Paradip Plastic Park: ପାରାଦୀପ ପ୍ଲାଷ୍ଟିକ ପାର୍କ ପାଇଁ ଆଇଓସିଏଲ୍ ଏବଂ ଇଡକୋ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

Share this:

ନୂଆଦିଲ୍ଲୀ: ପାରାଦୀପ ପ୍ଲାଷ୍ଟିକ ପାର୍କ (Paradip Plastic Park) ର ବିକାଶ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (IOCL) ଏବଂ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ (IDCO) ମଧ୍ୟରେ ଆଜି ଏକ ବୁଝାମଣାପତ୍ର (MoU) ସ୍ୱାକ୍ଷରିତ ହୋଇଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ(Dharmendra Pradhan), ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ହାଇବ୍ରିଡ ମୋଡରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଥିଲା।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, “ପ୍ଲାଷ୍ଟିକ କ୍ଷେତ୍ରରେ ଉଭୟ ଉଦ୍ୟୋଗ ବିକାଶ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନାକୁ ଆଖି ଆଗରେ ରଖି ଭାରତ ସରକାର ପ୍ଲାଷ୍ଟିକ ପାର୍କ ଯୋଜନା ମାଧ୍ୟମରେ ଏହି ଶିଳ୍ପର କ୍ଲଷ୍ଟର ଆଧାରିତ ବିକାଶ ଆରମ୍ଭ କରିଛନ୍ତି। ବର୍ତ୍ତମାନ, ଭାରତ ସରକାରଙ୍କ ଦ୍ୱାରା ଛଅଟି ଏଭଳି ପାର୍କ ବିକଶିତ କରାଯାଇଛି, ପାରାଦୀପ ପ୍ଲାଷ୍ଟିକ ପାର୍କ ସେଥିମଧ୍ୟରୁ ଗୋଟିଏ। ଶ୍ରୀ ପ୍ରଧାନ କହିଛନ୍ତି  ଯେ ପେଟ୍ରୋକେମିକାଲ (Petrochemical), କେମିକାଲ, ପଲିମର (Polymer), ବୟନ ଏବଂ ଫାଇବର କ୍ଷେତ୍ରର ଦ୍ରୁତ ବିକାଶ ଜରିଆରେ ଓଡ଼ିଶା ଶିଳ୍ପାୟନର ପ୍ରାଣକେନ୍ଦ୍ର ପାଲଟିବ।

ଶ୍ରୀ ପ୍ରଧାନ ଆହୁରି ଆଲୋକପାତ କରି କହିଛନ୍ତି ଯେ ଡାଉନଷ୍ଟ୍ରିମ ଉଦ୍ୟୋଗ କ୍ଷେତ୍ରରେ କୁଶଳୀ ଶ୍ରମଶକ୍ତିଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ମୁମ୍ବାଇର ଇନଷ୍ଟିଚ୍ୟୁଟ ଅଫ କେମିକାଲ ଟେକ୍ନୋଲୋଜି (ICT)ଏବଂ ଇଣ୍ଡିଆନ ଅଏଲ ମିଶି ଭୁବନେଶ୍ୱରରେ କେମିକାଲ ଇଞ୍ଜିନିୟରିଂ ଓ ଟେକ୍ନୋଲୋଜିର ଏକ ବିଶ୍ୱ ସ୍ତରୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନ ଲାଗି ଯୋଜନା କରିଛନ୍ତି।

ମନ୍ତ୍ରୀ ଆହୁରି କହିଛନ୍ତି  ଯେ ପୂର୍ବ ଭାରତର ବିକାଶ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ମିଶନ ପୂର୍ବୋଦୟ ଦିଗରେ ଆଜିର ପଦକ୍ଷେପ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବାକୁ ଯାଉଥିବାରୁ ମୁଁ ଆନନ୍ଦିତ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ପାରାଦୀପ ପ୍ଲାଷ୍ଟିକ ପାର୍କ ପାଇଁ ମିଳିତ ଭାବେ ପ୍ରୟାସ କରିଥିବାରୁ ମୁଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଇଣ୍ଡିଆନ ଅଏଲ ଏବଂ ଇଡକୋକୁ ଅଭିନନ୍ଦନ ଜଣାଉଛି। ଏହା ଡାଉନଷ୍ଟ୍ରିମ ପ୍ଲାଷ୍ଟିକ ଶିଳ୍ପର ବିକାଶ ପାଇଁ ଏକ ବାସ୍ତବ ସାଧନ ହୋଇପାରିବ। ଏହା ଓଡ଼ିଶା ତଥା ପୂର୍ବ ଭାରତରେ ପେଟ୍ରୋକେମିକାଲ୍ସ ଏବଂ ପ୍ଲାଷ୍ଟିକ ଭିତ୍ତିଭୂମି ସମେତ ସହାୟକ ଉଦ୍ୟୋଗ ଏବଂ ଏମଏସଏମଇଗୁଡ଼ିକୁ ପ୍ରୋତ୍ସାହନ ଯୋଗାଇଦେବ।

ଏମଓୟୁ ସ୍ୱାକ୍ଷରିତ ହେବାର ଅଂଶବିଶେଷ ସ୍ୱରୂପ, ପାରାଦୀପ ପ୍ଲାଷ୍ଟିକ ପାର୍କରେ ଡାଉନଷ୍ଟ୍ରିମ ପଲିମର ଶିଳ୍ପରେ ନିବେଶ ଆକୃଷ୍ଟ କରିବା ଲାଗି ଇଣ୍ଡିଆନ ଅଏଲ ପକ୍ଷରୁ ଏକ ବିଶେଷ ରଣନୈତିକ ପ୍ରୋତ୍ସାହନ ଯୋଜନା ଘୋଷଣା କରାଯାଇଛି। ମାର୍ଚ୍ଚ ୨୦୩୦ ସୁଦ୍ଧା ପାରାଦୀପ ପ୍ଲାଷ୍ଟିକ ପାର୍କରେ ଥିବା ଉତ୍ପାଦନ ୟୁନିଟଗୁଡ଼ିକୁ ପାରାଦୀପ ରିଫାଇନାରୀରୁ ପଲିପ୍ରୋପାଇଲିନ୍ ଗ୍ରାନ୍ୟୁଲ୍ସ (Polypropylene Granules) ଉପରେ ମେଟ୍ରିକ ଟନ ପିଛା ୨ ହଜାର ଟଙ୍କାର ପ୍ରୋତ୍ସାହନ ଦିଆଯିବ। ପାଞ୍ଚ ଶହ କୋଟି ଟଙ୍କାର ଆନୁମାନିକ ନିବେଶ ସହ ପ୍ଲାଷ୍ଟିକ ପାର୍କ ଠାରେ ପାଖାପାଖି ୨୬ଟି ୟୁନିଟ ପ୍ରତିଷ୍ଠା ହେବ ବୋଲି ଆଶା କରାଯାଉଛି। ଏହାଫଳରେ ୬ହଜାରରୁ ଅଧିକ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଓଡ଼ିଶା ସରକାରଙ୍କ ଶକ୍ତି, ଶିଳ୍ପ, ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ବ) ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ଇଡକୋ ଅଧ୍ୟକ୍ଷ ସଞ୍ଜୟ କୁମାର ସିଂ ଏହି ଅବସରରେ ଉପସ୍ଥିତ ଥିଲେ।

[amazon_auto_links id=”9932″]

Also Read | Covid19 New Guidelines: ମଲ୍‍,ରେସ୍ତୋରା ଓ ଧର୍ମସ୍ଥଳଗୁଡ଼ିକ ପାଇଁ ନୂଆ କୋଭିଡ଼ ମାର୍ଗଦର୍ଶିକା ଜାରି

Share this:

Leave a Reply

Your email address will not be published. Required fields are marked *