ନୀଳାଦ୍ରି ବିଜେ କଲେ ମହାପ୍ରଭୁ
ପୁରୀ : ନବଦିନର ଯାତ୍ରା ପରେ ରଥ ଉପରେ ସୁନାବେଶ ଓ ଅଧରପଣା ନୀତି ଶେଷ କରି ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିଛନ୍ତି। ଘଣ୍ଟଘଣ୍ଟାର ତାଳେ ତାଳେ, ମୃଦଙ୍ଗ, ବିଜେକାହାଳି ବାଦ୍ୟରେ,ହରିବୋଲଏବଂ ହୁଳହୁଳି ରେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ଶ୍ରୀମନ୍ଦିର କୁ ବିଜେ କରିଛନ୍ତି। ଚଳିତ ବର୍ଷ ନିର୍ଘଣ୍ଟ ସମୟ ପୂର୍ବରୁ ପହଣ୍ଡି ଶେଷ ହୋଇଛି।
ପ୍ରଥମେ ରାମକୃଷ୍ଣ ଏବଂ ମଦନମୋହନ ବିଜେ କରିଥିଲେ। ପରେ ପରେ ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଜଗତର ନାଥ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡି କରାଯାଇଥିଲା ଶ୍ରୀଜଗନ୍ନାଥଙ୍କ ଫେରିବା ବାଟକୁ ଭେଟମଣ୍ଡପରେ ଅପେକ୍ଷା କରିଥିଲେ ମା’ଲକ୍ଷ୍ମୀ। ପରମ୍ପରା ଅନୁଯାୟୀ , ସେବକଙ୍କ ଗହଣରେ ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିବା ବେଳେ ମହାଲକ୍ଷ୍ମୀଙ୍କ ନିର୍ଦେଶରେ ଭିତରୁ ଦୁଆର ବନ୍ଦ କରାଯାଇଥିଲା। କିଛିସମୟ ପାଇଁ କାଳିଆଠାକୁର ସେଠାରେ ଅଟକି ରହିଥିଲେ। ଲକ୍ଷ୍ମୀନାରାୟଣ କଳି ଅନୁଷ୍ଠିତ ହୋଇଥିଲା। ମା’ଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଥିଲେ ପ୍ରଭୁ ଶ୍ରୀଜଗନ୍ନାଥ। ଦୁଆର ଖୋଲାଯିବା ପରେ ଶ୍ରୀଜୀଉ ନୀଳକନ୍ଦରକୁ ବିଜେ କରିଥିଲେ।