ହିନ୍ଦୀ ସିନେମା ପାଇଁ ଆଉ ଏକ ଝଟକା,କମେଡିଆନ ଜଗଦୀପ ଙ୍କ ପରଲୋକ

Share this:

ନୂଆଦିଲ୍ଲୀ : ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଖରାପ ଖବର ବାହାରୁଛି। ଏବେ ଆଉ ଏକ ଦୁଃଖଦ ଖବର ବାହାରକୁ ଆସିଛି। ପ୍ରସିଦ୍ଧ ହାସ୍ୟ ଅଭିନେତା ତଥା ହିନ୍ଦୀ ସିନେମାର ଅଭିନେତା ଜଗଦୀପ ଆଉ ଏହି ଦୁନିଆରେ ନାହାଁନ୍ତି। ବୁଧବାର ୮୧ ବର୍ଷ ବୟସରେ ଜଗଦୀପ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜଗଦୀପଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ମାତ୍ରେ ତାଙ୍କ ପରିବାର ଏବଂ ବଲିଉଡରେ ଶୋକର ଲହରୀ ଖେଳିଯାଇଥିଲା।

ଜଗଦୀପଙ୍କ ପ୍ରକୃତ ନାମ ଥିଲା ସୟଦ ଇଶ୍ଟିଆକ୍ ଜାଫ୍ରି। ସେ ତାଙ୍କ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଜଗଦୀପ ଇଣ୍ଡଷ୍ଟ୍ରିର ସର୍ବୋତ୍ତମ ହାସ୍ୟ ଅଭିନେତା ଭାବରେ ପରିଗଣିତ ହୋଇଥିଲେ।

ଜଗଦୀପ ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ଯାଦୁ ବିସ୍ତାର କରିଥିଲେ। ଜଗଦୀପ ହିନ୍ଦୀ ସିନେମାର ଚର୍ଚ୍ଚିତ ଚଳଚ୍ଚିତ୍ର ଶୋଲେରେ ‘ସୁରମା ଭୋପାଲି’ର ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କର ଭୂମିକା ବେଶୀ ସମୟ ନଥିଲା,କିନ୍ତୁ ତାଙ୍କ ଅଭିନୟ ଦର୍ଶକ ଙ୍କ ହୃଦୟ ଜିତିଥିଲା ଏବଂ ଏହା ପରେ ସେ ସୁରମା ଭୋପାଳୀ ନାମରେ ପ୍ରସିଦ୍ଧ ହୋଇଥିଲେ।

ଜଗଦୀପ ୨୯ ମାର୍ଚ୍ଚ ୧୯୩୯ ରେ ମଧ୍ୟପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୫୧ରେ ଶିଶୁ କଳାକାର ଭାବରେ ଆଫସାନା ସହିତ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ବଲିଉଡର ନୃତ୍ୟଶିଳ୍ପୀ ତଥା ଅଭିନେତା ଜାଭେଦ୍ ଜାଫ୍ରେ ଓ ଟିଭି ଶୋ ନିର୍ମାତା ନାଭିଦ୍ ଜାଫ୍ରି ଜଗଦୀପଙ୍କ ପୁତ୍ର ଅଟନ୍ତି। ବଲିଉଡ ର ବହୁ କଳାକାର  ଜଗଦୀପଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Share this: