Odisha Weather Report Updates: ଆଜି କିଛି ସ୍ଥାନରେ ହେବ ବର୍ଷା, ସୁବର୍ଣ୍ଣରେଖା ନଦୀ ଅବବାହିକାରେ ପ୍ରବଳ ବନ୍ୟାର ଆଶଙ୍କା

Share this:

ଭୂବନେଶ୍ଵର: Odisha Weather Floods Latest Report Updates ରାଜ୍ୟରେ ଆଜି ଟିକେ ବର୍ଷା କମିଛି। ଲଘୁଚାପ ଦୁର୍ବଳ ହୋଇ ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ଚାଲିଯାଇଛି। ଓଡ଼ିଶାରେ ବର୍ଷା ପରିମାଣ ହ୍ରାସପାଇଛି। ଆସନ୍ତା ସପ୍ତାହେ ଯାଏ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୪ କି.ମି. ବେଗରେ ପଶ୍ଚିମ-ଉତ୍ତର- ପଶ୍ଚିମ ଦିଗରେ ଗତି କରି ଉତ୍ତର-ପଶ୍ଚିମ ଛତିଶଗଡ ପାର୍ଶ୍ୱବର୍ତ୍ତୀ ଉତ୍ତର-ପୂର୍ବ ମଧ୍ୟପ୍ରଦେଶ ଅଂଚଳରେ ଅବପାତ କେନ୍ଦ୍ରୀଭୂତ ରହିଛି। ଏହା ଆଗାମୀ ୨୪ ଘଣ୍ଟା ଯାଏଁ ନିଜ ଗତିର ଦିଗ ବଜାୟ ରଖିବା ସହ ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ। ଅନ୍ୟପକ୍ଷରେ ଏହି ଗଭୀର ଅବପାତର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି ହେତୁ ଏହାର ଓଡିଶା ଉପରୁ ଆଜିଠାରୁ ପ୍ରଭାବ କମିବ।

ସେହିପରି ଆଜି ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ବେଳେ ଆସନ୍ତା କାଲି ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଗଡ଼ରେ ସର୍ବାଧିକ ୧୪୦ ମିମି ରେକର୍ଡ଼ କରାଯାଇଛି।

ବଡ କଥା ହେଉଛି ସୁବର୍ଣ୍ଣରେଖା ନଦୀ ଅବବାହିକାରେ ପ୍ରବଳ ବନ୍ୟା ହେବାର ଆଶଙ୍କା ରହିଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ମୟୂରଭଞ୍ଜର କେତେକ ସ୍ଥାନରେ ଓ ବାଲେଶ୍ୱର ଜିଲ୍ଲାର ବାଲେଶ୍ୱର, ଭୋଗରାଇ ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ। ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜ୍‍ରେ ୬ ଲକ୍ଷ କ୍ୟୁସେକ ଜଳ ଛଡାଯିବାରୁ ଏପରି ଅବସ୍ଥା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଜାମଶୋଳା ଘାଟରେ ସୁବର୍ଣ୍ଣରେଖା ବିପଦ ସଙ୍କେତଠାରୁ ୪ ମିଟର ଉପରେ ରହିଛି।

ସେହିପରି ବାଲେଶ୍ୱର ଜିଲ୍ଲାରେ ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନ୍‍ଡିଆରଏଫର ୪୦ଟି ଅପରେସନ ଟିମ୍‍ କାର୍ଯ୍ୟକରିବାକୁ ପଠାଯାଇଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳପତ୍ତନ ବିପଦ ସଙ୍କେତ ପାଖାପାଖି ପହଞ୍ଚିଛି। ଆଜି ସନ୍ଧ୍ୟାରେ ଏହା ବିପଦସଙ୍କେତ ସ୍ତର ଟପିବାର ଆଶଙ୍କା ଥିବାରୁ ନଦୀକୂଳବର୍ତ୍ତୀ ଗ୍ରାମର ଲୋକେ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଜୀବନହାନୀ ରୋକିବାପାଇଁ ପ୍ରଶାସନକୁ ପ୍ରାଥମିକତା ଦେବା ଲାଗି ଏସ୍‍ଆରସି କହିଛନ୍ତି। ବନ୍ୟା ସମୟରେ ଯେଉଁଠାରେ ବ୍ରିଜ୍‍ ବା କଲଭର୍ଟ ବୁଡି ରହିଛି ତା ଉପରେ ଚଳାଚଳ ନ କରିବାକୁ ଏସ୍‍ଆରସି ପରାମର୍ଶ ଦେଇଛନ୍ତି।

ଏଥିସହିତ ବୈତରଣୀ ନଦୀରେ ବନ୍ୟା ଆସିବା ଆଶଙ୍କା କରି ଯାଜପୁର ଓ ଭଦ୍ରକକୁ ଆଲର୍ଟରେ ରଖାଯାଇଛି। ଭଦ୍ରକ ଜିଲ୍ଲା ଆଖୁଆପଦା ଆନିକଟ ଠାରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେହିପରି ବ୍ରାହ୍ମଣୀ ଉପରେ ମଧ୍ୟ ନଜର ରଖାଯାଇଛି ବୋଲି ଏସ୍‍ଆରସି ସୂଚନା ଦେଇଛନ୍ତି।

ବର୍ତ୍ତମାନ ହୀରାକୁଦରେ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ଦରକାର ପଡିଲେ ଏହି ୪ଟି ଗେଟ୍‌କୁ ମଧ୍ୟ ବନ୍ଦ କରି ଦିଆଯାଇପାରେ। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୯୬ ହଜାର ୧୮୬ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ପ୍ରତି ସେକେଣ୍ଡରେ ଜଳଭଣ୍ଡାରରୁ ୧ ଲକ୍ଷ ୨ ହଜାର ୬୮୫ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି। ମହାନଦୀର ଖଇରମାଳଠାରେ ୫ ଲକ୍ଷ ୯୦ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ବଡ଼ମୂଳଠାରେ ୭ ଲକ୍ଷ ୬୭ ହଜାର କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ସେହିପରି ମୁଣ୍ଡଳିଠାରେ ୮ ଲକ୍ଷ ୩୫ ହଜାର ୬୭୨ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ମୁଣ୍ଡଳୀ ସମେତ ସବୁ ସ୍ଥାନରେ ଜଳସ୍ତର କ୍ରମଶଃ ହ୍ରାସପାଉଛି ବୋଲି ଏସ୍‌ଆରସି କହିଛନ୍ତି।

ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର ଏସ୍‍ଆରସି କ୍ଷମତା ପ୍ରଦାନ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Read Also | ASO Examination 2022: ଆସନ୍ତା ଅଗଷ୍ଟ ୨୭ରେ ଏଏସ୍‍ଓ ପରୀକ୍ଷା, Download admit card

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *