Odisha Assembly Updates: ଗୃହରେ ବିଜୁଳି ତାତି, ବଡ ବଡ କମ୍ପାନୀକୁ ଖସେଇବାକୁ ସରକାର ବାଟ ଖୋଲିଛନ୍ତି କହିଲେ ବିରୋଧୀ
ଭୁବନେଶ୍ଵର: ରାଜ୍ୟ ବିଧାନସଭା (Assembly) ମୌସୁମୀ ଅଧିବେଶନର ଆଜି ହେଉଛି ତୃତୀୟ କାର୍ଯ୍ୟଦିବସ। ଗୃହରେ ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା କରାଯାଇଛି। ବିଶେଷକରି ବିଜୁଳି ଦର ବୃଦ୍ଧି ନେଇ ମୁଲତବୀ ନୋଟିସ ଉପରେ ଆଲୋଚନା ହୋଇଛି।
ଆଲୋଚନାରେ ଅଂଶଗ୍ରହଣ କରି ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର (Dibya Shankar Mishra) କହିଛନ୍ତି, ସବୁଦିଗକୁ ଅନୁଧ୍ୟାନ କରି ଦର ସ୍ଥିର କରାଯାଇଥାଏ। ଦୀର୍ଘ ୭ବର୍ଷ ପରେ ରାଜ୍ୟରେ ବିଜୁଳି ଦର ବଢ଼ିଛି। ଅନ୍ୟପକ୍ଷରେ କୃଷକ, ବିପିଏଲ (BPL) ପରିବାରଙ୍କ ପାଇଁ ଦର ବୃଦ୍ଧି ହୋଇନାହିଁ।
ଶକ୍ତିମନ୍ତ୍ରୀ କହିଛନ୍ତି, ୫୦ ୟୁନିଟରୁ ଅଧିକ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଦର ବୃଦ୍ଧି ହୋଇଛି। ୟୁନିଟ ପିଛା ମାତ୍ର ୨୦ ପଇସା ବୃଦ୍ଧି କରାଯାଇଛି। ଏନଟିପିସି (NTPC), ଏନଏଚପିସି (NHPC) ଓ ପିଜିସିଆଇଏଲ (PGCIL) ଆଦି ୬୮ପ୍ରତିଶତ ବୃଦ୍ଧି କରିଥିବାରୁ ଦର ବୃଦ୍ଧି କରାଯାଇଛି। କେବଳ ଗୋଟିଏ ଦୁଇଟି ରାଜ୍ୟକୁ ଛାଡିଦେଲେ ବାକି ରାଜ୍ୟର ବିଜୁଳି ଦର ଓଡିଶାଠାରୁ ଅଧିକ ରହିଛି ବୋଲି ସେ କହିଛନ୍ତି।
ଅନ୍ୟ ପକ୍ଷରେ ବିଜୁଳି ଦର ବୃଦ୍ଧି ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମନ୍ତ୍ରୀ ତିନୋଟି ରାଜ୍ୟର ଉଦାହରଣ ଦେଇ ସାମଗ୍ରିକ ଭାବେ ୪ ପ୍ରତିଶତ ବଢିଥିବାବେଳେ ପଡୋଶୀ ଛତିଶଗଡ଼ର ଉଦାହରଣ ଦେଲେନି। ଯେଉଁଠି ୟୁନିଟ ପିଛା ଦର ଓଡ଼ିଶାଠୁ କମ୍ ରହିଛି। ସରକାର ବଡ ବଡ କମ୍ପାନୀ ମାନଙ୍କୁ କୋଟି କୋଟି ଟଙ୍କା ଛାଡ଼ କରିଛନ୍ତି ଏବଂ ସାଧାରଣ ଲୋକଙ୍କ ଉପରେ ବୋଝ ଲଦିଛନ୍ତି। ରିଲାଏନ୍ସ (Reliance) ଓ ଇମ୍ଫା (IMFA) ଭଳି ବଡ ବଡ କମ୍ପାନୀମାନଙ୍କୁ ବିଦ୍ୟୁତ ବକେୟା ଛାଡ଼ କରିବାରେ କି ରହସ୍ୟ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ (Mohan Charan Majhi) କହିଛନ୍ତି, ମୁଷ୍ଟିମେୟ ଓ ବଡ ବଡ କମ୍ପାନୀକୁ ଖସେଇବାକୁ ସରକାର ବାଟ ଖୋଲିଛନ୍ତି। କରୋନା ମହାମାରି ସମୟରେ ଲୋକେ ଜୀବନ ଜୀବିକା ହରାଉଛନ୍ତି। ଏଭଳି ସ୍ଥିତିରେ ବିଜୁଳି ଦର ବୃଦ୍ଧି ଲୋକଙ୍କ ମେରୁଦଣ୍ଡ ଭାଙ୍ଗିଛି। ଚାରୋଟି ବିଦ୍ୟୁତ ବଂଟନ କାରୀ କମ୍ପାନୀ ଉପରେ ୫ ହଜାର ୯ ଶହ ୬୩ କୋଟି ୨୧ ଲକ୍ଷ ବାକି ପଡିଛି। ୨୬ ଟି ଶିଳ୍ପସଂସ୍ଥା ଉପରେ ପ୍ରାୟ ୩ ହଜାର କୋଟି ବକେୟା ଗଡୁଛି। ୩୦୩୨ଟି କମ୍ପାନୀ ଉପରେ ୫୧୫ କୋଟି ଟଙ୍କାର ଜଳ କର ବକେୟା ପଡିଛି। ତାହା ସରକାର ଏଯାଏ ଆଦାୟ କରିପାରୁନାହାନ୍ତି। କରୋନାମହାମାରୀକୁ ଦୃଷ୍ଟିରେ ରଖି ବିଦ୍ୟୁତ ବଣ୍ଟନକାରୀ କମ୍ପାନୀ ଜରିଆରେ କେନ୍ଦ୍ର ୮୬ କୋଟି ଟଙ୍କାର ରିହାତି ଦେଇଛନ୍ତି। ବାହାର ରାଜ୍ୟକୁ ରାଜ୍ୟ ସରକାର ୟୁନିଟ ପିଛା ୩ ଟଙ୍କା ୨୧ପଇସାରେ ବିଦ୍ୟୁତ ବିକ୍ରି କରୁଛନ୍ତି। ଅପରପକ୍ଷରେ ବାହାର ରାଜ୍ୟରୁ ୟୁନିଟ ପିଛା ୩ ଟଙ୍କା ୮୧ପଇସାରେ କିଣୁଛନ୍ତି। ବିଦ୍ୟୁତ ବିଲ ବଢାଇବା ନିଷ୍ପତ୍ତିକୁ ସରକାର ତୁରନ୍ତ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି।
Also Read :