Puducherry: ପୁଡୁଚେରୀ ହେଉଛି ଋଷି, ବିଦ୍ୱାନ, କବି ଓ ବିପ୍ଳବୀମାନଙ୍କ ଭୂମି: ପ୍ରଧାନମନ୍ତ୍ରୀ

Share this:

ପୁଡୁଚେରୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Modi) ଆଜି ପୁଡୁଚେରୀ (Puducherry) ଠାରେ NH45-Aର ଚାରିଲେନ ବିଶିଷ୍ଟ ରାସ୍ତାର ଶିଳାନ୍ୟାସ କରିଛନ୍ତି। ଏହା କରାଇକାଲ ଜିଲ୍ଲା ଏବଂ କରାଇକାଲଠାରେ ମେଡିକାଲ କଲେଜର ନୂତନ କ୍ୟାମ୍ପସ ତଥା କରାଇକାଲ ଜିପମର ପ୍ରଥମ ଖଣ୍ଡକୁ ସଂଯୋଗ କରିବ। ଏହାଛଡା ଶ୍ରୀ ମୋଦୀ ସାଗରମାଳା ଯୋଜନା ଅଧୀନରେ ପୁଡୁଚେରୀ କ୍ଷୁଦ୍ରବନ୍ଦର ବିକାଶ ଓ ପୁଡୁଚେରୀ ଇନ୍ଦିରା ଗାନ୍ଧୀ କ୍ରୀଡା ପରିସରର ସିନ୍ଥେଟିକ ଟ୍ରାକର ମଧ୍ୟ ଶିଳାନ୍ୟାସ କରିଛନ୍ତି।

ଶ୍ରୀ ମୋଦୀ ପୁଡୁଚେରୀସ୍ଥିତ ଜବାହାର ସ୍ନାତକୋତ୍ତର ମେଡିକାଲ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (JIPMER) ର ରକ୍ତ କେନ୍ଦ୍ର, ଲସପେଟର ମହିଳା କ୍ରୀଡାବିତଙ୍କ ନିମନ୍ତେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସକୁ ମଧ୍ୟ ଉଦଘାଟନ କରିଛନ୍ତି। ଏହାଛଡା ସେ ପୁନର୍ବିନ୍ୟାସ କରାଯାଇଥିବା ମେରୀ ଐତିହ୍ୟ ଭବନର ମଧ୍ୟ ଉଦଘାଟନ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୁଡୁଚେରୀ ହେଉଛି ଋଷି, ବିଦ୍ୱାନ ଓ କବି ଏବଂ ମହାକବି ସୁବ୍ରମନିୟମ ଭାରତୀ ଓ ଯୋଗୀ ଅରବିନ୍ଦଙ୍କ କର୍ମଭୂମୀ। ବିବିଧତାର ପ୍ରତୀକ ପୁଡୁଚେରୀର ପ୍ରଶଂସା କରିବା ସହ ଏଠାରେ ଲୋକମାନେ ଭିନ୍ନ ଭିନ୍ନ ଭାଷା ଓ ଧର୍ମ ବିଶ୍ୱାସୀ ହେଲେ ମଧ୍ୟ ଏକତାର ସୂତ୍ରରେ ବାନ୍ଧି ହୋଇ ରହିଥିବା ସେ କହିଛନ୍ତି। ପୁନର୍ବିନ୍ୟାସ ହୋଇଥିବା ମେରୀ ଭବନର ଉଦଘାଟନ କରି ଏହା ବେଳାଭୂମୀର ସୁରମ୍ୟ ପରିବେଶକୁ ଅଧିକ ମନୋରମ କରିବା ସହ ଅଧିକ ପର୍ଯ୍ୟଯକଙ୍କୁ ଆକୃଷ୍ଟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ NH45-A ଚାରିଲେନ ଯୁକ୍ତ ହେବା ଫଳରେ ଏହା କରାଇକାଲ ଜିଲ୍ଲାରେ ଗମନାଗମନ ସୁଗମ କରିବା ସହ ସନିସ୍ୱରନ ମନ୍ଦିର ଓ ଆନ୍ତଃରାଜ୍ୟ ସଂଯୋଗ ବାସିଲିକା ଆଫ୍ ଆୱାର ଲେଡି ଅଫ ଗୁଡ ହେଲଥ ଏବଂ ନାଗୋର ଦରଘା ସହ ସଂଯୋଗ କରିବ। ସରକାର ଗ୍ରାମାଞ୍ଚଳ ଓ ବେଳାଭୂମି ସଂଯୋଗୀକରଣକୁ ଉନ୍ନତ କରିବା ପାଇଁ ଅନେକ ଉଦ୍ୟମ କରିଛନ୍ତି, ଯାହା ଫଳରେ କୃଷି କ୍ଷେତ୍ର ମଧ୍ୟ ଏହାଦ୍ୱାରା ଲାଭାନ୍ୱିତ ହେବ। ସରକାରଙ୍କ ଦାୟୀତ୍ୱ ହେଉଛି ଚାଷୀର ଉତ୍ପାଦିତ ସାମଗ୍ରୀ ସମୟାନୁସାରେ ଭଲ ବଜାରରେ ପହଞ୍ଚାଇବା। ସଡକ ପଥର ସୁଗମତା ଏହି ଲକ୍ଷ୍ୟ ହାସଲରେ ସହାୟକ ହେବ ବୋଲି ଶ୍ରୀ ମୋଦୀ କହିଛନ୍ତି। ରାଜପଥର ଏହି ଚାରିଲେନ ଯୋଗୁ ଆର୍ଥିକ ସ୍ଥାନୀୟ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଯୁବଗୋଷ୍ଠୀଙ୍କ ନିମନ୍ତେ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି ହେବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ସାତ ବର୍ଷ ମଧ୍ୟରେ ସ୍ୱାସ୍ଥ୍ୟ ଓ ସୁସ୍ଥତା ଦିଗରେ ଭାରତ ଅନେକ ପଦକ୍ଷେପ ନେଇଛି କାରଣ ଆର୍ଥିକ ଅଭିବୃଦ୍ଧି ଉତ୍ତମ ସ୍ୱାସ୍ଥ୍ୟ ସହ ଅଙ୍ଗାଙ୍ଗୀଭାବେ ଜଡିତ। ଏହି ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ଯୋଜନା ଅଧୀନରେ ସେ ଏକ ଚାରି ଶହ ମିଟର ସିନ୍ଥେଟିକ ଆଥଲେଟିକ ଟ୍ରାକର ଶିଳାନ୍ୟାସ କରିଛନ୍ତି। ଏହା ଆମର ଯୁବଗୋଷ୍ଠୀ ମଧ୍ୟରେ କ୍ରୀଡାର ବିକାଶ ଘଟାଇବ। ପୁଡୁଚେରୀରେ କ୍ରୀଡା ଭିତ୍ତିଭୂମି ପ୍ରତିଷ୍ଠା ଦ୍ୱାରା ଏଠାକାର କ୍ରୀଡାବିତମାନେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିବେ। ଲସପେଟରେ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଉଦଘାଟିତ ହୋଇଛି । ସେଠାରେ ହକି, ଭଲିବଲ, ଭାରତ୍ତୋଳନ, କବାଡି ଏବଂ ହ୍ୟାଣ୍ଡବଲ ଖେଳାଳୀମାନେ ସାଇର ପ୍ରଶିକ୍ଷକଙ୍କ ତତ୍ତ୍ୱାବଧାନରେ ତାଲିମ ଗ୍ରହଣ କରିପାରିବେ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା ଏକ ମୁଖ୍ୟ ଭୂମିକା ଗ୍ରହଣ କରିବ। ସମସ୍ତଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଲକ୍ଷ୍ୟ ନେଇ ଜିପମାରରେ ଏକ ରକ୍ତକେନ୍ଦ୍ର ଉଦଘାଟିତ ହୋଇଛି। ଏଥିରେ ଦୀର୍ଘସ୍ଥାୟୀ ରକ୍ତ ସଂରକ୍ଷଣ ସହ ରକ୍ତର ଆନୁସଙ୍ଗିକ ଉପାଦାନ ଓ ମଜ୍ଜା ବ୍ୟାଙ୍କ ଇତ୍ୟାଦି ଅତ୍ୟାଧୁନିକ ସୁବିଧା ରହିବ। ଏହି କେନ୍ଦ୍ର ଏକ ଗବେଷଣା ୟୁନିଟ ଭାବେ କାର୍ଯ୍ୟ କରିବା ସହ ରକ୍ତ ଦେବା ନେବା ସହ ସମସ୍ତ ତାଲିମ ଏଥି ସହ ସଂଶ୍ଳିଷ୍ଟ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଦାନ କରାଯିବ।

ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ହେଲେ ଆମର ପେଶାଦାର ସ୍ୱାସ୍ଥ୍ୟ ଚିକିତ୍ସକଙ୍କ ଆବଶ୍ୟକତା ରହିଛି। କରାଇକାଲର ପ୍ରଥମ ପର୍ଯ୍ୟାୟ ମେଡିକାଲ ପ୍ରକଳ୍ପ ଏକ ଅନୁକୂଳ ପରିବେଶ ଭିତ୍ତିକ ଭବନ ଯେଉଁଠି ଏମବିବିଏସ ଛାତ୍ରଛାତ୍ରୀଙ୍କ ନିମନ୍ତେ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସୁବିଧା ରହିଛି।

ସାଗରମାଳା ଯୋଜନା ଅଧୀନରେ ପୁଡୁଚେରୀ ବନ୍ଦର ବିକାଶର ଶିଳାନ୍ୟାସ କରି ଏହା ସମ୍ପୂର୍ଣ୍ଣ ହେଲେ ଏହା ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ବେଶ ଉପାଦେୟ ହେବବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହା ଚେନ୍ନାଇ ସହ ସମୁଦ୍ର ମାର୍ଗରେ ଯୋଗାଯୋଗ  ସ୍ଥାପନ କରିପାରିବ। ଏହା ପୁଡୁଚେରୀକୁ ମାଲ ପରିବହନ କରିବା ସହ ଚେନ୍ନାଇ ବନ୍ଦରର ବୋଝ ହାଲୁକା କରିପାରିବ। ସାମୁଦ୍ରିକ ନଗରୀଗୁଡିକୁ ଯାତ୍ରୀ ପରିବହନରେ ମଧ୍ୟ ଏହା ସହାୟକ ହେବ ବୋଲି ସେ କହିଛନ୍ତି।

Also Read |Corona Virus India Updates: ମାର୍ଚ୍ଚ ୧ରୁ ୬୦ ବର୍ଷରୁ ଅଧିକ ଏବଂ ୪୫ ବର୍ଷରୁ ଉର୍ଦ୍ଧ ସହ-ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଟୀକା

[amazon_auto_links id=”10233″]

Share this: