Odisha Assembly News: ବିଧାନସଭାର ବଜେଟ୍‍ ଅଧିବେଶନର ବିରୋଧୀଙ୍କ ହଟ୍ଟଗୋଳ, ୨୪ଟି ନୂଆ ସରକାରୀ ଆଇଟିଆଇ ହେବ ପ୍ରତିଷ୍ଠା

Share this:

ଭୁବନେଶ୍ଵର:ଚଳିତ ବିଧାନସଭା (Assembly) ର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‍ ଅଧିବେଶନ (Budget Session) ର ଦ୍ୱିତୀୟ କାର୍ଯ୍ୟଦିବସ। ଧାନମଣ୍ଡି ସମସ୍ୟା ନେଇ ଅଧିବେଶନ ଆରମ୍ଭରୁ ବିରୋଧି ବିଜେପି (BJP) ଏବଂ କଂଗ୍ରେସ (Congress) ବିଧାୟକମାନେ ହଟ୍ଟଗୋଳ କରିବାରୁ ଶାସକ ବିଜେଡି (BJD) ବିଧାୟକମାନେ ଏହାର ଦୃଢ଼ ପ୍ରତିବାଦ କରିଥିଲେ। ଫଳରେ ଉଭୟ ପକ୍ଷଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି ହୋଇଥିଲା। ହଟ୍ଟଗୋଳଜନିତ ଅଚଳାବସ୍ଥା ଏବଂ ଉତ୍ତେଜନାପୂର୍ଣ୍ଣ ବାତାବରଣ ଲାଗି ରହିବାରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର (Suryanarayan Patra) ଗୃହରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଲାଗି ଦୁଇ ଥରରେ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ପ୍ରଥମାର୍ଦ୍ଧ ବୈଠକରେ ପ୍ରଶ୍ନୋତ୍ତର ସମେତ ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇପାରି ନ ଥିଲା। ତେବେ ହଟ୍ଟଗୋଳ ଓ ଅଚଳାବସ୍ଥା ମଧ୍ୟରେ ଆଜିର ଦିବସର କାର୍ଯ୍ୟସୂଚୀ ଅନୁସାରେ ଗୃହରେ ୮ଟି ସରକାରୀ ବିଲ୍‍ ଉପସ୍ଥାପନ ହୋଇଥିଲା। ସେହିପରି ରାଜ୍ୟରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‍ସନ୍‍ ଯୋଜନାରେ ସମୁଦାୟ ୪୮ ଲକ୍ଷ ୫୬ ହଜାର ୬୫୦ ଜଣ

ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଓ ଅନ୍ୟାନ୍ୟ ଭତ୍ତା ପ୍ରଦାନ କରାଯାଉଛି ବୋଲି ଆଜି ବିଧାନସଭାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି।

କଂଗ୍ରେସ ଦଳ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏ ସମ୍ପର୍କିତ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ପଣ୍ଡା ଜଣାଇଛନ୍ତି, ବିଧବାମାନଙ୍କ ପରି ସ୍ୱାମୀ ପରିତ୍ୟକ୍ତା ମହିଳାମାନଙ୍କୁ ମଧୁବାବୁ ପେନ୍‍ସନ୍‍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ଭତ୍ତା ପ୍ରଦାନ କରାଯାଉଛି। ଭତ୍ତାରାଶିକୁ ବୃଦ୍ଧି କରିବାପାଇଁ ସରକାରଙ୍କର ବର୍ତ୍ତମାନ କୌଣସି ପ୍ରସ୍ତାବ ବିଚାରାଧୀନ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ ମୋଟ୍‍ ୪୯ଟି ସରକାରୀ ଓ ୪୪୮ଟି ବେସରକାରୀ ଆଇଟିଆଇ (ITI) କାର୍ଯ୍ୟ କରୁଛି। ଆଗାମୀ ଦିନରେ ୨୪ଟି ନୂତନ ସରକାରୀ ଆଇଟିଆଇ ପ୍ରତିଷ୍ଠା କରାଯିବା ନିମନ୍ତେ ସ୍ଥିର କରାଯାଇଛି ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି। ବିଧାୟକ ପ୍ରକାଶ ଚନ୍ଦ୍ର ମାଝିଙ୍କର ଏ ସମ୍ପର୍କିତ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ନାୟକ ଦର୍ଶାଇଛନ୍ତି, ନବରଙ୍ଗପୁର ଜିଲ୍ଲାର ଛାତ୍ରଛାତ୍ରୀଙ୍କ ବୈଷୟିକ ଶିକ୍ଷାର ବିକାଶ ଓ ଦକ୍ଷତା ବୃଦ୍ଧି ପାଇଁ ୩ଟି ସରକାରୀ ଏବଂ ୨ଟି ବେସରକାରୀ ଆଇଟିଆଇ. କାର୍ଯ୍ୟ କରୁଛି। ଜିଲ୍ଲାରେ ବୈଷୟିକ ଶିକ୍ଷାର ବିକାଶ ପାଇଁ ଏକ ସରକାରୀ ପଲିଟେକ୍‍ନିକ୍‍ ଖୋଲାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ପରେ ଦ୍ୱିତୀୟାର୍ଦ୍ଧ ବୈଠକ ଅପରାହ୍ଣ ୪ଟାରେ ହୋଇଥିବାବେଳେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ସରକାରୀ ଦଳର ପ୍ରତିବାଦର ସମ୍ମୁଖୀନ ହୋଇଥିଲେ ବାଚସ୍ପତି। ଗୃହ ମଧ୍ୟଭାଗରେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ନାରାବାଜି କରିବାରୁ ବାଚସ୍ପତି ବିଧାୟକମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ। ତେବେ ଅଚଳାବସ୍ଥା ଯୋଗୁଁ ଆଜି ଦିବସରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା କରା ନ ଯାଇ ୩୦ ତାରିଖରେ ଗିଲୋଟିନ୍‍ ଜରିଆରେ ଗୃହୀତ କରାଯିବ ବୋଲି ସୂଚନା ଦେବା ସହ ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *