଷର ବଜେଟ୍‌ରେ ବ୍ୟବସ୍ଥା କରାଯାଇଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗ୍ୟାସ ସଂଯୋଗ, ବିଦ୍ୟୁତ ସଂଯୋଗ ଏବଂ ସାର ଅଭାବ କାରଣରୁ ଗରିବ ଲୋକମାନେ ବିଶେଷ ଭାବେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ସେ କହିଥିଲେ ଯେ ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଦେଶର ୧୮ ହଜାର ଗ୍ରାମକୁ ବିଦ୍ୟୁତ ସଂଯୋଗ ନଥିଲା, ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଆସାମ ଏବଂ ଉତ୍ତରପୂର୍ବାଞ୍ଚଳରେ ରହିଛି। ସରକାର ଏବେ ଏହି ତ୍ରୁଟିକୁ ସୁଧାରିବା ଲାଗି ଚେଷ୍ଟା ଓ ସେ ଦିଗରେ କାର୍ଯ୍ୟ କରୁଛନ୍ତି।

ସେ କହିଥିଲେ ଯେ ଏହି ଅଞ୍ଚଳରେ ଥିବା ବିଭିନ୍ନ ସାର ଉଦ୍ୟୋଗ ଗ୍ୟାସର ଅଭାବ କାରଣରୁ ବନ୍ଦ ହୋଇଯାଇଥିଲା କିମ୍ବା ରୁଗ୍ଣ ସ୍ଥିତିରେ ଥିଲା। ଯାହାର ପ୍ରତିକୂଳ ପ୍ରଭାବ ଗରିବ, ବଞ୍ଚିତ ଏବଂ ମଧ୍ୟମବର୍ଗଙ୍କ ଉପରେ ପଡ଼ିଥିଲା।

ଶ୍ରୀ ମୋଦୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅନ୍ତର୍ଗତ ପୂର୍ବ ଭାରତକୁ ବିଶ୍ବର ସର୍ବବୃହତ ଗ୍ୟାସ ପାଇପଲାଇନ ନେଟୱର୍କ ମଧ୍ୟରୁ ଗୋଟିଏ ସହିତ ଯୋଡ଼ାଯାଉଛି।

ଆସାମ ସରକାର ଯଥାଶୀଘ୍ର ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଲାଗି ଚେଷ୍ଟା କରୁଛନ୍ତି। ଏହା ଆସାମ ଲୋକମାନଙ୍କୁ ଲାଭାନ୍ୱିତ କରିବ, ବିଶେଷ କରି ଚା’ବଗିଚା ଶ୍ରମିକ, ଅନୁସୂଚୀତ ଜନଜାତିର ଲୋକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ କାରଣ ଏଥିରେ ସ୍ଥାନୀୟ ଭାଷାରେ ଶିକ୍ଷା ଦିଆଯିବ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆସାମ ଚା’, ହସ୍ତତନ୍ତ ଏବଂ ପର୍ଯ୍ୟଟନ ପାଇଁ ସାରା ବିଶ୍ବରେ ପରିଚିତ। ଆତ୍ମନିର୍ଭରଶୀଳତା ଆସାମର ଲୋକମାନଙ୍କର କ୍ଷମତା ଓ ସାମର୍ଥ୍ୟ ବୃଦ୍ଧି କରିବ। ଚା’ ଉତ୍ପାଦନ ଆତ୍ମନିର୍ଭରଶୀଳ ଆସାମର ସଂକଳ୍ପକୁ ସୁଦୃଢ଼ କରିବ। ଏଭଳି ପରିସ୍ଥିତିରେ, ଯଦି ଯୁବକମାନେ ସ୍କୁଲ ଓ କଲେଜରେ ଏସବୁ ଦକ୍ଷତା ଶିକ୍ଷାଲାଭ କରନ୍ତି ତା’ହେଲେ ସେମାନେ ଏହାଦ୍ୱାରା ଅଧିକ ଲାଭବାନ ହୋଇପାରିବେ। ସେ ଉଲ୍ଲେଖ କରିଥିଲେ ଯେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୦୦ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଖୋଲିବା ଲାଗି ଚଳିତ ବର୍ଷ ବଜେଟ୍‌ରେ ଘୋଷଣା କରାଯାଇଛି। ଏହାଦ୍ୱାରା ଆସାମ ମଧ୍ୟ ଲାଭବାନ ହୋଇପାରିବ।

ଆସାମ ରାଜ୍ୟପାଳ ପ୍ରଫେସର ଜଗଦୀଶ ମୁଖୀ, ମୁଖ୍ୟମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାମେଶ୍ବର ତେଲି ଏହି ଅବସରରେ ଉପସ୍ଥିତ ଥିଲେ।

[amazon_auto_links id=”9939″]

Share this: