ସାବରମତୀର ସନ୍ଥ : ନିର୍ମଳାବାଳା ମିଶ୍ର, ଯାଜପୁର

Share this:

ସାବରମତୀର ସନ୍ଥ ନିର୍ମଳାବାଳା ମିଶ୍ର, ଯାଜପୁର

ସାବରମତୀର ସନ୍ଥହେ ତୁମେ

ବାପୁଜୀ! ଚିର ମହାନ,

   ଅହିଂସାର ମନ୍ତ୍ର ଫୁଙ୍କିଲ କାନରେ

ତୁମ କୀର୍ତ୍ତି ଅମଳିନ।

   ହେ ମହାମାନବ!ପୂଜ୍ୟ ବାପୁଜୀ

ତୁମପରି ହେବ କିଏ ?

   ଲଙ୍ଗଳା ଫକୀର ସାଜି ମାତୃଭୂମି

ସେବାରେ ଲାଗିବ କିଏ?

   ମନଟି ତୁମର ପ୍ରେମର ମନ୍ଦିର

ଅହିଂସା ତୁମର ଅସ୍ତ୍ର,

ଆଣ୍ଠୁ ନଲୁଚିବା ଧୋତି ଓ ଚାଦର

ଥିଲା ତୁମ ଅଙ୍ଗବସ୍ତ୍ର।

ହେ ମହାମାନବ!ତୁମ ହୃଦେ ଥିଲା

ସତ୍ୟ ଅହିଂସାର ଭାବ,

ସାରା ପୃଥିବୀକୁ ଚହଲାଇ ଦେଲା

ତୁମର ସେ ଦିବ୍ୟଭାବ।

ସତ୍ୟ ଧର୍ମପଥେ ଚାଲୁଥିଲ ସଦା

ମନରେ ନଥିଲା ଭୟ,

ମନେ ଥିଲା ତୁମ ଏଦୃଢ଼ ବିଶ୍ୱାସ

ସତ୍ୟର ହୋଇବ ଜୟ।

ଦୃଢ଼ହସ୍ତେ ତୁମେ ପ୍ରତିବାଦ କଲ

ଦୁର୍ଦ୍ଧର୍ଷ ଗୋରା ଶାସକେ,

ବିଜୟ ମୁକୁଟ ପିନ୍ଧାଇଲ ତୁମେ

ଭାରତ ମାତା ମସ୍ତକେ।

ବାପୁଜୀହେ! ତୁମ ନୀତି ଓ ଆଦର୍ଶ

ଆଲୋକ ବର୍ତ୍ତିକା ସମ,

ସୁପଥରେ ନେବା ପାଇଁ ସମାଜକୁ

ଦେଉଅଛି ଦିଗଦର୍ଶନ।

ସାରା ବିଶ୍ୱବାସୀ ଝୁରନ୍ତି ତୁମକୁ

ତୁମେତ ଜାତିର ପିତା,

ଶିକ୍ଷା ଦେଇଅଛ ସାରା ଜଗତକୁ

ତ୍ୟାଗ, ପ୍ରେମ, ମାନବତା।

ନୀତି ଆଦର୍ଶର ଅବକ୍ଷୟ ଏବେ

ହେଉଅଛି ଭାରତରେ,

ଅଧୁରା ରହିଲା ତୁମ ସ୍ୱପ୍ନ ବାପୁ !

ଦେଖିଯାଅ ଆସି ଥରେ।

ସ୍ନେହ ପ୍ରେମ ତ୍ୟାଗ ଅହିଂସାର ଭାବ

ଏବେ କଳପନା ମାତ୍ର,

ନିଜ ସ୍ୱାର୍ଥ ପାଇଁ ମଣିଷ ପଣିଆ

ହେଉଅଛି ଏବେ ଲୁପ୍ତ।

ଆଜି ଶୁଭଦିନ ଜୟନ୍ତୀ ଉତ୍ସବ

ତୁମର ହେ ଦେବଦୂତ!

ସାଦରେ ଗ୍ରହଣ କରହେ ମହାନ

ମୋର ଭକ୍ତି ପ୍ରଣିପାତ।

–☆–☆–☆–☆–☆–☆–☆–☆–

Also Read :

ଅଲିଭା ସଳିତା : ନିର୍ମଳାବାଳା ମିଶ୍ର, ଯାଜପୁର ; TRIBUTE TO BIJAY MOHANTY

Share this:

Leave a Reply

Your email address will not be published. Required fields are marked *