Odisha Weather Report: ପ୍ରବଳ ବର୍ଷା ନେଇ ୪ଜିଲ୍ଲାରେ ରେଡ୍‍ ୱାର୍ଣ୍ଣିଂ ଜାରି; ରାଜ୍ୟରେ ମଧ୍ୟମ ଧରଣର ବନ୍ୟା

Share this:

ଭୁବନେଶ୍ଵର: Odisha floods Report ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବନ୍ୟା ପରିସ୍ଥିତି ଦେଖାଦେଇଛି। ଲଘୁଚାପ ପ୍ରଭାବରେ ମୟୂରଭଞ୍ଜ ଓ ବାଲେଶ୍ୱରରେ ପ୍ରବଳ ବର୍ଷା ହୋଇଥିବା ସୂଚନା ମିଳିଛି। ଝାଡ଼ଖଣ୍ଡ ଗାଲୁଡ଼ି ବ୍ୟାରେଜ୍‍ରେ ୭ଟି ଗେଟ୍‍ ଦେଇ ୧ ଲକ୍ଷ ୫ ହଜାର କ୍ୟୁସେକ୍‍ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ସୁବର୍ଣ୍ଣରେଖାରେ ଜଳସ୍ତର ବଢ଼ିବାର ଆଶଙ୍କା ଦେଖାଦେଇଛି। ବନ୍ୟା ସମ୍ଭାବନା କମ୍‍ ଥିବା ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ କୁହାଯାଇଛି।

ସେପଟେ ବୁଢ଼ାବଳଙ୍ଗରେ ବିଶେଷ ବନ୍ୟାସ୍ଥିତି ନ ଥିଲେ ମଧ୍ୟ ଜଳସ୍ତର ବୃଦ୍ଧି ହେବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ କନ୍ଧମାଳ, ବୌଦ ଓ କଳାହାଣ୍ଡିରେ ରାଜ୍ୟର ସବୁଠୁ ଅଧିକ ବୃଷ୍ଟିପାତ ହୋଇଛି। ଏହାର ପ୍ରଭାବରେ ତେଲ୍‍ ନଦୀରେ ଅଧିକ ପାଣି ଆସିବାର ଆଶଙ୍କା ରହିଛି। ଲଗାଣ ବର୍ଷା ଯୋଗୁଁ ଦାରିଙ୍ଗିବାଡ଼ି, ରାଇକିଆ, ଫିରିଙ୍ଗଆ ବ୍ଲକ୍‍ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଦକ୍ଷିଣ ଝାରଖଣ୍ଡ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଅଞ୍ଚଳରେ କେନ୍ଦ୍ରୀଭୂତ ଗଭୀର ଅବପାତ ପଶ୍ଚିମ- ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି।

ଲଘୁଚାପ ବର୍ତ୍ତମାନ ଗଭୀର ଅବପାତ ବର୍ତ୍ତମାନ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଗତି କରି ଦକ୍ଷିଣ ଝାରଖଣ୍ଡ ପାଶ୍ୱର୍ବର୍ତ୍ତୀ ଉତ୍ତର ଓଡ଼ିଶା ଅଞ୍ଚଳରେ ଝାରସୁଗୁଡ଼ାଠାରୁ ଉତ୍ତରପୂର୍ବ ଦିଗରେ ୧୭୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱରର ଭୋଗରାଇରେ ସର୍ବାଧିକ ୨୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ଆକଳନ କରାଯାଇଛି। ଅତି ପ୍ରବଳ ବର୍ଷା ହେବା ନେଇ ଆଜି ପାଇଁ ୪ଟି ଜିଲ୍ଲା ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ପାଇଁ ରେଡ୍‍ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ୧୨ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। କେନ୍ଦ୍ରାପଡ଼ା, ଜଗତ୍‍ସିଂହପୁର, କଟକ, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗିର ଓ ଯାଜପୁର।

ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ କାନ୍ଥପଡି ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଲଗାଣ ବର୍ଷାଯୋଗୁଁ କାନ୍ଥ ପଡିବାରୁ କେନ୍ଦୁଝର, ସଦର ବ୍ଲକ୍‍ ମହାଦେଇଯୋଡ଼ା ପଞ୍ଚାୟତ ଟିକରପଡ଼ା ଗ୍ରାମରେ ଜଣଙ୍କର ମୃତ୍ୟୁ ହୋଇଛି। କୋରାପୁଟର ନୂଆସାହିରେ କାନ୍ଥ ପଡିବାରୁ ଜଣେ ୯ ବର୍ଷ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବିଶୋୟୀ ବ୍ଲକ୍‍ ଗୁହାକନୀ ପଞ୍ଚାୟତ ଭୋଳଦେଓ ଗାଁରେ ଲଗାଣ ବର୍ଷାଯୋଗୁଁ କାନ୍ଥଡ଼ି ୨ ଜଣ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ବାଲେଶ୍ୱର ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। କ୍ରମାଗତ ବର୍ଷାଯୋଗୁଁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ବନ୍ୟାଜଳ ବିପଦସଙ୍କେତ ସ୍ତର ତଳେ ପ୍ରବାହିତ ହେଉଛି। ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ଆଜି ସମୁଦ୍ରକୁ ନ ଯିବାକୁ ବାରଣ କରାଯାଇଛି।

ସେହିପରି ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୨୦ ଫୁଟ ଅଛି। ହୀରାକୁଦକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୮୩ ହଜାର କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୫୪ ହଜାର ୬୦୦ କ୍ୟୁସେକ୍‍ ଜଳ ନିଷ୍କାସିତ ହେଉଛି। ବର୍ତ୍ତମାନ ହୀରାକୁଦର ୪ଟି ସ୍ଲୁଇସ୍‍ ଗେଟ୍‍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବର୍ଷାର ପରିମାଣକୁ ଦୃଷ୍ଟିରେ ରଖି ଆଗକୁ ଆହୁରି ଗେଟ୍‍ ଖୋଲିବା ଅଥବା ବନ୍ଦକରିବା ନିଷ୍ପତ୍ତି ନିଆଯିବ।

Read Also | Covid Cases in Odisha: ରାଜ୍ୟରେ ଆଜି କମିଛି କରୋନା ସଂକ୍ରମଣ, ୩୨୦ଜଣ ଚିହ୍ନଟ

[amazon_auto_links id=”9939″]

Share this:

Leave a Reply

Your email address will not be published. Required fields are marked *