ସତ୍ୟବାଦୀର ସନ୍ଥ : ନିର୍ମଳାବାଳା ମିଶ୍ର, ଯାଜପୁର

Share this:
ନିର୍ମଳାବାଳା ମିଶ୍ର
(ଯାଜପୁର)

“ସତ୍ୟବାଦୀର ସନ୍ଥ”ହେ ତୁମେ

ଉତ୍କଳ ମାତାର ଯୋଗ୍ୟ ସନ୍ତାନ,

ଦୁଃଖୀଜନ ବନ୍ଧୁ ହେ ଉତ୍କଳମଣି!

ସେବାରେ ଉତ୍ସର୍ଗ କଲ ଜୀବନ।

ଅଠରଶ ସତସ୍ତରୀ ଅକ୍ଟୋବର

ନଅ,ଅଟେ ବଡ଼ ପଵିତ୍ର ଦିନ,

ପୁରୀର”ସୁଆଣ୍ଡୋ”ଗ୍ରାମେ ହେଲ ଜନ୍ମ

ମାତାପିତା ତୁମ ହୋଇଲେ ଧନ୍ୟ।

ସ୍ୱର୍ଣ୍ଣମୟୀ ଦେବୀ-ଦଇତାରୀ ଦାଶ

ଜନନୀ ପିଅର ହୋଇଲେ ତୁମ,

“ସୁଆଣ୍ଡୋ”ଗ୍ରାମର ମାଟିଧୂଳିକଣା

ଉଜ୍ଜ୍ୱଳ ଆଭାରେ ହେଲା ମଣ୍ଡନ।

ଶୈଶବ କାଳରୁ ମାତୃପିତୃହୀନ

ହୋଇଗଲ ତୁମେ ହେ ଗୋପବନ୍ଧୁ!

ଲାଳନପାଳନ କଲେ ପୀଉସୀ ମା’

ସାଜିଲ ସଭିଙ୍କ ଦରଦୀ ବନ୍ଧୁ।

ଭାର୍ଗବୀ ନଦୀକୁ ମାଆ ସମ ମଣି

ଭାବୁକ ସାଜିଲ ତା’କୋଳେ ବସି,

ପ୍ରକୃତି କୋଳରେ ନିର୍ଜନବେଳାରେ

କାବ୍ୟକବିତା ରଚିଲ ବସି।

ପଢୁଥିଲ ଯେବେ ବିଶ୍ୱବିଦ୍ୟାଳୟେ

ପରାଧୀନ ଥିଲା ଭାରତମାତା,

ଜନମଭୂଇଁର ସ୍ୱାଧୀନତା ପାଇଁ

ମନରେ ତୁମର ଘାରିଲା ଚିନ୍ତା।

ପାଠପଢ଼ା ଛାଡ଼ି ସ୍ୱଦେଶର ମୁକ୍ତି

ଆନ୍ଦୋଳନରେ ତୁମେ ମିଶିଲ,

ଗୋରା ଶାସକଙ୍କୁ ପ୍ରତିବାଦ କରି

ବହୁବାର କାରାବାସ ଭୋଗିଲ।

କାରାଗାରେ ବସି ରଚନା କରିଲ

ଅନେକ କାବ୍ୟ କବିତାମାନ,

ଦେଶର ସ୍ୱରାଜ ପାଇଁ ଭୁଲିଗଲ

ନିଜ ପରିବାର ଆଉ ସନ୍ତାନ।

ସତ୍ୟବାଦୀର ବକୁଳ ବନରେ

ଗୁରୁକୁଳାଶ୍ରମ କଲ ପ୍ରତିଷ୍ଠା,

ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଚାଲି

ଦେଶସେବା ବ୍ରତେ ରଖିଲ ନିଷ୍ଠା।

ନିଜକଥା ସବୁ ମନରୁ ପାଶୋରି

ପରଦୁଃଖ ଦେଖି ହେଲ ବିଷଣ୍ଣ,

ନିଜେ ଭୋକସହି ବୁଭୁକ୍ଷୁ ଜନଙ୍କ

ଭୋକ ମେଣ୍ଟାଇଲ ଦେଇଣ ଅନ୍ନ।

ତୁମପରି ସନ୍ଥମହାତ୍ମା କେ ହେବ!

ତୁମେ ତ ଦରିଦ୍ର ଦୁଃଖ ପାଶୋରା,

ତୁମକଥା ଆଜି ପଡୁଅଛି ମନେ

ତୁମପରି ଜଣେ ନାହିଁ ଏ ଧରା।

ହେ ସନ୍ଥ,ସାଧକ,ତ୍ୟାଗୀ ଗୋପବନ୍ଧୁ!

ଅସରନ୍ତି ତୁମ ତ୍ୟାଗ କାହାଣୀ,

ଉତ୍କଳ ମାତାର ସେବା କରି ତୁମେ

ଉପାଧି ଲଭିଲ”ଉତ୍କଳମଣି”।

ତବ ପାଦେ ମୋର ଅଶେଷ ପ୍ରଣାମ

ହେ ସତ୍ୟବାଦୀର ସନ୍ଥମହାତ୍ମା!

ତୁମପରି ତ୍ୟାଗୀ ସନ୍ତାନଟେ ପାଇଁ

ଝୁରି ହେଉଅଛି ଜନନୀ ଆତ୍ମା।

Share this: